କେନାଲରେ ପଡ଼ିଲା ଦନ୍ତା; ଜଗି ରହିଲେ ୩ ହାତୀ

କାମାକ୍ଷାନଗର : କେନାଲ ଭିତରେ ଖସି ପଡ଼ିଥିବା ଏକ ଦନ୍ତାହାତୀ ଦୀର୍ଘ ସମୟ ଧରି ବାହାରି ପାରିନଥିଲା। ତାକୁ ଆଉ ୩ଟି ହାତୀ ଜଗି ରହିଥିଲେ। ଫଳରେ କେନାଲ ପାଖ ରାଜପଥରେ ପ୍ରାୟ ୨ ଘଣ୍ଟା ଯାତାୟାତ ବନ୍ଦ ରହିଥିଲା।

ସୂଚନା ଅନୁଯାୟୀ, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ସେକ୍ସନ ଅନ୍ତର୍ଗତ ଶିଆରିମାଳିଆ ଛକ ନିକଟ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଆଜି ସକାଳ ପ୍ରାୟ ୬ଟା ବେଳେ ୩ଟି ହାତୀ ଚଲାବୁଲା କରୁଥିବା ଦେଖାଯାଇଥିଲା। ଲୋକେ ରାଜପଥରେ ଯାତାୟାତ କରିବା ପାଇଁ ଭୟ କରିଥିଲେ। ହାତୀ ସେଠାରୁ କାହିଁକି ଯାଉନାହାନ୍ତି, ବନ ବିଭାଗ ଅନୁଧ୍ୟାନ କରିବାରୁ କେନାଲ ଭିତରେ ଏକ ଦନ୍ତାହାତୀ ଖସିପଡ଼ିଥିବା ଦେଖାଯାଇଥିଲା। ହାତୀଟିର ବୟସ ପ୍ରାୟ ୨୦ ବର୍ଷ ହେବ। କେନାଲରୁ ବାହାରିବା ପାଇଁ ଦନ୍ତା ଯେତେ ଉଦ୍ୟମ କଲେ ମଧ୍ୟ ବାହାରି ପାରି ନଥିଲା। ତେଣୁ ରାସ୍ତା ଉପରେ ୩ଟି ମାଈହାତୀ ତାକୁ ଜଗି ରହିଥିଲେ। ଶେଷରେ ବନ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତାକୁ ଘଉଡ଼ି ନେବାରୁ ତାହା ଅପେକ୍ଷାକୃତ କମ୍‌ ତିଖ ସ୍ଥାନରେ କେନାଲରୁ ବାହାରିଥିଲା। ସକାଳ ପ୍ରାୟ ୮ଟାବେଳେ ୪ଟିଯାକ ହାତୀ ନିକଟ ଜଙ୍ଗଲକୁ ଚାଲି ଯାଇଥିଲେ। ଏହାପରେ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର