ରେଢ଼ାଖୋଲରେ ପୁଣି ହାତୀ ମୃତ୍ୟୁ : ଛୁଆ ହାତୀର ଗଳିତ ମୃତଦେହ ଉଦ୍ଧାର

ଦନ୍ତା ମୃତ୍ୟୁରେ କଠୋର କାର୍ଯ୍ୟାନୁଷ୍ଠାନ, ବନପାଳ ଓ ବନରକ୍ଷୀ ନିଲମ୍ବିତ

ରେଢ଼ା‌ଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତରେ ହାତୀ ମୃତ୍ୟୁ ଥମିବାର ନାଁ ଧରୁନି। ୨ ମାସ ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଆଉ ଏକ ଛୁଆ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବଡ଼ମାଳ ରେଞ୍ଜ୍‌ ଟୁଡ଼ାବାହାଳରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରେଂଜ ଅଧିକାରୀ ରମେଶ କର୍ଣ୍ଣ ଓ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ସଂପର୍କରେ ଡିଏଫ୍‌ଓ ଶ୍ରୀ ବେହେରା କହିଛନ୍ତି ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବର ଓୟୁଏଟିକୁ ପଠାଯାଇଛି। ସେଠାରେ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା କରାଯିବା ପରେ ହାତୀ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ସେ କହିଥିଲେ। ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ସେତେବେଳେ ମଧ୍ୟ ଆନ୍ଥ୍ରାକ୍ସ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ସେହିପରି ୨୦୧୯ ଅକ୍ଟୋବର ୨୦ ତାରିଖରୁ ଆଜି ପର୍ଯ୍ୟନ୍ତ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦନ୍ତା ମୃତ୍ୟୁରେ କଠୋର କାର୍ଯ୍ୟାନୁଷ୍ଠାନ, ବନପାଳ ଓ ବନରକ୍ଷୀ ନିଲମ୍ବିତ
ଡୁଡୁକା : ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍‌ ଉପରବାହାଲ ପଞ୍ଚାୟତ ମହାକୁରପାଲି ନିକଟ ଛେଳିଆ ସଂରକ୍ଷିତ ଜଙ୍ଗଲରୁ ଗତ ୧୪ ତାରିଖ ଦିନ ଏକ ଦନ୍ତାହାତୀର ଶବ ମିଳିଥିଲା। ହାତୀକୁ ହତ୍ୟା କରି ଦୁର୍ବୃତ୍ତମାନେ ଦୁଇଟି ଯାକ ଦାନ୍ତ ଚୋରି କରି ନେଇଥିଲେ। ଏହି ଘଟଣାରେ ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କ ପତ୍ର ସଂଖ୍ୟା ୧୪ରେ ସାଲେଭଟା ବନପାଳ ଆଦିତ୍ୟ ନନ୍ଦ ଓ ପତ୍ର ସଂଖ୍ୟା ୧୫ରେ କେଶାଇପାଲି ବନରକ୍ଷୀ ମୋତିଲାଲ ସାହୁଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର