ଗଞ୍ଜାମ : ମାକନା ହାତୀର ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ଅଧୀନ ଗାୟାଗଣ୍ଡା ସେକ୍ସନ୍‌ର କଳିଙ୍ଗପଦର ଗ୍ରାମ ନିକଟ ପଶାରୁଣି ନାଳରେ ଗୋଟିଏ ମାକନା ହାତୀ (ଦାନ୍ତ ନଥିବା ଅଣ୍ଡିରା ହାତୀ)ର କ୍ଷତାକ୍ତ ଶବ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ରାତିରେ କଳିଙ୍ଗପଦର ଗ୍ରାମ ନିକଟରେ ଥିବା ଧାନ ବିଲକୁ ହାତୀପଲ ଧାନ ଖାଇବାକୁ ଆସିଥ‌ିଲେ। ପଇଁତରାରେ ନିୟୋଜିତ ବନବିଭାଗ କର୍ମଚାରୀ ହାତୀଙ୍କୁ ଘଉଡ଼ାଇଥିଲେ। ତେବେ ବିଳମ୍ବିତ ରାତିରେ ଏକ ହାତୀର ବିକଟାଳ ଚିତ୍କାର ଶୁଭିଥିଲା। ସକାଳୁ ସ୍ଥାନୀୟ ଲୋକେ ପଶାରୁଣି ନାଳ ନିକଟରେ ଗୋଟିଏ ମାକନା ହାତୀ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ହାତୀଟିର ମୃତ୍ୟୁ ହୋଇ ସାରିଥିଲା। ଶରୀରର ବହୁ ସ୍ଥାନରେ କ୍ଷତ ଚିହ୍ନ ଦେଖି ତାକୁ ଶିକାରୀ ହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଦନ୍ତାହାତୀ ସହ ମୁହାଁମୁହିଁ ବେଳେ ଆକ୍ରମଣରେ ତାର ମୃତ୍ୟୁ ହୋଇଥିବା ବନବିଭାଗ ଅନୁମାନ କରିଛି।

ସମ୍ବନ୍ଧିତ ଖବର