ସମ୍ବଲପୁର : ସଦର ରେଞ୍ଜରେ ଦନ୍ତା ହାତୀ ‘ଡନ’ ନିଜ ଉପଦ୍ରବ ଜାରି ରଖି ବୁଧବାର ସଂଧ୍ୟା ସାଢ଼େ ୬ଟା ବେଳେ ଝାଙ୍କରପାଲି ସେକ୍ସନ ଖଏରାପଡ଼ାର କାଳିଆ ନାଏକଙ୍କ ଘର ଭାଙ୍ଗି ଦେଇଛି ଓ ଗଚ୍ଛିତ ଚାଉଳକୁ ଫିଙ୍ଗି ଫୋଫାଡ଼ି ନଷ୍ଟ କରି ଦେଇଛି । ଖବର ପାଇ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ଦନ୍ତା ‘ଡନ’କୁ ଘଉଡ଼ାଇ ଥିଲେ। ତେବେ ଗ୍ରାମବାସୀ ସୁରକ୍ଷା ଦୃଷ୍ଟିରୁ ଗାଡ଼ି ସହ ବନ କର୍ମଚାରୀଙ୍କୁ କିଛି ସମୟ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

Advertisment

ଏ ସଂପର୍କରେ ଏସିଏଫ୍‌ ମଦନ ଲାଲ ଶର୍ମାଙ୍କୁ ପଚାରିବାରେ ସେ ଅଟକ ଘଟଣାକୁ ସ୍ୱୀକାର କରିଥିଲେ। ସଦର ରେଞ୍ଜରଙ୍କୁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବାକୁ କହା ଯାଇଥିବା କହିଥିଲେ। ହେଲେ ରାତି ଯାଏ ସଦର ରେଞ୍ଜରଙ୍କ ଦେଖା ନଥିଲା। ଖଏରାପଡ଼ାରୁ ଡନ ଜାତୀୟ ରାଜପଥଠୁ ଅଳ୍ପ ଦୂତାରେ ଚାଲିଚାଲି ଯାଇ ମାରବାଡ଼ିବନ୍ଧ ଗାଁ ସମ୍ମୁଖରେ ରାସ୍ତାର ଖୁବ୍‌ ନିକଟରେ ପହଞ୍ଚି ଯାଇଥିଲା। ଏହି ସମୟରେ ଗ୍ରାମବାସୀ ଓ ବନ ବିଭାଗ ବାଣ (ଫଟକା) ଫଟାଇ ଡନ୍‌କୁ ଘଉଡ଼ାଇବା ପ୍ରୟାସ କରିଥିଲେ। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଅଟକି ହାତୀର ଭିଡିଓ ଉତ୍ତୋଳନ କରି ମଜା ଉଠାଉ ଥିବା ଦେଖା ଯାଇଥିଲା। ଅନ୍ୟ ପଟେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀର ଗତି ଉପରେ ନଜର ରଖିଛି। ବିଭାଗ ପକ୍ଷରୁ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଓ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ଦେବକୁ ଗ୍ରାମବାସୀ ଦାବି କରିଛନ୍ତି।