କେନ୍ଦୁଝର : କେନ୍ଦୁଝର ବନାଞ୍ଚଳ ନରଣପୁର ସେକ୍ସନର ନେଙ୍କଡ଼ାଘର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ଡିଏଫ୍ଓ ଏଚ୍ଡି ଧନରାଜ ପ୍ରକାଶ କରିଛନ୍ତି।
ପ୍ରାପ୍ତ ସୂଚାନା ଅନୁଯାୟୀ, ନରଣପୁର ସେକ୍ସନରେ ସପ୍ତାହେ ହେଲା ୧୮ଟି ହାତୀ ବୁଲୁଥିଲେ। ଏଥିରେ ୧୦ଟି ମାଈହାତୀ, ୪ଟି ଦନ୍ତା ଓ ୪ଟି ଛୁଆହାତୀ ଥିଲେ। ଗତକାଲି ରାତିରେ ହାତୀପଲ ନେଙ୍କଡ଼ାଘର ସଂରକ୍ଷିତ ଜଙ୍ଗଲ ଦେଇ ଯାଉଥିବା ବେଳେ ଗୋଟିଏ ମାଈହାତୀ ୩୩ କେଭି ଇଲେକ୍ଟ୍ରି ଖୁଣ୍ଟରେ ଘସି ହୋଇଯାଇଥିଲା। ଫଳରେ ଇଲେକ୍ଟ୍ରି ଖୁଣ୍ଟରେ ଲାଗିଥିବା ଇନ୍ସୁଲେଟର ଭାଙ୍ଗି ଖୁଣ୍ଟରେ କରେଣ୍ଟ ଚାର୍ଜ ହୋଇ ଯାଇଥିଲା। ଫଳରେ ହାତୀଟିର ମୃତ୍ୟୁ ଘଟିଥିବା ଡିଏଫଓ ଶ୍ରୀ ଧନରାଜ ପ୍ରକାଶ କରିଛନ୍ତି।
ଏହି ଅଞ୍ଚଳ ହାତୀଙ୍କ ପାଇଁ ବେଶ ସୁରକ୍ଷିତ ଅଟେ। ପୂର୍ବରୁ ଏଠାରେ ଏପରି ଘଟଣା କେବେ ଘଟି ନଥିଲା। ଯଦି ବିଦ୍ୟୁତ୍ ବିଭାଗ ହାତୀ ଚଳାଚଳ କରୁଥିବା ଅଞ୍ଚଳର ବିଦ୍ୟୁତ୍ ଖୁଣ୍ଟରେ କଣ୍ଟାତାର ବାନ୍ଧିଥାନ୍ତା, ତେବେ ଏପରି ଅଘଟଣ ଘଟି ନଥାନ୍ତା ବୋଲି ଶ୍ରୀ ଧନରାଜ କହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଛି। ଡିଏଫ୍ଓ ଶ୍ରୀ ଧନରାଜଙ୍କ ସହ ଆର୍ସିସିଏଫ୍ ଅରୁଣ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କେନ୍ଦୁଝର ଜିଲ୍ଲାର ପାଟଣା ଓ ଘଟଗାଁ ରେଞ୍ଜକୁ ଛାଡ଼ିଦେଲେ ଅନ୍ୟ ୭ଟି ରେଞ୍ଜରେ ୧୪୦ଟି ହାତୀ ଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।
ଏହାକୁ ମିଶାଇ ଚଳିତ ବର୍ଷ ୫ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୭ ବର୍ଷରେ କେନ୍ଦୁଝର ଜିଲ୍ଲାରେ ୨୯ଟି ହାତୀର ମୃତ୍ୟୁ ଘଟିଛି। ୨୦୧୫-୧୬ରେ ଗୋଟିଏ ୬ଟି, ୨୦୧୭-୧୮ରେ ତେଲକୋଇ ଓ କେନ୍ଦୁଝର ବନାଞ୍ଚଳରୁ ଗୋଟିଏ ଲେଖାଏଁ ମୋଟ ଦୁଇଟି, ୨୦୧୮-୧୯ରେ ଗୋଟିଏ ଛୁଆ, ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ମୋଟ ୩ଟି, ୨୦୧୯-୨୦ରେ ଦୁଇଟି ଛୁଆହାତୀ ସମେତ ମୋଟ ୬ଟି ହାତୀ, ୨୦୨୦-୨୧ରେ ୨ ଛୁଆହାତୀ ସମେତ ମୋଟ ୭ଟି ଏବଂ ୨୦୨୧-୨୨ ମସିହାର ୫ଟି ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।