ବାରିପଦା: ଗତକାଲି ରାତିରେ ବାରିପଦା ସହର ଭିତରକୁ ପଶି ଆସିଥିବା ଏକ ଦନ୍ତାହାତୀ ରାତି ସାରା ସହର ମଧ୍ୟରେ ତାଣ୍ଡବ ରଚିଥିଲା। ସହରର ସୁନାମୁହିଁ, କନଭେଣ୍ଟ ଛକ, ବାରୁଣୀ, କୃଷ୍ଣଚନ୍ଦ୍ର ଗୋଲେଇ ପରେ ମଧୁବନ ଅଞ୍ଚଳରେ ପ୍ରବେଶ କରିଥିଲା ଉକ୍ତ ଦନ୍ତା। ସେଠାରେ ସେ ବହୁ ସମୟ ଧରି ରହିବା ସହିତ ଲୋକଙ୍କ ଘର ଓ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ବୁଲିଥିଲା। ବାରିପଦା ରେଞ୍ଜ ବନ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ଏକ ଟିମ ହାତୀର ଗତିବିଧି ଲକ୍ଷ୍ୟ କରିବାରେ ନିୟୋଜିତ ରହିଥିଲେ।
ଅନ୍ୟପଟେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିଥିଲେ। ଉକ୍ତ ଦନ୍ତାହାତୀ ମଧୁବନ, ସୁନାମୁହିଁ, ରାଣୀସତୀ ମନ୍ଦିର ଆଦି ସ୍ଥାନରେ ୩ଗୋଟି ଘର ସମେତ ପାଚେରୀ ଭାଙ୍ଗିଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଦେଖଣାହାରୀଙ୍କ ବ୍ୟଗ୍ରତା ଏବଂ ଅଶାନ୍ତ ପରିବେଶ ହାତୀ ଘଉଡାଇବା କାର୍ଯ୍ୟକୁ ବିଳମ୍ବିତ କରିଥିଲା।
/sambad/media/post_attachments/wp-content/uploads/2021/09/IMG-20210917-WA0023-1024x576.jpg)
ଉଲ୍ଲେଖଯୋଗ୍ୟ ଯେ ବାରିପଦା ସହର ଭିତରକୁ ପଶି ଆସିଥିବା ଏହି ଦନ୍ତା ଜଙ୍ଗଲକୁ ଫେରିବା ପାଇଁ ବାଟ ଖୋଜିପାଇ ପାରୁନଥିଲା। ଅନ୍ୟପଟେ ହାତୀଟି ଏ ଗଳିରୁ ସେ ଗଳି ବୁଲିବାରେ ଲାଗିଥାଏ ଯାହାକୁ ନେଇ ବନବିଭାଗକୁ ନାକେଦମ୍ ହେବାକୁ ପଡିଥିଲା। ବନବିଭାଗ ସହିତ ଲୋକମାନେ ରାତି ସାରା ହାତୀର ଗତିବିଧିକୁ ଜଗିବା କାର୍ଯ୍ୟ ଜାରି ରଖିଲେ। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଲୋକେ ଘରେ ଶାନ୍ତିରେ ନିଦ୍ରା ଯାଇନପାରି ହାତୀକୁ ଜଗିବସିଲେ। ଆଉ କିଛି ଲୋକଙ୍କ ହାତୀ ଦେଖିବା କୌତୁହଳ ପାଇଁ ବନବିଭାଗ କର୍ମଚାରୀ ମାନେ ମଧ୍ୟ ହଟହଟା ହେଲେ। ସୂଚନା ଅନୁଯାୟୀ, ଶାମାଖୁଣ୍ଟା ବ୍ଲକ ଅଧିନ ମହୁଳିଆ ଜଙ୍ଗଲରୁ ବାରିପଦା ସହର ନହରପଦା ଅଂଚଳରେ ପ୍ରବେଶ କରିଥିଲେ। ହାତୀ ବୁଲୁଥିବା ପ୍ରଥମେ ଲୋକେମାନେ ଦେଖିଥିବା ବେଳେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ।
ଏନେଇ ବନବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ କାଟ କରିବା ସହିତ ହାତୀଟିର ଗତିବିଧି ଲକ୍ଷ୍ୟ କରିବା ସହିତ ହାତୀଟିକୁ ଜନବସତି ଠାରୁ ଦୂର ଜଙ୍ଗଲ ଆଡ଼କୁ ନେବାକୁ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ଦନ୍ତା ହାତୀଟି ଲୋକଙ୍କ ଗହଳି ତଥା ଗାଡିମଟର ଦେଖି ଧୀରେ ଧୀରେ ସହର ମଧ୍ୟକୁ ପ୍ରବେଶ କରିଥିଲା। ଶେଷରେ ରାତିତମାମ ପ୍ରୟାସ ପରେ ଭୋର ସମୟରେ ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ହାତୀଟିକୁ ସହରରୁ ଜଙ୍ଗଲ ଆଡ଼କୁ ନେବାରେ ସଫଳ ହୋଇଥିଲେ। ହାତୀଟିକୁ ମଞ୍ଚାବନ୍ଧା ଜଙ୍ଗଲ ପଟେ ଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀଟି ଜଙ୍ଗଲରୁ କୋଣସି କାରଣ ବଶତଃ ସହରାଭିମୁଖି ହୋଇଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ବହୁ ସ୍ଥାନ ସେ ବୁଲିଥିଲା। ଅନ୍ୟପଟେ ରାତି ଅଧରେ ମଧ୍ୟ ଲୋକଙ୍କ ହାତୀ ଦେଖିବାର କୌତୁହଳ ସହିତ ମୋବାଇଲରେ ଫଟୋ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା। ଯାହା ଫଳରେ କି ବନ ବିଭାଗ କର୍ମଚାରୀ ମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଥିଲା।