୧୦୪ ହାତୀ କାହିଁକି ମଲେ? ସରକାର ଜାଣନ୍ତିନି
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ତଥାପି ହେଜୁନାହାନ୍ତି
ଭୁବନେଶ୍ୱର : ଦିନ ଥିଲା, ହାତୀଙ୍କ ପାଇଁ ବେଶ୍ ନାଁ ଥିଲା ଓଡ଼ିଶାର। ଅନେକ ସମ୍ରାଟ ଉତ୍ତର ଭାରତରୁ ଓଡ଼ିଶାକୁ ଆସୁଥିଲେ ଖାସ୍ ହାତୀ ପାଇଁ। ମୋଗଲ ରାଜାଙ୍କର ବେଶ୍ ପସନ୍ଦ ଥିଲେ ଓଡ଼ିଶା ହାତୀ। ରାଜାମାନେ ମଧ୍ୟ ଯୁଦ୍ଧରେ ସେମାନଙ୍କୁ ପର୍ଯ୍ୟାପ୍ତ ବ୍ୟବହାର କରୁଥିଲେ।। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ମଧ୍ୟ ହାତୀଙ୍କୁ ଦେଖିବାକୁ ମିଳୁଥିଲା। ଆମ ପରମ୍ପରାରେ ହାତୀଙ୍କୁ ମା’ ଲକ୍ଷ୍ମୀଙ୍କ ସହିତ ଯୋଡି ବେଶ୍ ସମ୍ମାନ ଦିଆଯାଇଥାଏ।
ହେଲେ ହଠାତ୍ ଓଡ଼ିଶାରେ ହାତୀ ପ୍ରତି ବିପଦ ମାଡ଼ି ଆସିଛି। ମଣିଷ ସହିତ ହାତୀ ସଂପର୍କ ବିଗିିଡିଯାଇଛି। ମଣିଷ ଧୀରେ ଧୀରେ ହାତୀ ବସତିକୁ ସଙ୍କୁଚିତ କରୁଥିବା ବେଳେ ଏହାର ପ୍ରତିବଦଳରେ ହାତୀ ମଧ୍ୟ ଜଙ୍ଗଲ ଛା଼ଡି ବସ୍ତିମୁହାଁ ହେଲାଣି। ଲୋକଙ୍କ ଫସଲ ନଷ୍ଟଭ୍ରଷ୍ଟ କରୁଛି, ଆଉ ଗୋଟିଏ ପରେ ଗୋଟିଏ ଜୀବନକୁ ପାଦରେ ଦଳିଚାଲିଛି।
ଏତେ ବଡ଼ ଘଟଣାରେ ସରକାର କିନ୍ତୁ ନିର୍ବିକାର ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି। ସରକାରୀ ଯୋଜନା ହେଉଛି, କାଗଜପତ୍ରରେ। କାର୍ଯ୍ୟାନ୍ଵୟନ ଏଯାବତ୍ ପ୍ରଭାବୀ ହୋଇପାରିନାହିଁ। ପରିଣାମ ହେଲା, ହାତୀକୁ ମଣିଷ ମୃତ୍ୟୁଦଣ୍ଡ ଦେବା ଆରମ୍ଭ କରିଛି।
କେଉଁଠି ଓହଳି ଥିବା ବିଦ୍ୟୁତ ତାରରେ ଲାଗି ହାତୀ ପ୍ରାଣ ହରାଇଲେଣି ତ ଆଉ କେଉଁଠି ଖୋଲା କୁଅରେ ପଡି ମୃତ୍ୟୁ ଆପଣାଇଛି। କେଉଁଠି ଶିକାରୀର ଅସ୍ତ୍ରାଘାତରେ ମୃତ୍ୟୁ ଘଟିଛି ଗଜରାଜଙ୍କର। ଆଉ କେବେ ବିଷ ବା ବିଦ୍ୟୁତ ଆଘାତ ଦେଇ ହାତୀକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି ମଣିଷ।
ହାତୀ-ମଣିଷ ସଂପର୍କ ବିଗିଡିଯିବା ସହିତ ଭକ୍ତି ଓ ସମ୍ମାନର ସଂପର୍କ ଭୟ ଓ ଆତଙ୍କରେ ପରିଣତ ହୋଇଛି। ଆଉ ଜାରି ରହିଥିବା ଏହି ଲଢେଇରେ ଉଭୟ ପକ୍ଷର ଶତାଧିକ ପ୍ରାଣ ହରାଇଲେଣି, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟଭ୍ରଷ୍ଟ, ବରବାଦ ହୋଇଗଲାଣି।
ହଠାତ୍ ଏମିତି କାହିଁକି ହେଲା? ରାଜ୍ୟ ସରକାର ହାତୀଙ୍କ ପ୍ରତି ଏତେ ବିମୁଖ କାହିଁକି? ସରକାରଙ୍କ ଯୋଜନା, କାର୍ଯ୍ୟ ଓ ନିର୍ଦେଶନାମା ମଧ୍ୟରେ ଦୂରତା ବଢିଯାଉନି ତ? ଏମିତି ଅନେକ ପ୍ରଶ୍ନ ଏବେ ବିଶେଷଜ୍ଞ, ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି।
ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ସମିତିର ପରିସଂଖ୍ୟାନକୁ ବିଶ୍ୱାସ କରାଗଲେ ନବେ ଦଶନ୍ଧିରେ ଯେତିକି ହାତୀ ମୃତ୍ୟୁ ବରଣ କରୁଥିଲେ, ୨୦୧୦ରୁ ୨୦୧୭ ମଧ୍ୟରେ ତାର ଦୁଇଗୁଣରୁ ଅଧିକ ହାତୀ ପ୍ରାଣ ହରାଇଲେଣି। ୨୦୦୦ରୁ ୨୦୧୦ ଏକବିଂଶ ଶତାଦ୍ଦୀର ପ୍ରଥମ ଦଶନ୍ଧି ତୁଳନାରେ ବିଗତ ୭ବର୍ଷ (୨୦୧୧-୧୭) ମଧ୍ୟରେ ପାଖାପାଖି ୨୮ଟି ହାତୀ ଅଧିକ ମରିଛନ୍ତି।
ହାତୀ ସଂଖ୍ୟା ସେହି ଅନୁପାତରେ କମିନି, କାରଣ ଜନ୍ମହାର ଏହା ତୁଳନାରେ ସାମାନ୍ୟ ଅଧିକ ରହିଛି। ପରିସଂଖ୍ୟାନ କହୁଛି, ୧୯୯୦ରୁ ୨୦୦୦ ମଧ୍ୟରେ ୩୩ ହାତୀ ମରିଥିଲେ। ୨୦୦୦ରୁ ୨୦୧୦ ମାର୍ଚ୍ଚ ମଧ୍ୟରେ ୪୬ ଓ ଏପ୍ରିଲ ୨୦୧୦ରୁ ଡିସେମ୍ବର ୨୦୧୭ ମଧ୍ୟରେ ୭୪ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣକୁ ପର୍ଯ୍ୟାଲୋଚନା କଲେ ସରକାରଙ୍କ ଉଦାସୀନ ମନୋଭାବ, ବେଫିକର ପଣ, ଯୋଜନା କାର୍ଯ୍ୟାନ୍ଵୟନରେ ଥିବା ତ୍ରୁଟି ସାମ୍ନାକୁ ଆସୁଛି।
କାରଣ, ୨୦୧୦ ଏପ୍ରିଲରୁ ୨୦୧୭ ଡିସେମ୍ବର ୧୦ ତାରିଖ ଅର୍ଥାତ୍ ଗତ ୭ବର୍ଷ ୮ମାସ ମଧ୍ୟରେ ଯେଉଁ ୫୭୦ ହାତୀ ପ୍ରାଣ ହରାଇଛନ୍ତି, ସେ ମଧ୍ୟରୁ ରୋଗ, ପ୍ରାକୃତିକ କାରଣ, ଆପୋସ ଲଢେଇ, ଦୁର୍ଘଟଣାରେ ୨୬୩ ହାତୀଙ୍କର ମୃତ୍ୟୁ ହୋଇଛି। ୬୬ଜଣଙ୍କୁ ଶିକାର କରାଯାଇଛି, ୨୬ଜଣ ବିଷକ୍ରିୟା ଯୋଗୁଁ ମରିଛନ୍ତି,୫୨ ଜଣଙ୍କୁ ବିଦ୍ୟୁତ ଆଘାତ ଦିଆଯାଇଥିଲା, ୩୩ ଜଣ ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ୧୭ଟି ରେଳଦୁର୍ଘଟଣାରେ ଓ ୭ଟି ଖୋଲା କୂଅରେ ପଡ଼ି ପ୍ରାଣ ହରାଇଛନ୍ତି।
ଉଦ୍ବେଗଜନକ ଦିଗଟି ହେଲା, ୧୦୪ଟି ହାତୀ କାହିଁକି ପ୍ରାଣ ହରାଇଲେ, ସେକଥା କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି। ଜଙ୍ଗଲ ବିଭାଗର ଅଧିକାରୀ ଓ ଗୁଇନ୍ଦା ବ୍ୟବସ୍ଥାର ପାରଦର୍ଶିତା ଏତେ ଯେ ଗତ ଅଢେଇ ବର୍ଷ ଭିତରେ ୭୨ଟି ହାତୀ ଶବ ଚିହ୍ନଟ କରିବା ବେଳକୁ ସେସବୁ ପଚିଯାଇଥିଲା। ଏଣୁ ନିୟମିତ ବ୍ୟବଚ୍ଛେଦ ହୋଇପାରିନାହିଁ। ୬ଟି ହାତୀର ଶବ ଦୀର୍ଘ ଦୁଇମାସ ପରେ ଚିହ୍ନଟ ହୋଇଛି। ହାତୀ ସ୍କ୍ଵାର୍ଡ ଓ ଓ୍ଵାଚରଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଇଥିବା ବେଳେ ଏ ବିଫଳତା ପାଇଁ ବିଭାଗ କାହାକୁ ଦାୟୀ କରିବ ନାହିଁ? ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେନି?
ଝୁଲନ୍ତା ତାର ଲାଗି ହାତୀ ମୃତ୍ୟୁ ଘଟଣା ସଂପର୍କରେ ଗତ ୧୦ବର୍ଷ ହେଲାଣି ତନାଘନା ଚାଲିଛି। ଜଙ୍ଗଲ ବିଭାଗ ତାଗିଦ୍ କରୁଛି, ଶକ୍ତି ବିଭାଗ କାନଡ଼େରି ସେସବୁ ଶୁଣି ପାଳନ କରିବ ବୋଲି ପ୍ରତିଶ୍ରୁତି ଦେଉଛି। କିନ୍ତୁ ଦିନକୁ ଦିନ ସ୍ଥିତି ଅଧିକ ଗମ୍ଭୀର ହେଉଛି ସିନା ସୁଧାର ଆସୁନାହିଁ। ବିଶେଷକରି ବିଦ୍ୟୁତ ବଣ୍ଟନ କଂପାନିଙ୍କ ମନମାନି, ଜଙ୍ଗଲ ବିଭାଗ ଅଧିକାରୀଙ୍କ ବେପରୁଆ ମନୋଭାବକୁ ଏଭଳି ମୃତ୍ୟୁ ପାଇଁ ମୁଖ୍ୟତଃ ଦାୟୀ କରାଯାଉଛି।
ଏଠାରେ ଉଲ୍ଲେଖଥାଉକି, ହାତୀକୁ ହତ୍ୟା ଘଟଣାରେ ସରକାର ଏଯାଏ ଠୋସ୍ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି। ବିଦ୍ୟୁତ ଆଘାତରେ ମୃତ୍ୟୁ ପାଇଁ ବଡ଼ ଦଣ୍ଡ ଦେବା କ୍ଷେତ୍ରରେ ଶକ୍ତି ବିଭାଗ ବିଫଳ ହୋଇଛି, ଜଙ୍ଗଲ ବିଭାଗ ବି। ହାତୀ ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅନୁରୂପ ସ୍ଥିତି ଉପୁଜିଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବ କେବେ ହେଜିବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ele.jpg)