ଆଠଗଡ଼ : ଆଠଗଡ଼ ଫରେଷ୍ଟ ରେଞ୍ଜ ତଥା ତିଗିରିଆ ବନ ବିଭାଗ ଅଧୀନ ଜେନାପଦା ବିଟ୍ର ନୂଆବନ୍ଧ କାଜୁ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଆକଳନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଡିଏଫ୍ଓ ଡାକ୍ତର ଯଜ୍ଞଦତ୍ତ ପତି, ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଦ୍ୟୁତ୍ ଆଘାତରେ ହାତୀଟିର ମୃତ୍ୟୁ ଘଟିଛି ବୋଲି ଶବ ବ୍ୟବଚ୍ଛେଦ ପରେ ଆଠଗଡ଼ ପ୍ରାଣୀ ଚିକିତ୍ସିକ ସୁଶାନ୍ତ ବେହେରା ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ତିଗିରିଆ ବନାଞ୍ଚଳର ନୂଆବନ୍ଧ, ଖୁଣ୍ଟକଟା, ରେଗେଡ଼ା ଅଞ୍ଚଳରେ ଚାରି ଦିନ ହେଲା ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ହାତୀ ଅଞ୍ଚଳର ଚାଷଜମିରେ ପଶି ପସଲ ନଷ୍ଟ କରୁଥିବା ନେଇ ଅଞ୍ଚଳବାସୀ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଅନ୍ୟପଟେ, ନୂଆବନ୍ଧ କାଜୁ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ କେତେକ ବ୍ୟକ୍ତି ବାର୍ହା ଶିକାର ପାଇଁ ବିଦ୍ୟୁତ୍ ସଂଯୋଗ କରିଥିଲେ। ଗତକାଲି ରାତିରେ ଫସଲ ଖାଇବା ପାଇଁ ଆସିଥିବା ଏହି ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ହାତୀଟିର ଶୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ଅଧା କଟି ଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ଘଟିଥିଲା। ଆଜି ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଅଧିକାରୀ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ। ବ୍ୟବଚ୍ଛେଦ ପରେ ହାତୀଟିକୁ ଘଟଣାସ୍ଥଳରେ ପୋତି ଦିଆଯାଇଛି। ଏଥିସହ ହାତୀର ଦାନ୍ତ ବନ ବିଭାଗ ନିଜ ହେପାଜତକୁ ନେଇଛି।
ଆଠଗଡ଼ ବନ ଖଣ୍ଡରେ ଏଭଳି ହାତୀ ମୃତ୍ୟୁ ଏବେ ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି।୨୦୨୩ର ପ୍ରଥମ ଦେଢ ମାସରେ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗଲା ୩ ବର୍ଷରେ ବନଖଣ୍ଡରେ ହାତୀ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଛି। ତଥ୍ୟ ଅନୁଯାୟୀ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଏବେ ୭୦ରୁ ଅଧିକ ହାତୀ ଅଛନ୍ତି। କେତେବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ତ କେତେବେଳେ ଶିକାରରେ ହାତୀଙ୍କ ଜୀବନ ଯାଉଛି। ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲାର ବିଚାର ହେବା ଏବଂ ହାତୀଙ୍କ ସୁରକ୍ଷା ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ ସ୍ଥିତି ନ ସୁଧୁରିବା ଘଟଣା ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି।