ହାତୀ-ମଣିଷ ଲଢ଼େଇ: ଗଲାଣି ୧୦ ଜୀବନ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ବର୍ଷ ତମାମ ହାତୀଙ୍କ ଉପଦ୍ରବ ଲାଗିରହିଥିବା ବେଳେ ଗତ ୧୦ ମାସରେ ହାତୀ ମଣିଷ ଲଢ଼େଇରେ ୧୦ ଜଣଙ୍କ ଜୀବନ ଯାଇଛି। କେବଳ ସେତିକି ନୁହେଁ ଶହଶହ ଘର ଧରାଶାୟୀ ହୋଇଥିବା ବେଳେ ଏକର ଏକର ଫସଲ ନଷ୍ଟ ହୋଇଛି। ଏଭଳି ସ୍ଥିତିରେ ସ୍ଥାନୀୟ ଅଧିବାସୀ ନାନା ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି।

ତେଲକୋଇ ରେଞ୍ଜରେ ଏବେ କର୍ମଚାରୀ ମରୁଡି ଦେଖା ଦେଇଥିବା ବେଳେ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଛି। ଜଣେ ଡେପୁଟି ରେଞ୍ଜର ପଦବି ସହିତ ୧୩ ବନରକ୍ଷୀ ପଦବି ଫାଙ୍କା ରହିଛି। ୨୧ ଜଣ ବନରକ୍ଷୀ ବଦଳରେ ମାତ୍ର ୮ ଜଣ ରହିଛନ୍ତି। ୨ ଜଣ ବନରକ୍ଷୀଙ୍କ ପଦୋନ୍ନତି ହୋଇଛି। ଫଳରେ ୧୫ ବନରକ୍ଷୀ ପଦବି ଫାଙ୍କା ପଡ଼ିଛି। ବିମଳା ଫରେଷ୍ଟ ସେକ୍ସନରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିରହିଛି। ଏବେ ମଧ୍ୟ ବିମଳା ଫରେଷ୍ଟ ସେକ୍ସନରେ ୯ଟି ଦନ୍ତା, ୨୨ଟି ମାଈ ଓ ୧୧ଟି ଛୁଆ ହାତୀ ରହିଛନ୍ତି। ଏହି ୪୨ଟି ହାତୀ ୩ଟି ଭାଗ ହେଇ ବୁଲୁଛନ୍ତି।

୭ କର୍ମଚାରୀ ବଦଳରେ ଏଠି  ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡ ରହିଛନ୍ତି। ୫ ବନରକ୍ଷୀ ପଦବି ଫାଙ୍କା ପଡ଼ିଛି। ସେହିଭଳି କାଳିଆହତାରେ ୫ ଜାଗାରେ ୧, ତାଳପଦାରେ ୫ ଜାଗାରେ ୧ ଓ ତେଲକୋଇ ଫରେଷ୍ଟ ସେକ୍ସନରେ ୫ ପରିବର୍ତ୍ତେ ମାତ୍ର ୩ ବନରକ୍ଷୀ ରହିଛନ୍ତି। କେବଳ ଗଜସାଥୀ ଓ ଅସ୍ଥାୟୀ ବନସୁରକ୍ଷା ବାହିନୀ ଉପରେ ବିଭାଗ ନିର୍ଭର କରିଆସୁଛି। ଫଳରେ ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ସମ୍ପଦ ଲୁଟ୍ ରୋକିବାରେ ବିଭାଗ ବିଫଳ ହୋଇଛି।

ଯାହା ଜଣାଯାଇଛି ୧୦ ମାସ ମଧ୍ୟରେ ହାତୀ ଦ୍ଵାରା ୪ଜଣଙ୍କ ଜୀବନ ଯାଇଛି।  ଶତାଧିକ ଘର ଭାଙ୍ଗିଛନ୍ତି ହାତୀ। ଏକର ଏକର ଫସଲ ବି ନଷ୍ଟ କରିଛନ୍ତି।  ଫେବ୍ରୁଆରି  ୧୭ ତାରିଖ ଭୋର ସାଢେ ତିନିଟା ବେଳେ ତେଲକୋଇ ଥାନା ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନ( ୪୫),  ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଘାଗି ସାହି ଆମ୍ବ ବଗିଚାରେ ଗୌରଚନ୍ଦ୍ର ନାୟକ(୫୨), ସେପ୍ଟେମ୍ବର ୧୧ ତାରିଖ ସକାଳ ସାଢେ଼ ୫ଟା ବେଳେ ଦୋବଲାପାଳ ପଞ୍ଚାୟତ ବାଂଶପାଳ ଜୁଆଙ୍ଗ ସାହିର ମକୁରୁ ନାଏକ(୬୦) ଓ ଚଳିତ ମାସ ୧୨ ତାରିଖ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ପଡ଼ି ରାଇସୁଆଁ ପଞ୍ଚାୟତ ରାଣୀବେଡ଼ା ନୂଆଁ ସାହିର ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହାନ୍ତ(୭)ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଏଥିସହିତ ପ୍ରତିଦିନ ବ୍ୟାପକ ଧାନ, ପନିପରିବା, ଆଖୁ, କଦଳୀ, ଆମ୍ବ ଓ ଅର୍ଥକାରୀ ଫସଲ ଖାଇବା ସହିତ ମାଡ଼ିଦଳି ନଷ୍ଟ କରିଦେଇଛନ୍ତି। ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଖାଦ୍ୟ ପଦାର୍ଥ ଓ ଆସବାବପତ୍ର ନଷ୍ଟ କରିଦେଇଛନ୍ତି।

ଏନେଇ ବନ ବିଭାଗ ନିକଟରେ ଆପତ୍ତି କଲେ ମଧ୍ୟ ଅନୁକମ୍ପାମୂଳକ ସହାୟତା ମିଳି ପାରୁନାହିଁ। ଯାହା ବି ମିଳୁଛି ସମୁଦ୍ରକୁ ଶଙ୍ଖେ।  ଗୋଟିଏ ଏକର ଧାନ ଫସଲରେ ହାରାହାରି ସର୍ବନିମ୍ନ ୧୫ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ସରକାରୀ ସହାୟତା ମାତ୍ର ୧୦ ହଜାର ଓ ପନିପରିବା ଫସଲରେ ୨୦ ହଜାରରୁ ଅଧିକ ବ୍ୟୟ ହେଉଥିବା ବେଳେ ସରକାରୀ ସହାୟତା ମାତ୍ର ୧୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଆଜକୁ ୧୮ ବର୍ଷ ତଳେ ଅର୍ଥାତ୍ ୨୦୦୪ ମସିହାରେ ନିର୍ଦ୍ଧାରିତ ହୋଇଥିବା ବନ୍ୟପ୍ରାଣୀ କ୍ଷୟକ୍ଷତି ଅନୁକମ୍ପାମୂଳକ ସହାୟତା ଆଇନରେ ଆଜି ଯାଏଁ କୌଣସି ପରିବର୍ତ୍ତନ ହୋଇନାହିଁ। ସରକାର ଏଥିରେ ପରିବର୍ତ୍ତନ କରି ସହାୟତା ରାଶି ବୃଦ୍ଧି କରିବା ସହିତ ଆବଶ୍ୟକ କର୍ମଚାରୀ ଓ ହାତୀ ଘଉଡ଼ାଇବାକୁ ନବ ନିର୍ମାଣ କୃଷକ ସଂଗଠନ ତେଲକୋଇ ପକ୍ଷରୁ ଇନ୍ଦ୍ରମଣି ବିଶ୍ବାଳ, ଶୈଳେନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, ଅରକ୍ଷିତ ପ୍ରଧାନ, ଭ୍ରମରବର ପ୍ରଧାନ, ମଳୟ ସାହୁ, କାହ୍ନୁଚରଣ ପ୍ରଧାନ, ଚୈତନ୍ୟ ସାହୁ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର