ରାଜ୍ୟରେ ବଢ଼ିବ ହାତୀ ଇଲାକା

୨୪୭୨ ବର୍ଗ କିମିରେ ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳ

ବରିଷ୍ଠ ଅଧିକାରୀଙ୍କ ସ୍ତରରେ ଆରମ୍ଭ ହେଲା ମାନସମନ୍ଥନ
ଅନୁଗୁଳରେ ହେଲା ପ୍ରଥମ ବୈଠକ, ଜୁନ ୧୮ରେ ଦ୍ବିତୀୟ

ଭୁବନେଶ୍ବର/ଅନୁଗୁଳ : ହାତୀ ମୃତ୍ୟୁକୁ ନେଇ ଜାତୀୟସ୍ତରରେ ଉଦ୍‌ବେଗ ବଢ଼ିବାରେ ଲାଗିଛି। ଓଡ଼ିଶାରେ ହାତୀ-ମଣିଷ ଲଢେଇ ପ୍ରସଙ୍ଗରେ ମଧ୍ୟ ବିତର୍କ କିଛି କମ୍ ନାହିଁ। ଏମିତି ସ୍ଥିତିରେ ହାତୀର ସୁରକ୍ଷା ନେଇ ରାଜ୍ୟ ସରକାର ଏକ ବଡ଼ ଯୋଜନା ଆରମ୍ଭ କରିଛନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳର ପରିସୀମାକୁ ଅେଢ଼ଇଗୁଣା କରି ଦିଆଯିବ। ବର୍ତମାନ ଏହାର ଆକାର ୧୦୩୮ ବର୍ଗ କିଲୋମିଟର ରହିଛି। ଏହା ବୃଦ୍ଧି ପାଇ ୨୪୭୨ କିଲୋମିଟର ହେବ।

ଆଜି ଅନୁଗୁଳରେ ଏ ସଂକ୍ରାନ୍ତରେ ବନ ବିଭାଗର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆପାତତଃ ଯୋଜନା ପ୍ରସ୍ତୁତ ହୋଇଛି ଓ ଆସନ୍ତା ୧୮ ତାରିଖରେ ପରବର୍ତୀ ବୈଠକ ବେଳକୁ ପ୍ରତି ଡିଭିଜନ ନିଜର ସୀମା ସଂପର୍କରେ ଏକ ବିସ୍ତୃତ ନକ୍ସା ପ୍ରସ୍ତୁତ କରିବାକୁ ଡିଏଫଓମାନଙ୍କୁ ନିର୍ଦେଶ ମିଳିଛି। ଏହି ବୈଠକରେ ଅନୁଗୁଳ ଆରସିସିଏଫ୍, ସମ୍ବଲପୁର ଆରସିସିଏଫ୍, ବୌଦ୍ଧ, ଅନୁଗୁଳ, ଆଠଗଡ଼, ଆଠମଲ୍ଲିକ, ମହାନଦୀ ଢେଙ୍କାନାଳ, କଟକ, ନୟାଗଡ଼, ସାତକୋଶିଆ ଡିଏଫଓ ପ୍ରମୁଖ ଯୋଗ ଦେଇଥିଲେ।

Representative Image

ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାରେ ମଣିଷ-ହାତୀ ଲଢ଼େଇ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ଗତ କିଛି ବର୍ଷ ଧରି ଏହାକୁ ନେଇ ସରକାର ବାରମ୍ବାର ଅଡ଼ୁଆ ପରିସ୍ଥିତି ସାମ୍ନା କରୁଛନ୍ତି। େକତେବେଳେ ହାତୀ ମଣିଷ ମାରୁଛନ୍ତି ତ ଆଉ କେତେବେଳେ ଟ୍ରେନ୍ ବା ଶିକାରୀର ଶିକାର େହଉଛି ହାତୀ। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ପୂର୍ବରୁ ଏସିଆନ୍ ନେଚର କନଜରଭେସନ୍ ଫାଉଣ୍ଡେସନର ଡ. ରମଣ ସୁକୁମାରଙ୍କୁ ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ଲାଗି ଦାୟିତ୍ବ ଦେଇଥିଲେ। ୨୦୧୪-୧୭ ମଧ୍ୟରେ ଡ. ସୁକୁମାର ସାତକୋଶିଆ ଡ଼ିଭିଜନ ଆଦି ଅନୁଧ୍ୟାନ କରିବା ପରେ ୨୦୧୯ରେ ତାଙ୍କର ରିପୋର୍ଟ ଦେଇଥିଲେ। ଜଣାଇଥିଲେ ଯେ ଓଡ଼ିଶାରେ ହାତୀ ସଂଖ୍ୟା ଯେତିକି, ସେ ଅନୁସାରେ ପର୍ଯ୍ୟାପ୍ତ ସଂରକ୍ଷିତ ଜଙ୍ଗଲ ତାଙ୍କ ପାଇଁ ନାହିଁ। ହାତୀ ସଂଖ୍ୟା ବଢ଼ୁଥିବା ପରିପ୍ରେକ୍ଷୀରେ ସଂରକ୍ଷିତ ଜଙ୍ଗଲ ପରିମାଣ ବଢି଼ବା ଦରକାର। ଅନ୍ୟଥା ସେମାନେ ଜନବସତିକୁ ମାଡ଼ି ଆସିବା ବିଚିତ୍ର ନୁହେଁ। ଗତବର୍ଷ ମଧ୍ୟ ଏ ନେଇ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଡ. ସୁକୁମାର ଏ ସଂପର୍କରେ ବିଶଦ ତଥ୍ୟ ରଖିଥିଲେ।

ଡ. ସୁକୁମାରଙ୍କ ରିପୋର୍ଟ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଏବେ ରାଜ୍ୟରେ ହାତୀ ସଂଖ୍ୟା ୧୯୭୬ ରହିଥିବା ବେଳେ ୨୦୧୮-୧୯ରେ ୯୧ଟି ହାତୀ ମରିଛନ୍ତି। ଏସବୁକୁ ବିଚାରକୁ ନେଇ ସରକାର ଏବେ ଏକାଧିକ ଡ଼ିଭିଜନକୁ ମିଶାଇ ଗୋଟିଏ ବଡ଼ ହାତୀ ସଂରକ୍ଷିତ ଅଞ୍ଚଳ ଘୋଷଣା କରିବା ଲାଗି ଚିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତୃଣମୂଳସ୍ତରରେ ଏ ନେଇ ଖସଡ଼ା ପ୍ରସ୍ତୁତି ପରେ ଏହା ପିସିସିଏଫ୍‌ଙ୍କ ପାଖକୁ ଯିବ ଓ ସରକାର ଏହା ଉପରେ ଠୋସ୍ ଘୋଷଣା କରିବେ।

ଏହାଦ୍ବାରା କେନ୍ଦ୍ରୀୟ ଅନୁଧ୍ୟାନ ଓଡ଼ିଶାକୁ ଅଧିକ ଆସିବ ଓ ଜଙ୍ଗଲ ଆକାର ବଢ଼ିଲେ ହାତୀ ଗତାଗତ ପାଇଁ କୌଣସି ଅସୁବିଧା ହେବ ନାହିଁ େବାଲି ଅଧିକାରୀମାନେ ବିଚାର କରୁଛନ୍ତି। ପ୍ରତି ଡିଭିଜନ ଆକାର ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର