ଅସ୍ତ୍ରୋପଚାର ଦିନକ ପରେ ଦନ୍ତାର ମୃତ୍ୟୁ

ବେତନଟୀ/ବୈଶିଙ୍ଗା : ଗୋଡ଼ରେ ଅସ୍ତ୍ରୋପଚାରର ଦିନକ ପରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ଚିକିତ୍ସାଧୀନ ଦନ୍ତାହାତୀର ମୃତ୍ୟୁ ଘଟିଛି। ଚିକିତ୍ସାରେ ବିଳମ୍ବ ଓ ବନ ବିଭାଗର ଅବହେଳା ପାଇଁ ହାତୀର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ବ୍ୟବଚ୍ଛେଦ ପରେ ମୃତହାତୀକୁ ସୋମବାର ଦିନ ଜଙ୍ଗଲରେ ପୋତି ଦିଆଯାଇଛି।

ଶିକାରୀଙ୍କ ଫାଶରେ ପଡ଼ିଥିଲା, ଗୋଡ଼ରେ ଗଭୀର କ୍ଷତ ହୋଇଥିଲା
ଚିକିତ୍ସାରେ ବିଳମ୍ବ ଯୋଗୁଁ ହୋଇଗଲା ସେପ୍‌ଟିସେମିଆ!

ସୂଚନା ଥାଉକି, ଏହି ବିଶାଳ ଦନ୍ତାହାତୀଟି ଗତ କିଛିଦିନ ହେଲା ଗୋଠଛଡ଼ା ହୋଇ ବେତନଟୀ ବ୍ଲକ୍‌ର ଡୁମାପଦା, ଖଡ଼ିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ଏକୁଟିଆ ବୁଲୁଥିଲା। ମସିଣାକାଟି ଜଙ୍ଗଲରେ ବିଚରଣ ସମୟରେ ଜନ୍ତୁ ଶିକାର ପାଇଁ ଶିକାରୀ ବସାଇଥିବା ମୋଟା ପ୍ଲାଷ୍ଟିକ ଦଉଡ଼ି ଫାଶରେ ଦନ୍ତାର ବାମପଟ ଆଗ ଗୋଡ଼ ଛନ୍ଦି ହୋଇ ଗଭୀର କ୍ଷତ ସୃଷ୍ଟି ହେବା ସହିତ ସେଥିରୁ ରକ୍ତସ୍ରାବ ହୋଇଥିଲା। ଅସହ୍ୟ ଯନ୍ତ୍ରଣା କାରଣରୁ ହାତୀଟି ସ୍ୱାଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲେ ମଧ୍ୟ ଏ ସମ୍ପର୍କରେ କିଛି ଜାଣି ପାରିନଥିଲା ବନ ବିଭାଗ। ତେବେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁଥିବା ମୋବାଇଲ୍‌ ସ୍କ୍ବାଡ୍‌ ଜାଣିବା ପରେ ଅସୁସ୍ଥ ଦନ୍ତାକୁ ଗତକାଲି ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଚେତାଶୂନ୍ୟ ହେବା ପରେ ୪ ଜଣ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡା. ବ୍ରଜରାଜ, ଡା. ରୁଦ୍ରନାରାୟଣ ମହାପାତ୍ର, ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡା. ପିୟୁଷ ସୋରେନ୍‌ ୪ ଘଣ୍ଟା ଧରି ହାତୀର କ୍ଷତ ସ୍ଥାନରେ ଅସ୍ତ୍ରୋପଚାର କରିଥିଲେ। ତେବେ ଚିକିତ୍ସାକୁ ୨୪ ଘଣ୍ଟା ନପୂରୁଣୁ ଦନ୍ତାର ମୃତ୍ୟୁ ଘଟିଛି।

ସୋମବାର ସକାଳେ ମୃତହାତୀର ବ୍ୟବଚ୍ଛେଦ କରିବା ସହିତ ପରୀକ୍ଷା ପାଇଁ ତା’ ଦେହାବଶେଷରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି। ମୃତ ଦନ୍ତାର ବୟସ ୩୫ରୁ ୪୦ ବର୍ଷ ହେବ। ଚିକିତ୍ସାରେ ବିଳମ୍ବ ପାଇଁ କ୍ଷତସ୍ଥାନ ସଂକ୍ରମିତ (ସେପ୍‌ଟିସେମିଆ) ହୋଇଯିବାରୁ ତାର ମୃତ୍ୟୁ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର