ଯୋଡ଼ା/ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରି ସେକ୍ସନ ନୟାଗଡ଼ ବିଟ୍‌ ଅଧୀନ ଜଗନ୍ନାଥପୁର ଗ୍ରାମ ନିକଟରେ ଟ୍ରେନ୍‌ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସରୁ ୨୫ରୁ ୩୦ ବର୍ଷ ମଧ୍ୟ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଏକ ୧୭ଟିକିଆ ହାତୀପଲ ବୁଲୁଥିଲେ। ମଙ୍ଗଳବାର ରାତିରେ ଏହି ହାତୀପଲ ରେଳଧାରଣା ପାର ହୋଇ ଧାନ ଖାଇବାକୁ ଆସିଥିଲେ। ଧାନ ଖାଇବା ପରେ ‌ବୁଧବାର ଭୋର ୫ଟାରୁ ୬ଟା ମଧ୍ୟରେ ହାତୀପଲ ରେଳଧାରଣା ପାର ହୋଇ ଜଙ୍ଗଲକୁ ଫେରୁଥିଲେ। ଗୋଠରୁ ଅଲଗା ହୋଇ ପ୍ରଥମେ ଏକ ମାଈହାତୀ ରେଳଧାରଣା ପାର ହେଉଥିବା ସମୟରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ତାର ମୃତ୍ୟୁ ଘଟିଛି। ପୂର୍ବ ରେଳପଥ ଅଧୀନରେ ଜୁରୁଡ଼ି ରେଳସାଇଡିଂ ରହିଥିବା ବେଳେ ନୟାଗଡ଼ ରେଳସାଇଡ଼ିଂ ପୂର୍ବତଟ ରେଳପଥ ଅଧୀନରେ ରହିଛି। ରେଳବାଇର ଏହି ଦୁଇ ଡିଭିଜନ ଅଧୀନରେ ଯୋଡ଼ାରୁ ଆରମ୍ଭ କରି ବିଲେଇପଦା ଓ ନୟାଗଡ଼ଠାରୁ ଆରମ୍ଭ କରି ଗୁଆଲଡିହି ରେଳଷ୍ଟେସନ ପର୍ଯ୍ୟନ୍ତ ହାତୀଙ୍କ ଚଳପ୍ରଚଳ ରହୁଛି। ବିଭିନ୍ନ ସମୟରେ ହାତୀପଲ ରେଳଧାରଣା ପାର ହେବା ସମୟରେ ଦୁର୍ଘଟଣା ଘଟୁଛି।

Advertisment

ଏ ସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ରେଲୱେ ପିଲାର ନମ୍ବର ୧୮/୨ ଓ ୧୮/୩ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଭୋର ସାଢ଼େ ୫ଟାରୁ ୫.୪୦ ମଧ୍ୟରେ ଜୁରୁଡ଼ି ଷ୍ଟେସନ ମ୍ୟାନେଜରଙ୍କୁ ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲା। ରେଳବାଇ ଡିଆର୍‌ଏମ୍‌ଙ୍କୁ ଏନେଇ ଅବଗତ କରାଯାଇଛି। ଭୁବନେଶ୍ୱରସ୍ଥିତ ଷ୍ଟେଟ ଜଏଣ୍ଟ ଟାସ୍କଫୋର୍ସ (ଜେଟିଏଫ୍)କୁ ବି ଖବର ଦିଆଯାଇଛି। ଉକ୍ତ ଟିମ୍ ଆସି ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ ବୋଲି ଶ୍ରୀ ଧନରାଜ କହିଛନ୍ତି।

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ବିଜେପି ରେଞ୍ଜ ଭେଜିଡିହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଏକ ଅଣ୍ଡିରା ହାତୀଛୁଆ (ଦୁଇବର୍ଷ)ର ମୃତ୍ୟୁ ଘଟିଛି। ରବିବାର ଏକ ହାତୀପଲ ଯାଉଥିବା ସମୟରେ ଏକ ଛୁଆହାତୀ ଗନ୍ଧିଆଗୁଡ଼ା ଜଙ୍ଗଲରେ ମନରେଗା ଯୋଜନାରେ ବର୍ଷାଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଯାଇଥିଲା। ବହୁ ଉଦ୍ୟମ ସତ୍ତ୍ୱେ ମାଆ ହାତୀ ତାକୁ ଉଦ୍ଧାର କରିପାରି ନଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଛୁଆକୁ ଉଦ୍ଧାର କରିଥିଲେ। ବନ୍ୟପ୍ରାଣୀ ବିଭାଗର ଡାକ୍ତର ବ୍ରଜରାଜ ଯାଦବଙ୍କ ନେତୃତ୍ବରେ ଏକ ଦୁଇଜଣିଆ ଟିମ୍‌ ଓ ବାଂଶପାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀ ଶାବକର ଚିକିତ୍ସା କରିଥିଲେ। ହାତୀଛୁଆଟି ଥଣ୍ଡାରୁ ଅସୁସ୍ଥ ହେବା ସହ ତାର ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ମଧ୍ୟ ହାତୀଛୁଆଟି ପ୍ରାଣ ହରାଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସିଏଫ୍‌ ଅଶୋକ ଦାସ କହିଛନ୍ତି।