ଭୁବନେଶ୍ବର : ଓଡ଼ିଶାରେ ହାତୀ ଅସୁରକ୍ଷିତ। ପ୍ରତି ମାସରେ ରାଜ୍ୟର କୌଣସି ନା କୌଣସି ସ୍ଥାନରେ ହାତୀ ମୃତ୍ୟୁ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପରିବେଶବିତ୍ ମେନକା ସଞ୍ଜୟ ଗାନ୍ଧୀ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଢେଙ୍କାନାଳ ଜିଲ୍ଲାରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ହାତୀ ମୃତ୍ୟୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ ବିଦ୍ୟୁତ୍ ଆଘାତରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣା ଦେଶରେ ବିରଳ। ଓଡ଼ିଶା ପରି ରାଜ୍ୟରେ ଏଭଳି ଘଟଣା ଅଧିକ ଚିନ୍ତାଜନକ। ତଥ୍ୟ କହୁଛି ଯେ ୨୦୧୧ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୪୩୫ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୧୨୪ ଅର୍ଥାତ୍ ୨୮ ପ୍ରତିଶତ ହାତୀଙ୍କ ମୃତ୍ୟୁ ବିଦ୍ୟୁତ୍ ଆଘାତ ଯୋଗୁଁ ଘଟିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଏଭଳି ସମସ୍ୟା ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଚିନ୍ତାଜନକ ବିଷୟ ହେଉଛି, ହାତୀ ମୃତ୍ୟୁ ରୋକିବା ପାଇଁ ୨୦୧୦ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏ.କେ ବିଶ୍ବାଳ କମିଟି ଗଠନ କରାଯାଇଥିଲା। କମିଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଗାଇଡ୍ ଲାଇନ୍ରେ ଜଙ୍ଗଲ ଭିତରେ ବିଦ୍ୟୁତ୍ ସଂଯୋଗ କିଭଳି ରହିବା ଆବଶ୍ୟକ, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିଲା। ବିଦ୍ୟୁତ୍ ଓ ବନ ବିଭାଗ ମିଳିତ ଭାବେ ଏ ଦିଗରେ ପଦକ୍ଷେପ ନେବାକୁ ବି କୁହାଯାଇଥିଲା। କିନ୍ତୁ ତାହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇପାରିନି। ଦେଖିବାକୁ ମିଳୁଛି ଯେ ଯେଉଁ ସଂସ୍ଥାଗୁଡ଼ିକ ବିଦ୍ୟୁତ୍ ସଂଯୋଗ ଦେଉଛନ୍ତି, ସେମାନଙ୍କର ଖୁଣ୍ଟକୁ ଖୁଣ୍ଟ ମଧ୍ୟରେ ଦୂରତା ଠିକ୍ ନାହିଁ। ଜଙ୍ଗଲ ଓ ଗ୍ରାମାଞ୍ଚଳରେ ନିୟମିତ ଭାବେ ବିଦ୍ୟୁତ୍ ତାରର ଉଚ୍ଚତା ଯାଞ୍ଚ ହେଉନି କି ମରାମତି କରାଯାଉ ନାହିଁ। ଏଥିପାଇଁ ଗତ ମାସରେ ଢେଙ୍କାନାଳରେ ୭ଟି ହାତୀଙ୍କ ମୃତ୍ୟୁ ହେଲା।
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଦ୍ୟୁତ୍ ସଂଯୋଗକାରୀ ସଂସ୍ଥାଗୁଡ଼ିକ ହାତୀ କରିଡର୍ରେ ଆବଶ୍ୟକୀୟ ମରାମତି କରୁନାହାନ୍ତି। ଘଟଣାର ତଦନ୍ତ କରାଯିବା ପରେ ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ପକ୍ଷରୁ ସେସୁକୁ ଏକ କୋଟି ଟଙ୍କାର ଜରିମାନା କରିଛନ୍ତି। ରାଜ୍ୟରେ ହାତୀ ମୃତ୍ୟୁ ହାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ। ଏଥିସହ ଯେଉଁ ଅଧିକାରୀମାନେ ଏ.କେ ବିଶ୍ବାଳ କମିଟିର ରିପୋର୍ଟକୁ ରାଜ୍ୟରେ କାର୍ଯ୍ୟକାରୀ କରିବାରେ ଅବହେଳା କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି ଓଡ଼ିଶାର ହାତୀ ଭାରତର ଗର୍ବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।