ରାଜ୍ୟରେ ବଢ଼ୁଛି ହାତୀ-ମଣିଷ ସଂଘର୍ଷ: ୮ ବର୍ଷରେ ୧୧୪୫ ଥର ମୁହାଁମୁହିଁ

୭୩୦ ଜୀବନ ଯାଇଛି, ୬୫୭ ଆହତ

ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ ଆଗରେ
୨୦୨୨ରେ ଏପର୍ଯ୍ୟନ୍ତ ଗଲାଣି ୩ ଜୀବନ

ଭୁବନେଶ୍ୱର : ଜନବସତିମୁହାଁ ହାତୀ। ଖାଦ୍ୟ ଅଭାବ ହେଉ କିମ୍ବା ଅନ୍ୟ କୌଣସି କାରଣ; ପ୍ରତିଦିନ କେଉଁଠି ନା କେଉଁଠି ହାତୀ ଓ ମଣିଷ ମୁହାଁମୁହିଁ ହେଉଛନ୍ତି। କେତେବେଳେ ଜମିରେ ଫସଲ ରକ୍ଷା ପାଇଁ ତ ଆଉ କେତେବେଳେ ଜୀବିକା ଅନୁସନ୍ଧାନରେ ଥିବା ସମୟରେ। ବଢ଼ୁଥିବା ହାତୀ ଉପଦ୍ରବ ଏବେ ଲୋକଙ୍କ ନିଦ ହଜାଇ ଦେଇଛି। ୨୦୧୪-୧୫ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷ ମଧ୍ୟରେ ଉଭୟ ୧୧୪୫ଥର ମୁହାଁମୁହିଁ ହୋଇଛନ୍ତି। ୭୩୦ ନିରୀହ ଜୀବନ ଚାଲି ଯାଇଥିବା ବେଳେ ୬୫୭ଜଣ ଆହତ ହୋଇଛନ୍ତି।

ଯଦି ଚଳିତ ମାସ କଥା ବିଚାରକୁ ନେବା, ଏପର୍ଯ୍ୟନ୍ତ ୩ଟି ଜୀବନ ଗଲାଣି। ଗତ ୧୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ଏହାର କିଛି ଦିନ ପୂର୍ବରୁ ୭୦ ବର୍ଷ ବୟସ୍କ ବୁଦ୍ଧଙ୍କୁ ହାତୀ ମାରିଥିଲା। କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ସ୍କ୍ବାଡ୍‌ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଧା ଟାଙ୍ଗୀରେ ଜଣେ ଫରେଷ୍ଟର ଗୁରତର ଆହତ ହୋଇଥିଲେ। ୨୦୨୦-୨୧ ଆର୍ଥିକ ବର୍ଷ ସରିବାକୁ ଆହୁରି ଦୁଇ ମାସ ସମୟ ଥିବା ବେଳେ ଏବେ ସୁଦ୍ଧା ହାତୀ ଆକ୍ରମଣରେ ୯୭ ଜଣଙ୍କ ଜୀବନ ଯାଇଛି। ୯୬ ଜଣ ଆହତ ହୋଇଛନ୍ତି। ୧୦ ମାସ ମଧ୍ୟରେ ୧୫୮ ଥର ହାତୀ-ମଣିଷ ମୁହାଁମୁହିଁ ହୋଇଥିବା ନେଇ ଓଡ଼ିଶା ବନ୍ୟପ୍ରାଣୀ ସମିତି(ଡବ୍ଲୁଏସ୍‌ଓ) ପକ୍ଷରୁ କୁହାଯାଇଛି।

ଗତ ୬ ସପ୍ତାହ ହେଲା ମଣିଷ-ହାତୀ ସଂଘର୍ଷ ବଢ଼ିଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁମୁହାଁ ହେଉଥିବାରୁ ସଂଘର୍ଷ ବି ବୃଦ୍ଧି ପାଇଛି। ଏବେ ଏମିତି ସ୍ଥିତି ହୋଇଛି ଯେ ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଅଧିକ ଲୋକଙ୍କ ଜୀବନ ଚାଲିଯିବ। ୨୦୨୦-୨୧ରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୯ଜଣ ଆହତ ହୋଇଥିଲେ। ତେବେ ୨୦୧୯-୨୦ରେ ରାଜ୍ୟରେ ସର୍ବାଧିକ ୧୧୫ଜଣଙ୍କ ମୃତ୍ୟୁ ଓ ୧୩୨ଜଣ ଆହତ ହୋଇଥିବା ନେଇ ଡବ୍ଲୁଏସ୍‌ଓ ଦ୍ବାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ଚଳିତ ଆର୍ଥିକ ବର୍ଷରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୯୭ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୧ଜଣ ରହିଛନ୍ତି। କେନ୍ଦୁଝର ଜିଲ୍ଲାରେ ୧୨, ଢେଙ୍କାନାଳରେ ୧୧, ଅନୁଗୁଳରେ ୧୦ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ବେଆଇନ ଭାବେ ଖଣି ଖନନ ଏବେ ଚିନ୍ତା ବଢ଼ାଇଛି। ଘଞ୍ଚ ଜଙ୍ଗଲ ତଥା ହାତୀଙ୍କ ଚଳପ୍ରଚଳ ଅଞ୍ଚଳରେ ଖଣି ଖନନ ହେଉଥିବାରୁ ସେମାନଙ୍କ ଖାଦ୍ୟ ଅଭାବ ପରିଲକ୍ଷିତ ହେଉଛି। ଯେଉଁଥିପାଇଁ ହାତୀପଲ ଅଧିକ ଉଗ୍ରରୂପ ଧାରଣ କରିବା ସହ ଜନବସତିମୁହାଁ ହେବା ସହ ଲୋକଙ୍କ ଜୀବନ ନେଉଥିବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି। ଗତ ୩ ବର୍ଷର ତଥ୍ୟ ଦେଖିଲେ, ଏଥିର ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରତି ଦୁଇ ଦିନରେ ହାତୀ-ମଣିଷ ମଧ୍ୟରେ ଗୋଟିଏ ସଂଘର୍ଷ ସଙ୍ଗଠିତ ହେଉଛି। ଯେତେବେଳେ କି ପ୍ରତି ୩ ଦିନରେ ଗୋଟିଏ ଜୀବନ ଯାଉଛି। ଆହତଙ୍କ ସଂଖ୍ୟା ବି କିଛି କମ୍‌ ନାହିଁ।

ସମିତିର ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି କହିଛନ୍ତି ଯେ ହାତୀ-ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛି। ଘରୋଇ ସଂସ୍ଥାକୁ କୋଟି କୋଟି ଟଙ୍କା ଦେଉଛି। ମାତ୍ର ସୁଫଳ ମିଳୁନି। ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ହାତୀ ଆକ୍ରମଣାତ୍ମକ ବ୍ୟବହାର କରିଥା’ନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ସହ ଗତିବିଧି ଉପରେ ନଜର ରଖିବାକୁ ହେବ। ୫୦% ମାମଲାରେ ସକାଳୁ ଜଙ୍ଗଲ ନିକଟକୁ ଶୌଚ କରିବାକୁ ଯିବା ସମୟରେ ଲୋକେ ହାତୀ ଆକ୍ରମଣର ଶିକାର ‌ହେଉଛନ୍ତି। ତେଣୁ ପ୍ରତି ଗାଁରେ ସ୍ବଚ୍ଛ ଭାରତ ଶୌଚାଳୟ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ବ ଦେବାକୁ ‌ହେବ। ଯୁବଗୋଷ୍ଠୀ ହାତୀଙ୍କୁ ଚିଡ଼ା‌ଇବା ଏବଂ ସେମାନଙ୍କ ସହ ସେଲ୍ଫି ଉଠାଇବା ଅନ୍ୟ ଏକ ପ୍ରମୁଖ କାରଣ। ହାତୀ ଗାଁରେ ପଶି ଘର କାନ୍ଥ ଭାଙ୍ଗିବା ଦ୍ବାରା ମଧ୍ୟ ଶୋଇଥିବା ଲୋକ ମୃତ୍ୟୁବରଣ କରୁଛନ୍ତି। ଗ୍ରୀଷ୍ମ ଦିନରେ ଆମ୍ବ ଓ ପଣସ ସଂଗ୍ରହ କରିବାକୁ ଜଙ୍ଗଲକୁ ଯିବା ସମୟରେ ଲୋକେ ହାତୀ ସହ ମୁହାଁମୁହିଁ ହେଉଥିବା ନଜରକୁ ଆସିଛି। ଏହାକୁ ରୋକିବାକୁ ହେଲେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ହାତୀ ଗାଁକୁ ପ୍ରବେଶ କରିବା ସମୟରେ ବିଦ୍ୟୁତ୍‌ ‌ସେବା କାଟି ଦିଆଯାଉଛି। ଏହାଦ୍ବାରା ଲୋ‌କେ ଜୀବନ ବଞ୍ଚାଇପାରୁ ନାହାନ୍ତି ଏବଂ ହାତୀ ଆକ୍ରମଣର ଶିକାର ହେଉଛନ୍ତି।

ଆର୍ଥିକ ବର୍ଷ ହାତୀ-ମଣିଷ ମୁହାଁମୁହିଁ ମୃତ ଆହତ
୨୦୧୪-୧୫ ୧୦୬ ୮୪ ୭୦
୨୦୧୫-୧୬ ୧୦୦ ୭୯ ୩୭
୨୦୧୬-୧୭ ୧୦୭ ୭୨ ୪୪
୨୦୧୭-୧୮ ୧୨୦ ୮୫ ୫୪
୨୦୧୮-୧୯ ୧୬୮ ୯୨ ୧୦୫
୨୦୧୯-୨୦ ୨୦୪ ୧୧୫ ୧୩୨
୨୦୨୦-୨୧ ୧୮୨ ୧୦୬ ୧୧୯
୨୦୨୧ରୁ ଏପର୍ଯ୍ୟନ୍ତ ୧୫୮ ୯୭ ୯୬

https://youtu.be/ZIDuwOMsdNE

ସମ୍ବନ୍ଧିତ ଖବର