ନରସିଂହପୁର : ନରସିଂହପୁର ପୂର୍ବ ବନାଞ୍ଚଳରେ ଅଢ଼େଇବର୍ଷ ବୟସର ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ହାତୀର ମୃତଦେହଠାରୁ ପ୍ରାୟ ୧୫୦ମିଟର ଦୂରରେ ଏକ ପୋଖରୀ ଥିବାରୁ ଓ ହାତୀଟି ସେଇ ଦିଗକୁ ଯାଉଥିବାର ପାଦଚିହ୍ନ ଥିବାରୁ ଖରାରେ ପାଣି ନପାଇ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଦଳଛଡ଼ା ହୋଇ ହାତୀଟି ଏଭଳି ଅବସ୍ଥାରେ ପଡ଼ିଥିବା ବନାଧିକାରୀ ଅନୁମାନ କରୁଛନ୍ତି। ତେବେ, ହାତୀ ମୃତ୍ୟୁର ଦୀର୍ଘ ୪/୫ଦିନପରେ ବନବିଭାଗ ମୃତ୍ୟୁ ସମ୍ପର୍କରେ ଖବର ପାଇବା ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।
ନୂଆଗଡ଼ ସଂରକ୍ଷିତ ଜଙ୍ଗଲ ବ୍ରାହ୍ମଣୀ ବିଟ୍ କମ୍ପାର୍ଟମେଣ୍ଟ ନଂ-୩ ଅଂଚଳରେ ହାତୀର ଗଳିତ ମୃତଦେହ ମିଳିଛି। ଗତକାଲି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୂର୍ବ ବନାଧିକାରୀ ସୁଭାଷ ଚନ୍ଦ୍ର ରାଉତ ବନ କର୍ମଚାରୀଙ୍କ ସହିତ ନରସିଂହପୁର ପ୍ରାଣୀ ଚିକିତ୍ସିକ ଅରବିନ୍ଦ ସେଠୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ଗାତ ଖୋଳି ହାତୀଟିକୁ ପୋତି ଦିଆଯାଇଥିବା ବନାଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି। ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ନରସିଂହପୁର ପୂର୍ବ ଓ ପଶ୍ଚିମ ବନାଞ୍ଚଳରେ ବନ୍ୟଜନ୍ତୁଙ୍କ ପାଣି ପିଇବା ପାଇଁ ଅନେକ ସ୍ଥାନରେ ପୋଖରୀ ଖୋଳାଯାଇଛି। ମାତ୍ର ପୋଖରୀଗୁଡ଼ିକ ଗ୍ରୀଷ୍ମପ୍ରବାହ ପ୍ରାରମ୍ଭରୁ ଶୁଖିଲା ପଡିଛି। ଫଳରେ ହାତୀ ଓ ଅନ୍ୟ ଅନେକ ବନ୍ୟଜନ୍ତୁ ପାନୀୟଜଳ ଅଭାବ ଯୋଗୁଁ ମୃତ୍ୟୁମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି।
ଅପରପକ୍ଷରେ, ବଡ଼ମ୍ବାର ହଳଦିଆଶେଣୀ ସଂରକ୍ଷଣ ଜଙ୍ଗଲରୁ ମଧ୍ୟ ଏକ ହାତୀ ଶାବକର ମୃତଦେହ ମିଳିଥିବା ବନବିଭାଗ ସୂତ୍ରରୁ ଜଣାପଡିଛି।