ଶିମିଳିପାଳରେ ପୁଣି ହାତୀ ଶିକାର

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ଆଉ ବନ୍ୟଜନ୍ତୁଙ୍କ ପାଇଁ ସୁରକ୍ଷିତ ହୋଇରହିନି। ବନ ବିଭାଗର ନିଷ୍କ୍ରିୟତା ପାଇଁ ଏହି ଅଭୟାରଣ୍ୟ ଏବେ ବାଘ ଓ ହାତୀ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ ବନ୍ୟଜନ୍ତୁଙ୍କ ପାଇଁ ମୃତ୍ୟୁ ଉପତ୍ୟକା ପାଲଟିଛି। ଏଠାରେ ୩ ମାସରେ ୩ ଦନ୍ତାହାତୀଙ୍କ ଶିକାର ହୋଇ ସାରିଲାଣି। ମୂଲ୍ୟବାନ ହାତୀଦାନ୍ତ ଚାଲାଣ ପାଇଁ ହେଉଥିବା ଏହି ଶିକାର ପଛରେ ଥିବା ଜଙ୍ଗଲ ଦସ୍ୟୁଙ୍କ ପାଖରେ କିନ୍ତୁ ପହଞ୍ଚି ପାରୁନି ବନ ବିଭାଗ। ଯାହାର ଫାଇଦା ନେଇ ଶିମିଳିପାଳରେ ପୁଣି ଏକ ଦନ୍ତା ଶିକାର ହୋଇଛି।

ସୂଚନା ଅନୁସାରେ, ପିଠାବଟା ରେଞ୍ଜ ଗୋପିନାଥପୁର ବିଟ୍ ହାଉସ୍ ନିକଟରେ ଗତକାଲି ରାତିରେ ଏକ ଦନ୍ତାହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ବନବାସୀଙ୍କଠାରୁ ଖବର ପାଇ ଆଜି ସକାଳେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ପହଞ୍ଚି ତଦନ୍ତ କରିଥିଲା। ମୃତ ହାତୀର ବୟସ ୮ରୁ ୧୦ ବର୍ଷ ହେବ। ତାର ଦୁଇଟି ଯାକ ଦାନ୍ତକୁ ଶିକାରୀମାନେ କାଟି ନେଇଛନ୍ତି। ୩ରୁ ୪ ଦିନ ତଳେ ଦନ୍ତାକୁ ଶିକାର କରାଯାଇଥିବା ସୂଚନା ରହିଛି।

ଏହି ହାତୀ ଶିକାର ଘଟଣା ପରିବେଶବିତ୍‌, ପଶୁପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶିମିଳିପାଳରେ ଲଗାତର ହାତୀ ଶିକାରକୁ ନେଇ ହାଇକୋର୍ଟଙ୍କ ଉଦବେଗ୍ ପରେ ବି ସ୍ଥିତି ବଦଳୁନି। ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଥିବା ଆଇଏଫ୍‌ଏସ୍‌ ଅଧିକାରୀ ଓ ଶହଶହ କର୍ମଚାରୀ କରୁଛନ୍ତି କଣ ବୋଲି ସମସ୍ତେ ପ୍ରଶ୍ନ ଉଠିଛି।

ଏ ସଂପର୍କରେ ଶିମିଳିପାଳ ମୁଖ୍ୟ ବନ ସଂରକ୍ଷକ କେ.ଅଶୋକ କୁମାର କହିଛନ୍ତି; ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବନ ବିଭାଗର ଦୃଷ୍ଟି ରହିଛି। ଶିକାରୀଙ୍କୁ ଖୁବ୍‌ଶୀଘ୍ର ଧରାଯିବ ଓ ଆଗକୁ ଯେମିତି ଶିକାର ନ ହେବ ‌ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର