ରାଇରଙ୍ଗପୁର ବନଖଣ୍ଡରେ ହାତୀ-ମଣିଷ ସଂଘର୍ଷ: ୧୮ ବର୍ଷରେ ଗଲାଣି ୧୮ ଜୀବନ

ସୌରଚାଳିତ ବିଦ୍ୟୁତବାଡ଼ ଓ ଟ୍ରେଞ୍ଚ୍‌ ଖୋଳାକୁ ଗୁରୁତ୍ବ

ବିଶୋଇ : ହାତୀମାନଙ୍କର ପ୍ରାକୃତିକ ଆବାସସ୍ଥଳ ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବଜନିତ ମୃତ୍ୟୁ ଓ ଧନସଂପତ୍ତି ହାନି ବନାଞ୍ଚଳବାସୀଙ୍କ ପାଇଁ ଉଦ୍‌ବେଗ ସ୍ଥିତି ସୃଷ୍ଟି କରିଛି। ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ଜିଲ୍ଲାରେ ବର୍ଷତମାମ ହାତୀପଲଙ୍କ ଉପଦ୍ରବ ଲାଗି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ନିରାକରଣ ହୋଇପାରୁନି। କେତେବେଳେ ହାତୀପଲ ଚାଷଜମିରେ ପଶି ଫସଲନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଗାଁ ଭିତରକୁ ମାଡ଼ିଆସି ଘରଦ୍ବାର ଭାଙ୍ଗୁଛନ୍ତି। ତେବେ ଫସଲ କ୍ଷୟକ୍ଷତି ଭୟଠାରୁ ଅଧିକ ଚିନ୍ତା ବଢ଼ାଇଛି ଜୀବନହାନି ଭୟ। ରାଇରଙ୍ଗପୁର ବନଖଣ୍ଡ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ହାତୀ ଆକ୍ରମଣରେ ଗତ ୧୮ ବର୍ଷରେ ଏଠାରେ ୧୮ ଜଣଙ୍କର ଜୀବନ ଯାଇଥିବାବେଳେ ଚଳିତ ବର୍ଷ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।


ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୫ଟି ବନଖଣ୍ଡ ରହିଛି। ତନ୍ମଧ୍ୟରୁ ଶିମିଳିପାଳ ପାଦଦେଶରେ ଥିବା ରାଇରଙ୍ଗପୁର ବନଖଣ୍ଡ ଭୌଗଳିକ ଦୃଷ୍ଟିକୋଣରୁ ସର୍ବବୃହତ ବନଖଣ୍ଡ। ମଣଦା, ବାଦାମପାହାଡ଼, ରାଇରଙ୍ଗପୁର, ବହଳଦା ଓ ବିଶୋଇ ବନାଞ୍ଚଳକୁ ନେଇ ରାଇରଙ୍ଗପୁର ବନଖଣ୍ଡ ଗଠିତ। ଏଥିମଧ୍ୟରୁ ବିଶୋଇ ବନାଞ୍ଚଳ ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ଅବସ୍ଥିତ। ସରକାରୀ ରିପୋର୍ଟ ଅନୁଯାୟୀ, ୨୦୦୩ରୁ ୨୦୨୧ ମଧ୍ୟରେ ହାତୀ ଆକ୍ରମଣରେ ରାଇରଙ୍ଗପୁର ଉପଖଣ୍ଡରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ୧୮ ମୃତକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ଜୀବନ ଯାଇ ସାରିଲାଣି। ସେଥିମଧ୍ୟରୁ ଚଳିତ ମେ ମାସରେ ବିଶୋଇ ବନାଞ୍ଚଳ ଦୁଧକୁଣ୍ଡି ଗାଁ ନିକଟ ଜଙ୍ଗଲରେ ଆଈନାତୁଣୀ, ମଣଦା ବନାଞ୍ଚଳ ମଧୁପୁର ଗାଁ ନିକଟରେ ଜଣେ ମହିଳା ଏବଂ ବାଦାମପାହାଡ଼ ବନାଞ୍ଚଳରେ ଜଣେ ବୃଦ୍ଧାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ହାତୀ ଆକ୍ରମଣର ଶିକାର ହେଉଥିବା ଅଧିକାଂଶ ଲୋକେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମାଞ୍ଚଳର। ଏହି ଅଞ୍ଚଳର ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ବଜାରରେ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ସକାଳ ହେଲା ମାତ୍ରେ ଜଙ୍ଗଲକୁ ଯାଇ ଛତୁ, ଜାଳେଣି କାଠ, ଶାଗପତ୍ର ସମେତ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଆଣିବା ସମୟରେ ହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଉଛନ୍ତି।


ତା’ ଛଡ଼ା ଏହି ବନଖଣ୍ଡ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ପଟୁ ବହୁ ସମୟରେ ହାତୀପଲ ପଶି ଆସି ଧନଜୀବନ କ୍ଷୟକ୍ଷତି କରୁଛନ୍ତି। ତେଣୁ ଏହାର ପ୍ରତିକାର ଲାଗି ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ ସୌରଚାଳିତ ବିଦ୍ୟୁତ ବାଡ଼ (ସୋଲାର ଫେନ୍ସିଂ) ସାଙ୍ଗକୁ ଟ୍ରେଞ୍ଚ୍‌ ଖୋଳାଗଲେ ହାତୀ ଆକ୍ରମଣଜନିତ ମୃତ୍ୟୁକୁ ରୋକା ଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେବେ ରାଇରଙ୍ଗପୁର ଡିଏଫ୍‌ଓ ନଳିନୀକାନ୍ତ ବେହେରାଙ୍କ କହିବା ମୁତାବକ, ଅଧିକାଂଶ ହାତୀ ଆକ୍ରମଣଜନିତ ମୃତ୍ୟୁ ଜଙ୍ଗଲ ମଧ୍ୟରେ ହିଁ ଘଟୁଛି। ଏ ସଂପର୍କରେ ବନ ବିଭାଗ ସଚେତନତା ସୃଷ୍ଟି କରିବା ସହ ହାତୀଜନିତ ମୃତ୍ୟୁ ଏଡ଼ାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ବିପଦସଂକୁଳ ଭାବରେ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଏହି ପ୍ରକ୍ରିୟା ମଧ୍ୟରୁ ଅନ୍ୟତମ। ଏହାଦ୍ୱାରା ହାତୀଜନିତ ମୃତ୍ୟୁ ହ୍ରାସ ପାଇବ।

 

ସମ୍ବନ୍ଧିତ ଖବର