ମାଡ଼ି ଚାଲିଛି ହର୍ପିସ୍‌ ଭୂତାଣୁ : ନନ୍ଦନକାନନରୁ ଚନ୍ଦକାକୁ ଡେଇଁଲା ହର୍ପିସ୍!

୯ ବର୍ଷୀୟା ମାଈ ହାତୀ ଅସୁସ୍ଥ, ପରୀକ୍ଷା ପାଇଁ ପଠାଗଲା ରକ୍ତ ନମୁନା

ଭୁବନେଶ୍ବର/ବାରଙ୍ଗ : ମାଡ଼ି ଚାଲିଛି ହର୍ପିସ୍‌ ଭୂତାଣୁ। ୨୬ ଦିନରେ ଏହି ମାରାତ୍ମକ ଭୂତାଣୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ଟି ହାତୀଙ୍କ ଜୀବନ ନେଇଥିଲା। ଏବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଏକ ଅସୁସ୍ଥ ଜଙ୍ଗଲୀ ମାଈ ହାତୀର ସନ୍ଧାନ ମିଳିଛି, ଯିଏ କି ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ମଲା ପୂର୍ବରୁ ହାତୀ ଜୁଲି, ଚନ୍ଦନ, କମଳା ଓ ଗୌରୀଙ୍କ ଭଳି ଏହି ୯ ବର୍ଷୀୟ ଏହି ହାତୀ ନିକଟରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି।

ଅସୁସ୍ଥ ହାତୀଟିକୁ ଆଜି ଅଭୟାରଣ୍ୟକୁ ଲାଗି ରହିଥିବା ବାଆଁରା ପଞ୍ଚାୟତ କୂଅମଡ଼ା ଗ୍ରାମରେ ଠାବ କରାଯାଇଛି। ତା’ର ଚିକିତ୍ସା ଜାରି ରହିବା ସହ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଆସନ୍ତାକାଲି ରିପୋର୍ଟ ଆସିବା ପରେ ହାତୀଟି ହର୍ପିସ୍‌ ଭୂତାଣୁରେ ଆକ୍ରାନ୍ତ କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି ଚନ୍ଦକା-ଡମପଡ଼ା ଡିଏଫ୍‌ଓ କେଦାର ସ୍ବାଇଁ କହିଛନ୍ତି।

ସକାଳୁ ନିକଟସ୍ଥ ଗ୍ରାମର ଚାଷୀମାନେ କ୍ଷେତକୁ ଯିବା ସମୟରେ ଅସୁସ୍ଥ ହାତୀକୁ ଦେଖି ପାଇ ବନ ବିଭାଗକୁ ‌ଖବର ଦେଇଥିଲେ। ଡମପଡ଼ା ରେଞ୍ଜର ସଂଗ୍ରାମ କିଶୋର ମହାନ୍ତି କର୍ମଚାରୀ ଦଳ ସହ ସେଠାରେ ପହଞ୍ଚିଥିଲେ। ସ୍ଥିତି ଅନୁଧ୍ୟାନ ପରେ ଜଣାପଡ଼ିଥିଲା ଯେ ଗତକାଲି ଅୟୟାରଣ୍ୟ ଭିତରକୁ ଆସିଥିବା ୧୩ ଟିକିଆ ହାତୀପଲରୁ ଏହା ଗୋଟିଏ ହାତୀ। ବୟସ ପ୍ରାୟ ୯ବର୍ଷ ହେବ। ହାତୀଟି ଛଟପଟ ହେଉଥିବା ଦେଖି ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ଇଞ୍ଜେକ୍ସନ ଛୁଞ୍ଚି ବଙ୍କା ହେବା ସହ ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ଡିଏଫ୍ଓ ଶ୍ରୀ ସ୍ବାଇଁଙ୍କ ସମେତ ପିସିସିଏଫ୍‌(ବନ୍ୟପ୍ରା‌ଣୀ) ହରିଶଙ୍କର ଉପାଧ୍ୟାୟ, କେନ୍ଦ୍ରୀୟ ଚିଡ଼ିଆଖାନା ସଦସ୍ୟ ସମ୍ପାଦକ ଏସ୍.ପି ଯାଦବ, ଓୟୁଏଟି ଔଷଧ ବିଭାଗର ମୁଖ୍ୟ ପ୍ରଫେସର ଡ. ନିରଞ୍ଜନ ସହୁ ଆସି ପହଞ୍ଚିଥିଲେ। ପ୍ରଫେସର ସାହୁ ତୁରନ୍ତ ହାତୀ ଶରୀରର ଉତ୍ତାପ ମାପିଥିଲେ। ହାତୀର ସ୍ବାସ୍ଥ୍ୟ ଗୁରୁତର ହେବାରୁ ପ୍ରତିଷେଧକ ଇଞ୍ଜେକ୍ସନ, ସାଲାଇନ୍ ଦେଇ ଚିକିତ୍ସା ଜାରି ରଖିଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ହାତୀଟିର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ହାତୀଟି ଛଟପଟ ହେଉଛି, ଉଠିପାରୁନି। ପାଟି ମେଲା କରି ନିଶ୍ବାସ ନେଉଥିଲା। ଶୁଣ୍ଢ ହଲାଇ ପାରୁନଥିଲା। କେବଳ ପଛ ପାଖ ବାମ ଗୋଡ଼ ସାମାନ୍ୟ ହଲଚଲ କରୁଥିଲା। ନନ୍ଦନକାନନରେ ହର୍ପିସ୍‌ ଭୂତାଣୁରେ ମରିଥିବା ହାତୀ(ଜୁଲି, ଚନ୍ଦନ, କମଳା ଓ ଗୌରୀ)ଙ୍କ ଭଳି ତା’ ନିକଟରେ ଲକ୍ଷଣ ଦେଖାଦେଇଛି। ତେଣୁ ଏହି ୯ ବର୍ଷୀୟା ଜଙ୍ଗଲୀ ହାତୀ ହର୍ପିସ୍‌ ଭୂତାଣୁରେ ଆକ୍ରାନ୍ତ ହୋଇଥିବା‌ ଅନୁମାନ କରାଯାଉଛି।

ଯଦି ମାଈ ହାତୀଟି ହର୍ପିସ୍‌ ଭୂତା‌ଣୁରେ ଆକ୍ରନ୍ତ ହୋଇଥିବ, ତେ‌ବେ ରାଜ୍ୟର ହାତୀ ବଂଶ ଲାଗି ବିପଦ ସୃଷ୍ଟି ହେବ ବୋଲି କୁହାଯାଉଛି। କାରଣ ଦୁଇ ଦିନ ତଳେ ଆଠଗଡ଼ ଅଭୟାରଣ୍ୟରୁ ୧୩ ଟିକିଆ ହାତୀ ପଲ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଆସିଥିଲେ। ଏଥିରେ ଛୋଟ ହାତୀ ମଧ୍ୟ ଥିଲେ। ଯଦି ଏହି ହାତୀ ହର୍ପିସ୍‌ରେ ଆକ୍ରାନ୍ତ ହୋଇଥି‌ବେ, ଅନ୍ୟ ହାତୀ ପଲରେ ଥିବା ଆଉ କିଛି ହାତୀ ମଧ୍ୟ ଆକ୍ରାନ୍ତ ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଲାଗି ଖୋର୍ଧା, ଆଠଗଡ଼, ଢେଙ୍କାନାଳ, ଅନୁଗୁଳ, ରେଢାଖୋଲ ଜଙ୍ଗଲ ରହିଛି। ‌ହାତୀପଲ ପ୍ରତିଦିନ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ‌ଯାଉଥିବାରୁ ଭୂତାଣୁ ମଧ୍ୟ ଗୋଟିଏ ହାତୀଠାରୁ ଅନ୍ୟ ହାତୀମାନଙ୍କୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦ‌କ୍ଷେପ ନେବାକୁ ବନ୍ୟପ୍ରାଣୀ ବିଶେ‌ଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଅପରପକ୍ଷେ ଉତ୍ତରପ୍ରଦେଶର ବରେଲି ଓ ଆସାମରୁ ଆଜି ନନ୍ଦନକାନନର ମୃତ ୪ ହାତୀଙ୍କ ରକ୍ତନମୁନା ରି‌ପୋର୍ଟ ଆସିଛି। ଉକ୍ତ ୪ଟି ଯାକ ହାତୀ ହର୍ପିସ୍‌ରେ ଆକ୍ରାନ୍ତରେ ପ୍ରାଣ ହରାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର