ବେତନଟୀ : ଗାଁରେ ପଶିଲା ଦନ୍ତା ହାତୀ

ବେତନଟୀ : ବେତନଟୀ ରେଞ୍ଜର ବୈଶିଙ୍ଗା ବନପାଳ କ୍ଷେତ୍ରର ବର୍ତ୍ତନା ରିଜର୍ଭରେ ଥିବା ବିଶାଳ ଝାଡଖଣ୍ତୀ ଦନ୍ତାହାତୀଟି ଗତକାଲି ଜାତୀୟ ରାଜପଥ ଓ ରେଳ ଧାରଣା ଡେଇଁ ନଡ଼ପୁର ହୋଇ ବୁଢ଼ାବଳଙ୍ଗ ନଦୀ ପାର୍‌ ହୋଇଥିଲା। ହାତୀଟି ନୀଳଗିରି ମୁହାଁ ହୋଇଥିଲା କିନ୍ତୁ ବାଟରୁ ପୁଣି ବର୍ତ୍ତନାକୁ ଫେରି ଆସିଥିଲା। ଆଜି ସକାଳେ ଆଖପାଖ ଗାଁରେ ପଶି ଆତଙ୍କ ଖେଳାଇଥିଲା ଏହି ଦନ୍ତା। ଗାଁ ରାସ୍ତାରେ ହାତୀକୁ ଦେଖି ଲୋକେ ତାଟିକବାଟ ପକାଇ ଦେଇଥିଲେ। ବାହାରେ ଥିବା ଲୋ‌କେ ଯେ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ବର୍ତ୍ତନା, ଆଳଦିଆ, ବୖଦପୁର, ନିମୁଆ ଆଦି ଗାଁରେ ପଶିଥିଲା ହାତୀ।

ତେବେ ବିଶେଷ କ୍ଷତି ନକରି ଗାଁ ଭିତରୁ ବାହାରି ଯାଇଥିଲା। ଏବେ ଚାଷ ଜମିରେ ଧାନ ସବୁ ଖଳାକୁ ଚାଲିଗଲାଣି। ତେଣୁ ଖାଦ୍ୟ ଅନ୍ବେଷଣରେ ହାତୀ ଗାଁ ମୁହାଁ ହେଉଥିବା କହିଛି ବନବିଭାଗ। ପୁଣି ପ୍ରଥମାଷ୍ଟମୀ ଯୋଗୁ ଗାଁମାନଙ୍କରେ ଉତ୍ସବର ମାହୋଲ। ଆଦିବାସୀ ଅଧ୍ୟୁଷିତ ଗାଁ ଗଣ୍ଡାରେ ମଦ, ହାଣ୍ତିଆର ଆସର। ଏହି ହାଣ୍ତିଆ ଓ ମଦ ବାସ୍ନା ମଧ୍ୟ ହାତୀଙ୍କୁ ଆକର୍ଷିତ କରିପାରେ ବୋଲି କୁହାଯାଉଛି। ସେପଟେ ବଡ଼ାମପୁର ରିଜର୍ଭରେ ଥିବା ଏକ ଦନ୍ତା ଓ କୃଷ୍ଣଚନ୍ଦ୍ରପୁର ବନପାଳ କ୍ଷେତ୍ରର ଡୁମାପଦାରେ ଥିବା ଦୁଇଟି ହାତୀଙ୍କ ପାଇଁ ଚିନ୍ତାରେ ପଡ଼ିଛି ବନବିଭାଗ।

ସମ୍ବନ୍ଧିତ ଖବର