ଦେଓଗାଁ : ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଉପରଝର- ଆଟଗାଁ ରାସ୍ତାର ପେତେନଦୁହୁଲା ନିକଟରେ ଏକ ହାତୀ ପ୍ରସବ କରିଛି। ମାଈ ହାତୀ ଓ ଛୁଆର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିଲେ ମଧ୍ୟ ବିପଦ ଆଶଙ୍କା କରି ପ୍ରାୟ ୧୧ଟି ହାତୀ ଜଗି ରହିଥିବା ସୂଚନା ମିଳିଛି। ଫଳରେ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତା ଶୂନ୍ଶାନ୍ ହୋଇଯାଇଥିବା ଜଣାପଡ଼ିଛି। ଦୁଇ ଦିନ ହେଲା ଉକ୍ତ ଅଞ୍ଚଳରେ ହାତୀ ଥିବା ବିଷୟରେ ବନ ବିଭାଗ ପାଖରେ ସୂଚନା ରହିଥିଲା।
ଏ ସଂକ୍ରାନ୍ତରେ ଆଠଗାଁ ଫରେଷ୍ଟର ଠଣସୁନ୍ଦର ଧରୁଆଙ୍କୁ ପଚାରିବରୁ ପୂର୍ବରୁ ୧୧ଟି ହାତୀ ଥିଲେ। ସୋମବାର ଗୋଟିଏ ହାତୀ ଛୁଆ ଜନ୍ମ ହେବା ପରେ ହାତୀ ସଂଖ୍ୟା ୧୨ ହୋଇଛି। ହାତୀ ଘଉଡ଼ାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ସୋମବାର ରାତିରେ ଏହି ହାତୀପଲ ଉପରଝର ଅଞ୍ଚଳ ଛାଡ଼ି ମଠଖାଇ ସଂରକ୍ଷିତ ଜଙ୍ଗଲ ଭିତରକୁ ଯାଇଛନ୍ତି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ଗତ ୩ଦିନ ଧରି ଏ ଅଞ୍ଚଳରେ ଉକ୍ତ ହାତୀପଲ ଡେରା ପକାଇଥିଲେ। ଏମାନେ ଅଞ୍ଚଳର ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବାରେ ବନ ବିଭାଗ ବିଫଳ ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।