ଶିମିଳିପାଳରେ ହାତୀ ମୃତଦେହ ଠାବ: ଆନ୍ଥ୍ରାକ୍ସରେ ମୃତ୍ୟୁ ସନ୍ଦେହ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ ହାତୀର ମୃତଦେହ ଠାବ କରାଯାଇଛି। ଗତକାଲି ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜ ନର୍ଥ ଡିଭିଜନ୍‌ର ଚମ୍ପାଗଡ଼ ଜଙ୍ଗଲରେ ଏକ ମାଈହାତୀର ମୃତଦେହ ଦେଖି ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀ ରେଞ୍ଜ କାର୍ଯ୍ୟାଳୟକୁ ଜଣାଇଥିଲେ। ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ଏମ୍‌. ଯୋଗଜୟାନନ୍ଦ, ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା, ଡ.ପୀୟୂଷ ସୋରେନ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ମୃତ ହାତୀର ବୟସ ୧୫ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଆନ୍ଥ୍ରାକ୍ସ ରୋଗରେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇ ଅଧିକ ପରୀକ୍ଷା ପାଇଁ ଡେରାଡୁନ୍‌ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇଯିବ ବୋଲି ଏମ. ଯୋଗଜୟାନନ୍ଦ ‘ସମ୍ବାଦ’କୁ କହିଛନ୍ତି।

ତେବେ ଶିମିଳିପାଳରେ ଗତ ୫ ବର୍ଷରେ ୧୦ରୁ ଅଧିକ ହାତୀ ଆନ୍ଥ୍ରାକ୍ସରେ ପ୍ରାଣ ହରାଇଥିବାରୁ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ୍‌। ଶିମିଳିପାଳର ବନ୍ୟଜନ୍ତୁଙ୍କୁ ଆନ୍ଥ୍ରାକ୍ସ କବଳରୁ ରକ୍ଷା କରିବାକୁ ହେଲେ ଶିମିଳିପାଳ ପାଦଦେଶରେ ରହୁଥିବା ଗୃହପାଳିତ ପଶୁମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯିବା ସହିତ ଅଭୟାରଣ୍ୟ ଭିତରେ ଅବାଧରେ ଗୃହପାଳିତ ପଶୁ ଚରାଇବା ଉପରେ ଅଙ୍କୁଶ ଲାଗିବା ଜରୁରୀ ବୋଲି କହିଛନ୍ତି ପୂର୍ବତନ ଅବୈତନିକ ବନ୍ୟାପ୍ରାଣୀ ସଂରୀକ୍ଷକ ଭାନୁମିତ୍ର ଆଚାର୍ଯ୍ୟ।

ସମ୍ବନ୍ଧିତ ଖବର