ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଞ୍ଝଗିରି ବିଟ୍ ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟ ଝିଲିମିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଖରୁ ହାତୀର ଶବକୁ ଠାବ କରାଯାଇଛି। ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି। ଏଥିପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।
ସୂଚନାନୁସାରେ, ମୁଜାଗଡ଼ ବନାଞ୍ଚଳର ଡହ ସେକ୍ସନ୍ରେ ଗତ କିଛିଦିନ ହେଲା ୧୯ଟିକିଆ ହାତୀପଲ ଗତିବିଧି ଜାରି ରଖିଛନ୍ତି। ସେଥିରୁ ୩ଟି ହାତୀ ବାଟବଣା ହୋଇ ଗମ୍ଭାରୀଗୋଚ୍ଛାରେ ବୁଲୁଥିଲେ। ରାତିରେ ପାଣି ପିଇବାକୁ ଆସିଥିବା ବେଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଝିଲିମିଇ ଘାଇ ନିକଟରେ ଏକ ଜମିରେ ହାତୀଟିର ଶବ ପଡ଼ିଥିଲା। ତେବେ, ତା’ର ଶରୀରରେ କୌଣସି ଆଘାତ ଚିହ୍ନ ନଥିଲା। ଫଳରେ, ଅସୁସ୍ଥତା ନା ଅନ୍ୟ କୌଣସି କାରଣରୁ ହାତୀଟିର ମୃତ୍ୟୁ ହୋଇଛି, ଏନେଇ ବନ ବିଭାଗ ତନାଘନା ଆରମ୍ଭ କରିଛି।
ଡିଏଫ୍ଓ ଶ୍ରୀ ବେହେରାଙ୍କ ସମେତ ଏସିଏଫ୍ ବିକ୍ରମଦେବ ପଟ୍ଟନାୟକ, ରେଞ୍ଜର୍ ବିମ୍ବାଧର ସାହୁ ଓ ବନପାଳ ବଂଶୀଧର ବିଶୋୟୀ ପ୍ରମୁଖ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାସହ ଭୁବନେଶ୍ବରରୁ ଏକ ଯୁଗ୍ମ ଟାସ୍କ୍ଫୋର୍ସ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଯାଞ୍ଚ କରିଥିଲେ। ପ୍ରାଣୀ ଚିକିତ୍ସା ଅଧିକାରୀ ନିଶିକାନ୍ତ ବଳ ଓ ପ୍ରାକ୍ତନ ରେଞ୍ଜର୍ ଅନୁପମ ବାନାର୍ଜୀ ହାତୀଟିର ଶବ ବ୍ୟବଚ୍ଛେଦ କରିବା ସହ ଶରୀରରୁ ବିଭିନ୍ନ ଅଂଶ ଏବଂ ନମୁନା ସଂଗ୍ରହ କରିଥିଲେ। ବ୍ୟବଚ୍ଛେଦ ପରେ ସେଠାରେ ହିଁ ଶବକୁ ପୋତିଦିଆଯାଇଛି।
ଅନ୍ୟପକ୍ଷରେ, ଏହାକୁ ମିଶାଇ ଉତ୍ତର ଘୁମୁସର ବନଖଣ୍ଡରେ ଗତବର୍ଷ ଜୁଲାଇମାସରୁ ଆଜିସୁଦ୍ଧା ମୋଟ ୬ଟି ହାତୀର ମୃତ୍ୟୁ ହୋଇସାରିଛି। ତନ୍ମଧ୍ୟରେ ବର୍ଷ ଆରମ୍ଭରୁ ବନଖଣ୍ଡରେ ୩ଟି ହାତୀ ମୃତ୍ୟୁ ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି।