କେରଳ ହାତୀ ଟ୍ରାଜେଡି ପରେ କେତେ ସଜାଗ ଉତ୍ତର ଘୁମୁସର ବନଖଣ୍ଡ ?

୧୨ ବର୍ଷରେ ମୃତ୍ୟୁ ଦେଖିଲେଣି ୧୯ ଗଜରାଜ

ଭଞ୍ଜନଗର: କେରଳର ପାଲକଡ ଜିଲ୍ଲାରେ ଘଟିଥିବା ଗର୍ଭିଣୀ ହାତୀ ହତ୍ୟାର ଅମାନବୀୟ ବର୍ବରତା ଚରମ ସୀମା ଲଙ୍ଘିଥିବାକୁ ଦର୍ଶାଇଛି। ହାତୀଟି କାହାରିକୁ କ୍ଷତି ପହଞ୍ଚାଇ ନଥିବା ବେଳେ ଖାଦ୍ୟ ‌ଅନ୍ବେଷଣରେ ଆସିଥିବା ସମୟରେ ବାଣ ଭର୍ତ୍ତି ସପୁରୀ ଖୁଆଇ ଅତି ନୃଶଂସ ଭାବେ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। କାହରି କ୍ଷତି ନଘଟାଇବା ହାତୀଟି ମାନବିକତାର ପରିଚୟ ଦେଇଥିବା ସହ ମଣିଷ ଉପରେ ବିଶ୍ବାସ କରି ନିଜର ଏବଂ ଗର୍ଭରେ ଧରିଥିବା ଛୁଆର ପ୍ରାଣବଳୀ ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିପକାଇଛି। ଏହି ଘଟଣା ପରେ ସାରା ଦେଶରେ ରହିଥିବା ନିରୀହ ହାତୀ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ସମୟରେ ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ତ‌ କେତେବେଳେ ହାତୀ ଦାନ୍ତ ପାଇଁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ‌ହୁଅନ୍ତି ଗଜରାଜ। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ‌ ଘଞ୍ଚ ଜଙ୍ଗଲ ପାଇଁ ବେଶ୍‌ ପରିଚିତି ଲାଭ କରିଛି।

ଯାହାଦ୍ବାରା ହାତୀ ମାନଙ୍କ ଚଳପ୍ରଚଳ ମଧ୍ୟ ସ୍ୱାଭାବିକ ଭାବରେ ଏଠାରେ ରହିଛି। ଗତକାଲି ସୁଦ୍ଧା ଏହି ବନଖଣ୍ଡରେ ୩୬ଟି ହାତୀ ରହିଥିବା ଜଣାପଡିଛି। ସେଥି ମଧ୍ୟରୁ ତାରିସିଂ ବନାଞ୍ଚଳରେ ୧୫ ଟି,ଜଗନ୍ନାଥପ୍ରସାଦ ବନାଞ୍ଚଳରେ ୧୩ ଟି ଏବଂ ମୁଜାଗଡ ବନାଞ୍ଚଳରେ ୮ ଟି ହାତୀ ରହିଛନ୍ତି। ହାତୀ ମୃତ୍ୟୁ‌ ଦେଶରେ ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ମୃତ୍ୟୁ ହାର ରୋକିବା ଓ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ବିଭିନ୍ନ ସମୟରେ ସମନ୍ବୟ ବୈଠକମାନ କରାଯାଉଛି। ତେବେ ହାତୀ ମୃତ୍ୟୁ ଘଟଣା ଘଟିଲେ ବିଭାଗ ହାତୀ ମାନଙ୍କ ସୁରକ୍ଷା ପାଇଁ କେତେ ସଜାଗ ଅଛି ତାହା ଜଣାପଡୁଛି। ଗତ ତିନି ବର୍ଷ ମଧ୍ୟରେ ୪ଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ହାତୀଙ୍କ ସୁରକ୍ଷା ପାଇଁ ପ୍ରତିଦିନ ବନ ବିଭାଗ କର୍ମଚାରୀ ମାନେ ଜଙ୍ଗଲରେ ଟ୍ରାକି୍ଂ କରୁଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ସୁଚନା ଦେଇଛନ୍ତି। ବନଖଣ୍ଡରେ ହାତୀ ସୁରକ୍ଷିତ ରହିଥିବା ବେଳେ ଶିକାରୀମାନଙ୍କ ଉପସ୍ଥିତି ଜମା ନଥିବା ସେ କହିଛନ୍ତି।

ଜଙ୍ଗଲ ଜନ୍ତୁ ଶିକାର ପାଇଁ ବେଆଇନ୍‌ ହୁକିଂ,ହାତୀଙ୍କ ଗତିପଥ ଉପରେ ନଜର,ପିଇବା ପାଣି ବ୍ୟବସ୍ଥା ସଂର୍ପକରେ ପ୍ରତିଦିନ ଟିକିନିଖି ତଥ୍ୟ ସଂଗ୍ରହ କରାଯିବା ସହ ପ୍ରତି ସପ୍ତାହରେ ରେଞ୍ଜ ଏବଂ ପ୍ରତି ୧୫ ଦିନରେ ଡିଭିଜନ କାର୍ଯ୍ୟାଳୟରେ ସମୀକ୍ଷା କରାଯାଉଥିବା ଡିଏଫ୍‌ଓ ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଥାଉ କି ୨୦୧୭ ମସିହା ଜୁଲାଇ ମାସରେ ତାରାସିଂ ବନାଞ୍ଚଳରେ ମାଣପୁର ଗ୍ରାମ ନିକଟରେ ୭ ମାସର ମାଇ ଛୁଆର ମୃତ ଦେହ ମିଳିଥିଲା। ମା’ ହାତୀ ଛୁଆକୁ ଛାଡି ପଳାଇଥିବାବେଳେ ତାର ମୃତ୍ୟୁ ହୋଇଯାଇଥିବା ନେଇ ଜଣାପଡିଥିଲା। ଏହାପରେ ପୁଣି ୨୦୧୮ ମସିହା ଡିସେମ୍ବର ମାସରେ ଏହି ବନାଞ୍ଚଳର ବାରଦଣ୍ଡା ଗ୍ରାମ ନିକଟସ୍ଥ ନଦୀ କୂଳରେ ୪୦ ବର୍ଷୀୟ ଗୋଟିଏ ଦନ୍ତା ହାତୀର ମୃତ ଦେହ ମିଳିଥିଲା। ଯାହାକି ରୋଗରେ ପିଡିତ ହୋଇ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି ।

ଏହାପରେ ଗତବର୍ଷ ଡିସେମ୍ବର ମାସରେ କଳିଙ୍ଗପଦରରେ ଶରୀରରେ ରକ୍ତସ୍ରାବ ଯୋଗୁଁ ହାତୀର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଗତ ଫେବୃୟାରୀ ମାସରେ ବଡଗୁଣ୍ଡୁରିବାଡି ନିକଟସ୍ଥ ଆମ୍ବଝରା ଜଙ୍ଗଲରୁ ଗଳିତ ଅବସ୍ଥାରେ ଗୋଟିଏ ହାତୀର ମୃତ ଦେହ ମିଳିଥିଲା‌। ଅନେକ ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହେଉଥିବା ବେଳେ କିଛି ସମୟରେ ନିଜ ଭିତରେ ଗଣ୍ଡଗୋଳ କରି ତ‌ କେତେବେଳେ ରୋଗଗ୍ରସ୍ତ ହୋଇ ହାତୀ ମାନଙ୍କ ପ୍ରାଣହାନୀ ହେଉଛି। ଉତ୍ତର ଘୁମୁସର ବନଖଣ୍ଡରେ ତିନି ବର୍ଷରେ ୪ଟି ‌ହାତୀ ସମେତ ଗତ ୨୦୦୯ ମସିହାଠାରୁ ଆଜି ପର୍ଯ୍ୟନ୍ତ ୧୨ ବର୍ଷରେ ମୋଟ ୧୯ ଗୋଟି ହାତୀଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର