ରାଜଗାଙ୍ଗପୁର/ଗଡ଼ପୋଷ: ଗୁରୁବାର ଭୋର ସମୟରେ ରାଜଗାଙ୍ଗପୁରରୁ ୧୫ କିମି ଦୂର ସୁନାଖାନ ଜଙ୍ଗଲ ନିକଟରେ ଧାନବାଦ-ଭୁବନେଶ୍ବର ସ୍ପେସାଲ୍‌ ଟ୍ରେନ୍‌ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ଆନୁମାନିକ ବୟସ ୪୦ରୁ ୪୫ ବର୍ଷ ଭିତରେ ହେବ। ଆଜି ସକାଳେ ହାତୀ ରେଳଲାଇନ୍‌ ପାର ହେବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନ୍ ଧକ୍କା ଦେଇଥିଲା। ହାତୀର ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ରେଳ ବିଭାଗ ଓ ବନ ବିଭାଗ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଅପ୍ ଓ ଡାଉନ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ କରି ତୃତୀୟ ଲାଇନ୍‌ରେ ଛଡ଼ା ଯାଇଥିଲା। ସକାଳ ପ୍ରାୟ ୬ଟାବେଳକୁ ଡାକ୍ତରୀ ଦଳ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ସକାଳ ୬ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚିକିତ୍ସା ସମୟରେ ହାତୀଟି ମଝିରେ ମଝିରେ ଉଠିବାକୁ ଚେଷ୍ଟା କରୁଥିଲା। ବାମଗୋଡ଼ ଆଘାତପ୍ରାପ୍ତ ହୋଇଥିବାରୁ ରେଳ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ହାତୀକୁ ଭୁବନେଶ୍ବର ନେବା ପାଇଁ ଉଦ୍ୟମ କରାଯିବା ସମୟରେ ସାଗରା ଜଙ୍ଗଲ ନିକଟରେ ତାର ମୃତ୍ୟୁ ହୋଇ ଯାଇଥିଲା। ସେହିଠାରେ ଗାତ ଖୋଳି ହାତୀକୁ ପୋତି ଦିଆଯାଇଥିଲା। 

Advertisment

ରାଉରକେଲା ସିସିଏଫ୍‌ ପି. ରାମସ୍ବାମୀଙ୍କ କହିବା ଅନୁଯାୟୀ ଜଙ୍ଗଲ ବିଭାଗ ପ୍ରତିଥର ରେଳବିଭାଗକୁ ହାତୀ ଚଲାପଥ ବିଷୟରେ ସାବଧାନ କରିଥାନ୍ତି। ହାତୀଟି ନିକଟରେ ଥିବାରୁ ଜଙ୍ଗଲ ବିଭାଗ ପୂର୍ବରୁ ଅବଗତ ମଧ୍ୟ କରିଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ୩ କୋଟି ଟଙ୍କାରେ ଏଆଇ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାରେ ରେଳଧାରଣା ନିକଟରେ ହାତୀ ଚଳାଚଳ ଉପରେ ନଜର ରଖାଯିବା ସହ ସବୁଦିନ ରେଳ ବିଭାଗକୁ ସୂଚନା ଦିଆଯାଇଥାଏ। ଅନ୍ୟପକ୍ଷରେ ରେଳବିଭାଗ ଅଧିକାରୀଙ୍କ କହିବାନୁଯାୟୀ ଏହି ସେକ୍ସନ୍‌ରେ ହାତୀ ଚଳାଚଳ କରୁଥିବାରୁ ଟ୍ରେନ୍‌ ଗତି ଘଣ୍ଟା ପ୍ରତି ୪୦ କିମି ରଖାଯାଇଥିଲା।