ସମ୍ବଲପୁର ଜିଲ୍ଲାରେ ୬ ଦିନ ମଧ୍ୟରେ ଦ୍ୱିତୀୟ ହାତୀ ମୃତ୍ୟୁ : ରାଉରକେଲା ଇଣ୍ଟରସିଟି ଟ୍ରେନ୍‌ ଧକ୍କାରେ ଦନ୍ତା ମୃତ

ଯୁଯୁମୁରା : ସମ୍ବଲପୁର-ଅନୁଗୁଳ ରେଳପଥର ଯୁଯୁମୁରା ଥାନା ଗଡ଼ଗଡ଼ବାହାଲ ରେଳ ଓଭରବ୍ରିଜ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଉରକେଲା ଇଣ୍ଟରସିଟି ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଟ୍ରେନ୍‌ ଧକ୍କାରେ ହାତୀଟିର ଶରୀର ରେଳ ଧାରଣାରେ ଘସି ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଥିବା ସମୟରେ୨ଟି ଯାକ ପଛଗୋଡ଼, ଅଣ୍ଟା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସମ୍ବଲପୁର ଡିଏଫ୍‌ଓ ଡ.ସଞ୍ଜିତ କୁମାର, ଏସିଏଫ ମଦନଲାଲ୍‌ ଶର୍ମା, ସଦର ରେଞ୍ଜର ଗୌରୀଶଙ୍କର ଦାଶ, ଭୀମଖୋଜ ଫରେଷ୍ଟର କୁଳମଣି ପାଣିଗ୍ରାହୀ ଓ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହି ଅଞ୍ଚଳରେ ଏକ ୧୨ ଟିକିଆ ହାତୀପଲ କିଛି ଦିନ ହେବ ବୁଲୁଥିବା ସମୟରେ ହାତୀମାନେ ପାଣି ପିଇ ଫେରିବା ବେଳେ ଟ୍ରେନ୍‌ ଧକ୍କା ଦେଇଥିବା ଆଶଙ୍କା କରାଯାଉଛି। ତେବେ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଛି, ରେଳବାଇ ନା ବନବିଭାଗର ତ୍ରୁଟି ରହିଛି ସେନେଇ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ରବିବାର ସକାଳୁ ମୃତ ଦନ୍ତାହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସମ୍ବଲପୁର ଡିଏଫ୍‌ଓ ଡ.ସଞ୍ଜିତ କୁମାର ସୂଚନା ଦେଇଛନ୍ତି। ସେପଟେ, ଘଟଣା ସମୟରେ କେଉଁମାନେ ରେଳ ଧାରଣା ନିକଟରେ ରହିଥିଲେ, ଦୁର୍ଘଟଣାକୁ ସେମାନେ ଦେଖିଥିଲେ ନା ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଥିବା ସମୟରେ ଆଗକୁ ଯେଭଳି ଏହି ଘଟଣାର ପୁନରାବୃତି ନଘଟେ ସେଥିପାଇଁ ଯୁଯୁମୁରାରୁ ମାନେଶ୍ବର ମଧ୍ୟରେ ଆବଶ୍ୟକୀୟ ସତର୍କତା ଗ୍ରହଣ କରାଯାଉଥିବା ଡ.କୁମାର କହିଛନ୍ତି।

ଶନିବାରର ଘଟଣାକୁ ମିଶାଇ ୬ ଦିନ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ଦୁଇଟି ଦନ୍ତାହାତୀଙ୍କର ଜୀବନ ଗଲାଣି। ଗତ ୩୦ ତାରିଖରେ ଧମା ରେଞ୍ଜ ବସିଆପଡ଼ା ସେକ୍ସନ ଯାଦୁଲୋଇସିଂରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ୩ ଦିନ ତଳେ ଏହି ରାଉରକେଲା ଇଣ୍ଟରସିଟି ଧକ୍କାରେ ଢେଙ୍କାନାଳରେ ୨୦ ମଇଁଷିଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର