ନୀଳଗିରି : ବାଲେଶ୍ବର କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ହାତିଖୋଲିଆ ବିଟ୍‌ରେ ପୁଣି ଏକ ହାତୀର ଜୀବନ ଯାଇଥିବା ଖବର ମିଳିଛି। ସୂଚନା ଅନୁସାରେ; ମାସେ ହେଲା ଅଭୟାରଣ୍ୟରେ ଗୋଟିଏ ମାଈହାତୀର ପଛପଟ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ବନ ବିଭାଗ ତାର ଚିକିତ୍ସା ଚଳାଇଥିବା ବେଳେ ପରବର୍ତ୍ତୀ ସମୟରେ ହାତୀର ଗୋଡ଼ ପଚିବା ସହ ସେଥିରୁ ମାଂସ ଖସିବାକୁ ଲାଗିଥିଲା। ଏପରି ସମୟରେ ଆଜି ହାତୀଟିର ମୃତ୍ୟୁ ଘଟିଥିବା କୁଲଡିହା ଅଭୟାରଣ୍ୟର ଡିଏଫ୍‌ଓ ଖୁସୱନ୍ତ ସିଂହ ସୂଚନା ଦେଇଛନ୍ତି।

Advertisment

କିଛିଦିନ ତଳେ ଅସୁସ୍ଥ ହାତୀଟିର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଓ ସେ ଠିକ୍‌ ଭାବେ ଚଲାବୁଲା କରିପାରୁଛି ବୋଲି ଡିଏଫ୍‌ଓ ଶ୍ରୀ ସିଂହ ଗଣମାଧ୍ୟମକୁ କହିଥିଲେ। ହେଲେ ହଠାତ୍‌ ହାତୀଟିର ମୃତ୍ୟୁ କାହିଁକି ଓ କେମିତି ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଥାଉକି, ଗୋଟିଏ ବର୍ଷ ଭିତରେ କୁଲଡ଼ିହା ଅଭୟାରଣ୍ୟରେ ବିଭିନ୍ନ କାରଣରୁ ୯ଟି ହାତୀଙ୍କର ମୃତ୍ୟୁ ଘଟିଲାଣି। ଯାହାକୁ ନେଇ ବନ୍ୟଜନ୍ତୁପ୍ରେମୀ ଚିନ୍ତା ପ୍ରକଟ କରିବା ସହ ବିପଦରେ ଥିବା କୁଲଡ଼ିହା ହାତୀବଂଶଙ୍କ ସୁରକ୍ଷା ପାଇଁ ସରକାର ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠାଇଛନ୍ତି।