କଳାପାଟ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ

କେନ୍ଦୁଝର/ତେଲକୋଇ : କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ଥମିବାର ନାଁ ଧରୁନି। ଗତମାସରେ ଟ୍ରେନ୍‌ ଧକ୍କାରେ ଯୋଡ଼ା ବାଂଶପାଣି ନିକଟରେ ତିନିଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ଦିନ କଳାପାଟ ସଂରକ୍ଷିତ ଜଙ୍ଗଲରେ ଆଉ ଏକ ମାଈହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଈହାତୀର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ କେନ୍ଦୁଝର ଜଙ୍ଗଲ ହାତୀଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆହତା ସେକ୍ସନ ରେକୁଟି ବିଟ୍‌ର କଳାପାଟ ସଂରକ୍ଷିତ ଜଙ୍ଗଲ ଟୋଲକପଦାରେ କିଛି ସ୍ଥାନୀୟ ଲୋକେ ଆଜି ମଧ୍ୟାହ୍ନରେ ଛତୁ ଗୋଟାଉଥିଲେ। ସେମାନେ ଏକ ମୃତହାତୀକୁ ଦେଖିବାକୁ ପାଇଥିଲେ। ଏନେଇ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତ ମାଈହାତୀର ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ହାତୀ ମୃତ୍ୟୁର କାରଣ ଅଦ୍ୟାବଧି  ଜଣାପଡ଼ି ନଥିଲେ ମଧ୍ୟ ଏହା ସ୍ବାଭାବିକ ମୃତ୍ୟୁ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେମାନ କହିବା କଥା ହେଲା, ଏହି ଅଞ୍ଚଳରେ ୫ଟିକିଆ ହାତୀପଲ କିଛିଦିନ ହେବ ଘୂରି ବୁଲୁଥିଲେ। ହାତୀଟି କେବେ ମରିଛି ଏବଂ କେଉଁ କାରଣରୁ ମରିଛି ତାହା ଜଣାପଡ଼ୁ ନାହିଁ। ହାତୀର ମୃତଦେହ ନିକଟରେ ଅନ୍ୟ ହାତୀମାନେ ଜଗି ରହିଥିବା ଜଣାପଡ଼ିଛି। ସାଧାରଣତଃ ହାତୀର ସ୍ବାଭାବିକ ମୃତ୍ୟୁ ହେଲେ ପଲର ଅନ୍ୟ ହାତୀମାନେ ମୃତଦେହକୁ ଛାଡ଼ି ଚାଲି ଯାଇଥାନ୍ତି। ମାତ୍ର ଏହା ଏକ ଅସ୍ବାଭାବିକ ମୃତ୍ୟୁ ହୋଇଥିବାରୁ ହାତୀପଲ ମୃତଦେହକୁ ଛାଡ଼ି ଯାଉନଥିବା ଲୋକେ କହିଛନ୍ତି।

ବାରମ୍ବାର ହାତୀଙ୍କ ମୃତ୍ୟୁ ଘଟୁଥିବାରୁ ଜିଲ୍ଲାରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀ ମରିଥିବା ଅଞ୍ଚଳରେ ହାତୀର ଉପସ୍ଥିତି ନେଇ ବନ ବିଭାଗ ଟ୍ରାକିଂ ରିପୋର୍ଟରେ ସୂଚନା ଦେଇନଥିଲା। ବନ ବିଭାଗର ଗତ ୧୯ ତାରିଖ ରିପୋର୍ଟରେ ଉକ୍ତ ଅଞ୍ଚଳରେ ହାତୀ ରହିଥିବା ନେଇ ଦର୍ଶାଯାଇଥିଲା। ପରବର୍ତ୍ତୀ ଟ୍ରାକିଂ ରିପୋର୍ଟରେ ସେଠାରେ ହାତୀ ନଥିବା କଥା ଦର୍ଶାଯାଇଥିଲା। ଯଦି ସେଠାରେ ହାତୀ ନଥିଲେ‌ ତେବେ ମାଈହତୀର ମୃତ୍ୟୁ କେମିତି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ହାତୀଙ୍କ ଚଳପ୍ରଚଳ ଉପରେ ବନ ବିଭାଗ ନଜର ରଖିବା ସହ ଟ୍ରାକିଂ କରାଯାଉଛି। ଏହାସତ୍ତ୍ବେ ହାତୀର ମୃତ୍ୟୁ ଘଟିବା ପରେ ବନ ବିଭାଗ ଜାଣି ନ ପାରିବା ବିଭାଗର ଟ୍ରାକିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କୁ ପଚାରିବାରୁ ସେ କହିଥିଲେ, ହାତୀ ମୃତ୍ୟୁ ନେଇ ଆମେ ଖବର ପାଇଛୁ। ହାତୀର ପତଳା ଝାଡ଼ା ହେଉଥିବାରୁ ଖାଦ୍ୟ ସଂପର୍କିତ କୌଣସି କାରଣ ପାଇଁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ହେଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫ୍‌ଓ କହିଛନ୍ତି। ସୂଚନାଯୋଗ୍ୟ ଗତ ୫ ବର୍ଷରେ କେନ୍ଦୁଝର ଜିଲ୍ଲାରେ ୨୭ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତବର୍ଷ ଏହାକୁ ମିଶାଇ ୪ଟି ହାତୀଙ୍କ ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର