ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନାଞ୍ଚଳର ମାଣପୁର ବିଟ୍ ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପରିବା କ୍ଷେତରୁ ଦନ୍ତାହାତୀର ଶବ ଠାବ ହୋଇଛି। ହାତୀଟିର ବୟସ ଆନୁମାନିକ ୩୫ରୁ ୪୦ ବର୍ଷ ହୋଇଥିବା ବେଳେ ଉଭୟ ଦାନ୍ତ ସୁରକ୍ଷିତ ରହିଛି।
ସୂଚନାନୁସାରେ, ତାରସିଂ ବନାଞ୍ଚଳ ଗାୟାଗଣ୍ଡା ସେକ୍ସନ୍ରେ ୮ ଟିକିଆ ହାତୀପଲ କିଛିଦିନ ହେଲା ଗତିବିଧି ଜାରି ରଖିଥିଲେ। ସେଥିରୁ ଉକ୍ତ ଦନ୍ତାହାତୀଟି ଅଲଗା ହୋଇ ମାଣପୁର ଆଡ଼କୁ ଚାଲିଆସିଥିଲା। ଆଜି ଏକ ପୋଟଳ ବଗିଚା ଭିତରୁ ତା’ର ଶବ ଠାବ ହେବାପରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶରୀରର କୌଣସି ପାର୍ଶ୍ବରେ କ୍ଷତ ଚିହ୍ନ ନଥିଲା। ତେବେ, ପେଟ ନିକଟରେ ୩ଟି ଗୋଲେଇ କଣା ହୋଇଥିବା ସହ ତାହା କଳା ପଡ଼ିଯାଇଛି।
ଅନ୍ୟ କୌଣସି ଦନ୍ତା ସହ ଲଢ଼େଇରୁ ଏପରି ଚିହ୍ନ ଥାଇପାରେ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ଭୁବନେଶ୍ବରରୁ ଯୁଗ୍ମ ଟାସ୍କ୍ଫୋର୍ସ ପୁଲିସ ଇନ୍ସପେକ୍ଟର୍ ରେଣୁବାଳା ସାହୁଙ୍କ ନେତୃତ୍ବରେ ରେଞ୍ଜ୍ ଅଫିସର୍ ଜୟନ୍ତ କୁମାର ଦାସ ଓ ସବଇନ୍ସ୍ପେକ୍ଟର ବଳରାମ ପ୍ରସାଦ ଦାସ ପ୍ରମୁଖ ପହଞ୍ଚି ଅନୁଧ୍ୟାନ କରିଥିଲେ। ଘଟଣାସ୍ଥଳରେ ଏସିଏଫ୍ ବିକ୍ରମଦେବ ପଟ୍ଟନାୟକ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଶୂଳପାଣି ଶତପଥୀ,ଜଗନ୍ନାଥପ୍ରସାଦ ରେଞ୍ଜର୍ ଉମାକାନ୍ତ ଦାଶ, ତାରସିଂ ରେଞ୍ଜର୍ କୃତ୍ତିବାସ କୁମାର, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଓ ତାରସିଂ ବନପାଳ କଳାବଦନ ଦାସଙ୍କ ସମେତ ବନପାଳ ଓ ବନରକ୍ଷୀମାନେ ଉପସ୍ଥିତ ଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତମାସ ଜୁଲାଇରୁ ଏହି ଘଟଣାକୁ ମିଶାଇ ଆଜି ପର୍ଯ୍ୟନ୍ତ ଉତ୍ତର ଘୁମୁସର ବନଖଣ୍ଡରେ ୪ଟି ହାତୀର ମୃତ୍ୟୁ ଘଟିଛି।