ଭଞ୍ଜନଗର : ରାଜ୍ୟରେ ହାତୀମୃତ୍ୟୁ ସଂପ୍ରତି ଚିନ୍ତାଜନକ ପ୍ରସଙ୍ଗ ପାଲଟିଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ୍ ଗୁଣ୍ଡୁରିବାଡ଼ି ବିଟ୍ ଦଦରାଲୁଣ୍ଡା-କାନବିନ୍ଧା ଗ୍ରାମ୍ୟ ରାସ୍ତା ସଂଲଗ୍ନ ଦରପଙ୍ଗିଆ ଜଙ୍ଗଲରୁ ଗୁରୁବାର ସନ୍ଧ୍ୟାରେ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି।

Advertisment

ଶବଟି ପାଣି ରହିଥିବା ଖାଲୁଆ ସ୍ଥାନରେ ପଡ଼ିଥିବା ବେଳେ ଗୋଟିଏ ଦାନ୍ତ ନଥିବା ଦେଖିବାକୁ ମିଳିଛି। ଶିକାରୀମାନେ ହାତୀଟିକୁ ମାରିବା ପରେ ଦାନ୍ତ ଓପାଡ଼ି ନେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ହାତୀଟିକୁ ଶିକାର ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ଅଭିଯୋଗକୁ ବନ ବିଭାଗ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ ସଫେଇ ଦେଇଛନ୍ତି।

ମୁଜାଗଡ଼ ବନାଞ୍ଚଳରେ ୨୧ଟିକିଆ ହାତୀପଲ ବହୁଦିନ ହେଲା ସେମାନଙ୍କ ଗତିବିଧି ଜାରି ରଖିଛନ୍ତି। ଉକ୍ତ ଦନ୍ତାହାତୀଟି ଏକ ସପ୍ତାହ ହେଲା ପଲରୁ ଅଲଗା ହୋଇ ଏକୁଟିଆ ବୁଲୁଥିଲା। ଗୁରୁବାର ଦିନ କିଛି ଗ୍ରାମବାସୀ ଜାଳେଣି କାଠ ଆଣିବାକୁ ଆସିଥିବା ବେଳେ ହାତୀଟି ମରି ପଡ଼ିଥିବା ଦେଖିଥିଲେ। ସୂଚନା ପାଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ସହକାରୀ ବନ ସଂରକ୍ଷକ ବିକ୍ରମଦେବ ପଟ୍ଟନାୟକ ଏବଂ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ପାଣି ରହିଥିବା ଖାଲୁଆ ସ୍ଥାନରେ ଦେହର ଗୋଟିଏ ପାର୍ଶ୍ବ ବୁଡ଼ି ରହିଥିବା ବେଳେ ଗୋଟିଏ ଦାନ୍ତ ନଥିଲା। ଏହାସହ ଶରୀର ସାରା କାଦୁଅ ଲାଗି ରହିଥିବାରୁ କ୍ଷତ ଚିହ୍ନ ବି ଠାବ ହୋଇ ପାରି ନଥିଲା। ରାତି ହୋଇଯାଇଥିବାରୁ ଶବକୁ ଆସନ୍ତାକାଲି ଉଦ୍ଧାର କରି ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରଥମେ କୁହାଯାଇଥିଲା। ତେବେ ପାଣିର ଲାଲ୍ ରଙ୍ଗ ଓ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଶିକାର ବୋଲି ସ୍ପଷ୍ଟ ହେଉଛି। ସେହିପରି ଗୋଟିଏ ଦାନ୍ତ ନଥିବା ବେଳେ ଶରୀରର ଅଧାଭାଗ ପାଣିରେ ବୁଡ଼ି ରହିଥିବାରୁ ଆଉ ଗୋଟିଏ ଦାନ୍ତ ବି ଅଛି କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇପାରୁନି। କିନ୍ତୁ ଅଧିକାରୀମାନେ ଜେସିବି ଆଣି ଶବକୁ ବାହାର କରିବାକୁ ଯୋଜନା କରିଛନ୍ତି। ଖବର ମିଳିବା ସୁଦ୍ଧା, ଜେସିବି ଜଙ୍ଗଲ ବାହାରେ ରହିଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ହିଁ ହାତୀମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା କହିଛନ୍ତି।