ପାହାଡ଼ରୁ ଖସିପଡ଼ିଥିବା ହାତୀର ମୃତ୍ୟୁ

କେନ୍ଦୁଝର : ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ଶୁଆକାଟୀ ବିଟର ତଳ ଚମ୍ପେଇ ଗାଁ ସିନ୍ଦୁରିଆ ଜଙ୍ଗଲ ପାହାଡରେ ଆହତ ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶନିବାର ଭୋର ପ୍ରାୟ ୫ଟା ବେଳେ ହାତୀଟି ମୃତ୍ୟୁବରଣ କରିଥିଲା। ଶବକୁ ବନ ବିଭାଗ ଜବତ କରି ଆଜି ବ୍ୟବ‌ଚ୍ଛେଦ କରାଇଥିଲା । ବାଂଶପାଳ ପଶୁ ଚିକିତ୍ସକ ଡା. ସୁକାନ୍ତ କୁମାର ସାହୁ ହାତୀର ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ବେଳେ ଏସିଏଫ ଘନଶ୍ୟାମ ମହାନ୍ତ, ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରାଣୀ ଚିକିତ୍ସକ ବନ୍ଦିତା ମିଶ୍ର, ବିଜେପି ରେଞ୍ଜର ମାନସ କୁମାର ମୁର୍ମ୍ମୁ ଏବଂ ଅନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ କହିଛି।

ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ଶୁଆକାଟୀ ବିଟ୍‌ ତଳ ଚମ୍ପେଇ ଗାଁ ସିନ୍ଦୁରିଆ ଜଙ୍ଗଲ ପାହାଡରୁ ଖସି ଗୋଟିଏ ମାଈ ହାତୀ ଆହତ ହୋଇଥିବା ବନ ବିଭାଗ ସୂଚନା ଦେଇଥିଲା। ଏଥିସହିତ ସଂପୃକ୍ତ ହାତୀର ଚିକତ୍ସା ମଧ୍ୟ ଆରମ୍ଭ ହୋଇଥିଲା। ବନ ବିଭାଗର କହିବା ଅନୁଯାୟୀ, ହାତୀଟିକୁ ପାଖାପାଖି ୫୦ ବର୍ଷ ହୋଇଯାଇଛି । ବୟସାଧିକ୍ୟ ଯୋଗୁଁ ହୋଇଥିବାରୁ ହାତୀଟି ଦୁର୍ବଳ ହୋଇ ପାହାଡ଼ରୁ ଖସି ଆହତ ହୋଇଥିବାର ଅନୁମାନ କରାଯାଉଛି ବୋଲି ବନ ବିଭାଗ କହିଥିଲା। ଗତ ମାସ ୧୯ ତାରିଖ ଦିନ ଏହି ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ୍ ରବ ଗାଁ ନିକଟରେ ଗୋଟିଏ ମା’ ଏବଂ ଗୋଟିଏ ଶିଶୁ ହାତୀର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ହାତୀଙ୍କ ମୃତ୍ୟୁ ପ୍ରକୃତ କାରଣ ଜଣାପହି ନାହିଁ । ତେ‌ଣୁ ବର୍ତ୍ତମାନ ବିଜେପି ରେଞ୍ଜ ହାତୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରୁଛନ୍ତି। ଗତ ୨୦ ଦିନ ମଧ୍ୟରେ ଗୋଟିଏ ରେଞ୍ଜରେ ୩ଟି ହାତୀ ମୃତ୍ୟୁ ଯୋଗୁଁ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର