କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଣିଠାରେ ଟ୍ରେନ୍ ଧକ୍କାରେ ତିନିଟି ହାତୀଙ୍କ ମୃତ୍ୟୁ ଘଟିଲା। ଏହି ଘଟଣାରେ ବନ ବିଭାଗ ରେଳବାଇକୁ ପୁଣିଥରେ କାରଣଦର୍ଶାଅ ନୋଟିସ୍ ଜାରି କରିଛି। ହେଲେ, ରେଳବାଣ ଅଦ୍ୟାବଧି ଏହାର ଉତ୍ତର ରଖିନଥିବା ଜଣାପଡ଼ିଛି।
ବାଂଶପାଣିରେ ଟ୍ରେନ୍ ଧକ୍କାରେ ତିନିଟି ହାତୀଙ୍କ ମୃତ୍ୟୁ ଘଟଣାରେ ଆରମ୍ଭରୁ ରେଳବାଇକୁ ଦୋଷ ଦେଉଛି ବନ ବିଭାଗ। ବନ ବିଭାଗର କହିବା କଥା ହେଲା, ମେ ୧୯ ତାରିଖରେ ବାଂଶପାଣି ନିକଟ ବେହେରାହଟିଂରେ ଏକ ହାତୀପଲ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୋଟିଏ ମାଈ ଏବଂ ଦୁଇଟି ଛୁଆହାତୀ ପ୍ରାଣ ହରାଇଥିଲେ। ଏହି ଅଞ୍ଚଳରେ ହାତୀପଲଙ୍କ ଚଳାଚଳ ସମ୍ପର୍କରେ ବହୁପୂର୍ବରୁ ରେଳବାଇକୁ ଅବଗତ କରାଯାଇଥିଲା। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଟ୍ରେନ୍ର ଗତି କମ୍ ରଖିବା ସହିତ ଲମ୍ବାହର୍ଣ୍ଣ ଦେବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ବନ ବିଭାଗର ସତର୍କତାକୁ ରେଳବାଇ ଅନୁସରଣ କରି ନଥିଲା। ଯେଉଁଥିପାଇଁ ତିନିଟି ହାତୀର ମୃତ୍ୟୁ ହେଲା।
କାହିଁକି ଏବଂ କେଉଁ ପରିସ୍ଥିତିରେ ବନ ବିଭାଗର ସତର୍କତାକୁ ରେଳବାଇ ଅନୁସରଣ କଲାନାହିଁ, ତାହାର କାରଣ ଜଣାଇବାକୁ ବନ ବିଭାଗପକ୍ଷରୁ ଚକ୍ରଧରପୁରସ୍ଥିତ ସିନିଅର ଡିଭିଜିନାଲ ଅପରେସନ ମ୍ୟାନେଜରଙ୍କୁ ନୋଟିସ୍ କରାଯାଇଥିଲା। ମେ ୨୧ ତାରିଖରେ ପ୍ରଥମ କାରଣଦର୍ଶାଅ ନୋଟିସ୍ କରାଯାଇଥିଲା। ୨୫ଦିନ ପରେ ଏହାର ଉତ୍ତର ନ ମିଳିବାରୁ ଜୁନ୍ ୧୮ ତାରିଖରେ ପୁଣି ଦ୍ବିତୀୟ ଥର ପାଇଁ ବନ ବିଭାଗ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି। ବନ ବିଭାଗ ନୋଟିସ୍କୁ ରେଳବାଇ ଖାତିର ନ କରି କୌଣସି ଉତ୍ତର ଦେଉନାହିଁ।
ଡିଏଫ୍ଓ ଏଚ୍ଡି ଧନରାଜଙ୍କୁ ପଚାରିବାରୁ ସେ କହିଥିଲେ, ରେଳବାଇକୁ ପ୍ରଥମ କାରଣଦର୍ଶାଅ ନୋଟିସ୍ ମେ ୨୧ ତାରିଖରେ ଜାରି କରାଯାଇଥିଲା। ଏହି ନୋଟିସ୍ର ଉତ୍ତର ନ ଆସିବାରୁ ପୁଣିଥରେ ନୋଟିସ୍ କରାଯାଇଛି। ଏ ସଂପର୍କରେ ପିସିସିଏଫ୍ଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।