ବେତନଟୀ ସଦର: ଜଙ୍ଗଲ ନଷ୍ଟ ତଥା ଜଙ୍ଗଲରେ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବା ଯୋଗୁଁ ଜଙ୍ଗଲୀ ହାତୀ ସବୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ତେବେ ବର୍ଷ ତମାମ ବେତନଟୀ ରେଞ୍ଜ ଅଧୀନ ବିଭିନ୍ନ ଜଙ୍ଗଲରେ ଏକାଧିକ ହାତୀ ବର୍ଷ ସାରା ଉପଦ୍ରଵ କରୁଥିବାର ଦେଖିବାକୁ ମିଳୁଛି। ସେହିଭଳି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଶତାଧିକ ଗ୍ରାମାଞ୍ଚଳରେ ମଧ୍ୟ ଆତଙ୍କ ଖେଳାଉଛନ୍ତି ହାତୀ ପଲ। ଘରଦ୍ୱାର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରିବା ଏବେ ବେତନଟୀ ରେଞ୍ଜରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି।
ତେବେ କିଛିଦିନ ଧରି ବେତନଟୀ ରେଞ୍ଜର ବୈଶିଙ୍ଗା ସେକ୍ସନ ଅଧୀନ ମୋହନପୁର ଜଙ୍ଗଲରେ ୩ଦନ୍ତା ଆତଙ୍କ ଖେଳାଉ ଥିବାର ଦେଖିବାକୁ ମିଳୁଥିଲା। ୨ଦିନ ହେବ ସେଥି ମଧ୍ୟରୁ ୨ଦନ୍ତା ନୀଳଗିରି ପଟକୁ ଚାଲି ଯାଇଥିବାବେଳେ ଅନ୍ୟ ଗୋଟିଏ ଉକ୍ତ ଜଙ୍ଗଲରେ ରହିଯାଇଛି। ତେବେ ଏହି ଦନ୍ତା ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଦ ହଜାଇ ଦେଉଛି। ବୁଢ଼ାବଳଙ୍ଗ ନଦୀ ପଠାରେ ଥିବା ଗ୍ରାମ ଗୁଡିକରୁ ପାଚିଲା ଆମ୍ବ ଓ ପଣସର ବାସ୍ନା ପାଇ ଗାଁରେ ପଶୁଛି ଓ ଘର ଭାଙ୍ଗିବା ସହିତ ବାଡ଼ିରେ ଗଛପତ୍ର ମଧ୍ୟ ନଷ୍ଟ କରୁଛି। ଅଧିକାଂଶ ଲୋକଙ୍କ କଚା ଘର ଥିବାରୁ ଆତଙ୍କିତ ମାଟି ଘରେ ରହିବାକୁ ଭୟ କରୁଛନ୍ତି।
ହାତୀପଲ ଗ୍ରାମକୁ ପଶି ଘର ଭାଙ୍ଗିବା ଓ ଧନଜୀବନ ନଷ୍ଟ କରିବା ପ୍ରାୟ ପ୍ରତ୍ୟେକ ଦିନ ଦେଖାଯାଉଛି। ହାତୀଙ୍କୁ ଘଉଡ଼ାଇବା ପାଇଁ ଦିନରାତି ଏକ କରିଦେଇଥିବା ବନବିଭାଗ ଗୁରୁବାର କିନ୍ତୁ ଘଉଡ଼ାଇବାରେ ବିଫଳ ହୋଇଛି। ଆଜି ସକାଳେ ସ୍ପଷ୍ଟ ଦିବାଲୋକରେ ହାତୀଟି ଶଙ୍କରପୁର ଗାଁ ଦାଣ୍ଡରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଫଳରେ ଭୟରେ ସ୍ଥାନୀୟ ଲୋକଙ୍କ ଘରର ତାଟି କବାଟ ପଡିଯାଇଥିଲା। ହେଲେ ହାତୀ ଦେଖିବା ପାଇଁ କିଛି ଅମାନିଆ ଫୋଟ ଉଠାଉଥିବାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ କି ଶଙ୍କରପୁର ଗ୍ରାମର ବଂଶୀ ଧର ମହାନ୍ତି ନିଜର ଚାଷ ଜମିକୁ ହାତୀ କବଳ ରୁ ରକ୍ଷା କରିବାକୁ ଯାଇ ଗୁରୁତ୍ୱର ଭାବରେ ଆହତ ହୋଇ ଭୁବନେଶ୍ୱରରେ ଘରେଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକ ଏକତ୍ରିତ ହୋଇ ଘୋଉଡାଇବା ପରେ ହାତୀଟି ଦରକୋଇଲି, ଶଙ୍କରପୁର ପତୁକା ଶାସନ ଛୁଆପଦା ହୋଇ ଏବେ ବଡାମ ଜଙ୍ଗଲ ରେ ଥିବା ଜଣାପଡ଼ିଛି।