ଆଗରପଡ଼ାରେ ଚିନ୍ତା ବଢ଼ାଉଛି ଦନ୍ତା: ବନ ବିଭାଗ ନାକେଦମ୍‌

ଆଗରପଡ଼ା: ହଦଗଡ ଜଙ୍ଗଲରୁ ପଳାଇ ଆସିଥିବା ଦନ୍ତାହାତୀ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ କ୍ଷତି ଘଟାଇଛି। ଦନ୍ତା ହାତୀଟି ଗ୍ରାମବାସୀଙ୍କ ଆଖିରୁ ନିଦ ହଜାଇ ଦେଲାଣି। ଗତକାଲି ଗୋଟିଏ ଦନ୍ତା ହାତୀ ନିକଟସ୍ଥ ହଦଗଡ଼ ଜଙ୍ଗଲରୁ ପଳାଇ ଆସି ସୋସୋ, କାନପୁର, ପାଟକନା ଓ ରାଉତରାପୁର ଗ୍ରାମରେ ଆତଙ୍କ ଚଳାଇଛି। ରାତିରେ ସୋସୋ ତୋଟାରୁ ହାତୀ ବାହାରି ଆଗରପଡ଼ାସ୍ଥିତ ରାଉତରାପୁର, ପାଟକନା ଓ ଦନେଇପୁର ସାଳନ୍ଦୀ ନଦୀପଠା ଅଞ୍ଚଳରେ ବୁଲିବା ସହ ଲୋକଙ୍କର ପନିପରିବା କ୍ଷେତକୁ ଛାରଖାର କରୁଛି। ବର୍ତ୍ତମାନ ଶ୍ରୀରାମପୁର ଗ୍ରାମରେ ଦନ୍ତା ହାତୀଟି ରହିଛି। ଏହା ଦେଖି ଭୟରେ ଲୋକମାନେ ତାଟି କବାଟ ପକାଇବା ସହ ସନ୍ଧ୍ୟା ପରେ ବାହାରକୁ ବାହାରୁନାହାନ୍ତି।

ବନବିଭାଗ ରାତିସାରା ହାତୀକୁ ଜଗି ରହୁଛି। ହାତୀ ଘଉଡ଼ାଇବା ପାଇଁ ବିଭିନ୍ନ ତରିକା ଆପଣାଉଛି। ମାତ୍ର ହାତୀଟି ଗାଁର ପନିପରିବା କ୍ଷେତ ଛାଡି ଯାଉନାହିଁ। ଏହିସବୁ ଗ୍ରାମଗୁଡ଼ିକୁ ହାତୀ ବାରମ୍ବାର ପଶି ଆସୁଥିବାରୁ ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ବିଭାଗ ପକ୍ଷରୁ ସନ୍ଧ୍ୟାରୁ ବିଦ୍ୟୁତ ସରବାରାହ ବନ୍ଦ ରଖାଯାଇଛି। ଅସହ୍ୟ ଗରମରେ ଅନ୍ଧାର ରାତିରେ ଲୋକେ ନିଜକୁ ନିରାପଦ ମଣୁନାହାନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହଦଗଡ଼ ଅଭୟାରଣ୍ୟରେ ହାତୀ କରିଡ଼ର ନିର୍ମାଣ ପାଇଁ ବନ ବିଭାଗକୁ ବାରମ୍ବାର ନିବେଦନ କରାଯାଉଥିଲେ ବି ଏହା ସମ୍ଭବ ହୋଇପାରୁ ନାହିଁ। ବିଶେଷ ଭାବେ ଏହି ପ୍ରସ୍ତାବିତ କରିଡର ମଧ୍ୟରେ ବିଦ୍ୟୁତ ବିଭାଗର ଲାଇନ ତାର ଯାଇଥିବାରୁ ଏହା ହାତୀର ଜୀବନ ପ୍ରତି ବିପଦ ରହିଛି। ତେବେ ବାରମ୍ବାର ଦାବୀ ହେତୁ ପଢିଆରୀ ପଂଚାୟତ ହାତୀ ଚଲାପଥ ଘୋଷିତ ହୋଇଥିଲେ ବି ଏହାର ପ୍ରଭାବ ଜନସାଧାଣଙ୍କ ଉପରେ ପ୍ରଭାବ ପଡ଼ୁନାହିଁ। ତୁରନ୍ତ ବିଦ୍ୟୁତ ବିଭାଗ ଆବଶ୍ୟକ ବ୍ୟବସ୍ଥା କରିବାକୁ ଦାବି ଜୋର ଧରିଛି। ଭଦ୍ରକ ବନାଞ୍ଚଳ ଅଧିକାରୀ ରଞ୍ଜିତ ମହାନ୍ତିିଙ୍କ ନିର୍ଦ୍ଦେଶରେ ଅାଗରପଡ଼ା ବନପାଳ ସନ୍ତୋଷ ମାଝୀ, ଭଦ୍ରକ ବନପାଳ ଅମରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ରହି ହାତୀ ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର