ହାଇକୋର୍ଟରେ ପହଞ୍ଚିଲା ହାତୀମୃତ୍ୟୁ

କଟକ: ରାଜ୍ୟରେ ହାତୀମୃତ୍ୟୁକୁ ନେଇ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ପ୍ରତିଦିନ ହାତୀମୃତ୍ୟୁ ଖବର ଆସୁଛି। କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଉନଥିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାତୀଙ୍କ ସୁରକ୍ଷା ପାଇଁ ଆସାମ ଢାଞ୍ଚାରେ ଓଡ଼ିଶାରେ ବନ୍ୟଜନ୍ତୁ ଆଇନରେ ସଂଶୋଧନ ପାଇଁ ଦାବି କରି ଜନସ୍ବାର୍ଥ ମାମଲା ଦାୟର ହୋଇଛି। କୋର୍ଟ ଏହାର ଶୁଣାଣି କରି ଅଧିକ ତଥ୍ୟ ଓ ନଥିପତ୍ର ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଦିନ ଭିତରେ ଆବେଦନକାରୀ ରାଜ୍ୟରେ ହାତୀଙ୍କ ସ୍ଥିତି ସଂପର୍କିତ ତଥ୍ୟ ଦାଖଲ କରିବେ, ଯାହାଦ୍ବାରା ଜରୁରୀ ସମସ୍ୟାକୁ ନେଇ ଦାୟର ଏହି ମାମଲାରେ ଅଦାଲତ ଅର୍ଥପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୀତା ରାଉତଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କିଛିବର୍ଷ ହେବ ବନ୍ୟଜନ୍ତୁ ଶିକାର ବଢ଼ିଚାଲିଛି। ଜଙ୍ଗଲ ଭିତରେ ହାତୀ ଶିକାର କରାଯାଉଛି, ଟ୍ରେନ୍ ଦୁର୍ଘଟଣାରେ ହାତୀ ପ୍ରାଣ ହରାଉଛନ୍ତି। ଏବେ ନିକଟରେ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଥିଲା। ସରକାର ହାତୀ ମୃତ୍ୟୁ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରୁ ନଥିବା ମନେହେଉଛି ବୋଲି ଦର୍ଶାଇ ଏହି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ ଅଧୀନରେ ଥିବା ବ୍ୟବସ୍ଥା ଯଦି ଅଧିକ କଠୋର ନ ହେବ, ତେବେ ଏମିତି ବନ୍ୟଜନ୍ତୁ ଶିକାର ବଢ଼ିଚାଲିଥିବ। ଆସାମରେ ଏହି ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ୨୦୧୦ରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ପରିବର୍ତ୍ତନ କରିଥିଲେ। ବନ୍ୟ ଜୀବନ (ସୁରକ୍ଷା) (ଆସାମ ସଂଶୋଧନ) ଆଇନ କାର୍ଯ୍ୟକାରୀ ନେଇ ୨୦୧୦ରେ ଆସାମ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ବନ୍ୟଜନ୍ତୁ ଶିକାର ପାଇଁ ୩ରୁ ୭ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଥିଲା। ଆଇନରେ ସଂଶୋଧନ ପରେ ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ୍‌ ହେଉଛି। ଜରିମାନା ରାଶି ମଧ୍ୟ ୧୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଦ୍ବିତୀୟଥର ବନ୍ୟ ଜୀବନ ସୁରକ୍ଷା ଆଇନରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ଏବେ ଆସାମରେ ସର୍ବନିମ୍ନ ୧୦ ବର୍ଷ ଜେଲ୍‌ ଓ ସର୍ବାଧିକ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଉଛି।

ଏଭଳି ‌ମାମଲାରେ ଜରିମାନା ରାଶି ମଧ୍ୟ ୨୫ରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବନ୍ୟଜନ୍ତୁଙ୍କ ଶିକାର ଉପରେ ରୋକ ପାଇଁ ଆଇନରେ କଡ଼ାଦଣ୍ଡ ବ୍ୟବସ୍ଥା ଆସାମ କରିଛି। ଓଡ଼ିଶାରେ ମଧ୍ୟ ଆଇନରେ ସଂଶୋଧନ କରାଯାଇ ବନ୍ୟଜନ୍ତୁ ଶିକାର ପାଇଁ ଆସାମ ଭଳି କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ବିଗତ ୫ ବର୍ଷ ଭିତରେ ବନ୍ୟଜନ୍ତୁ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ଓ କେତେ ଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି, ସେ ନେଇ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଜଙ୍ଗଲ ଓ ପରିବେଶ ସଚିବ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ), ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର