କେନ୍ଦୁଝର଼ : କେନ୍ଦୁଝର ସହରର ଜୁଡିଆ କୃଷିଫାର୍ମରେ ଗୁରୁବାର ସକାଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁଇଟି ହାତୀ ମୃତ୍ୟୁବରଣ କରିଛନ୍ତି। ବନ ବିଭାଗର ଅବହେଳା ପାଇଁ ଏହି ଦୁଇଟି ହାତୀର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଗତକାଲିଠାରୁ କେନ୍ଦୁଝର ଜୁଡିଆ କୃଷି ଫାର୍ମ ନିକଟରେ ଏକ ୯ଟିକିଆ ହାତୀପଲ ବୁଲୁଥିଲେ। ଗୁରୁବାର ସକାଳ ୭ଟା ୪୦ ବେଳେ ଜୁଡିଆ ଫାର୍ମ ମଧ୍ୟରେ ଏଲ୍‌ଟି ଲାଇନ୍‌‌ରେ ଲାଗିଥିବା ଲତା ଖାଇବାବେଳେ ବିଦ୍ୟୁତ୍‌ ଆଘାତ ପାଇଥିଲେ। ଫଳରେ, ସେଇଠାରେ ହିଁ ହାତୀ ଦୁଇଟି ଟଳିପଡ଼ିଥିଲେ। ଏହି ଅଘଟଣ ସମୟରେ ହାତୀପଲ ଥିବା ସ୍ଥାନରେ କୌଣସି ବନ କର୍ମଚାରୀ ନ ଥିଲେ। କୃଷିଫାର୍ମର କର୍ମଚାରୀଙ୍କଠାରୁ ଖବରପାଇ ଟାଟା ପାୱାର କର୍ମଚାରୀମାନେ ବନ ବିଭାଗକୁ ଜଣାଇଥିଲେ ଏବଂ ଏହାପରେ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ।

ସାଧାରଣତଃ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଯଦି ବିଦ୍ୟୁତ୍‌ ତାର ଥାଏ, ଏଥିନେଇ ସମ୍ପୃକ୍ତ ବିଭାଗକୁ ଅବଗତ କରାଯିବା ସହିତ ଆବଶ୍ୟକ ହେଲେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଥାଏ। ବିଡ଼ମ୍ବନାର କଥା ହେଉଛି, ଗତକାଲି ରାତିରେ ହାତୀ ଚଳପ୍ରଚଳ କରୁଥିଲେ ବି ଏ ସଂପର୍କରେ ବନ ବିଭାଗ ପକ୍ଷରୁ ଟାଟା ପାୱାରକୁ ଅବଗତ କରାଯାଇ ନ ଥିଲା। ଏଥିନେଇ ଆରସିସିଏଫ ଅରୁଣ ମିଶ୍ର ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବନ ବିଭାଗ ହାତୀ ଚଳପ୍ରଚଳ ନେଇ ଅବଗତ ଥିଲା। ମାତ୍ର ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଯାଇ ନ ଥିଲା କିମ୍ବା ବିଜୁଳି ସଂଯୋଗ ବିଚ୍ଛିନ୍ନ ପାଇଁ କୁହାଯାଇ ନ ଥିଲା।

ସେହିଭଳି, ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ କହିଛନ୍ତି , ନିୟମିତ ତଥ୍ୟ ଆଦାନ ପ୍ରଦାନ ପାଇଁ ବନ ବିଭାଗ ଅଧିକାରୀ ଏବଂ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କର ଏକ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ରହିଛି। ଏହି ଗ୍ରୁପରେ ଗତକାଲି ଶେଷଥର ପାଇଁ ଅପରାହ୍ନ ୨ଟା ୫୪ ମିନିଟ୍‌ରେ ପର୍ଜନପୁର ଅଞ୍ଚଳରେ ହାତୀ ଚଳପ୍ରଚଳ ନେଇ ବନବିଭାଗ ସୂଚନା ଦେଇଥିଲା। ମାତ୍ର, ଏହାପରେ କୌଣସି ସୂଚନା ମିଳିନଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ବିଭିନ୍ନ କାରଣରୁ ୭ଟି ହାତୀଙ୍କ ଜୀବନ ଗଲାଣି।