ସଂଘାଡ଼ି ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ଚିତ୍ରଡ଼ା/ବେତନଟୀ : ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀ ମୃତ୍ୟୁ ଘଟିଛି। ମୋରଡ଼ା ବ୍ଲକ୍‌ ତଥା ବେତନଟୀ ରେଞ୍ଜ ଅଧୀନ ବଡ଼ାମପୁର ବନାଞ୍ଚଳ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ଧାନଶୋଳ ନିକଟ ସଂଘାଡ଼ି ଜଙ୍ଗଲରେ ହାତୀର ଗଳିତ ଶବ ମିଳିଛି। ଖବର ପାଇ ବନପାଳ ଘନଶ୍ୟାମ ସିଂ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀଟିର ବୟସ ୧୫ ବର୍ଷ ହୋଇଥିବା ବେଳେ ୨ରୁ ୩ ଦିନ ପୂର୍ବରୁ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେହିପରି ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ପ୍ରାଣ ଯାଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଯାହା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବେତନଟୀ ବନବିଭାଗର ରେଞ୍ଜ ଅଧିକାରୀ ଶ୍ରୀସିଂଙ୍କୁ ପଚାରିବାରୁ ସେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି। ସେହିପରି ବାରିପଦା ଡିଏଫଓ ସ୍ବୟମ ମଲ୍ଲିକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର