ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବନ୍ୟ ଜନ୍ତୁ ସୁରକ୍ଷିତ ନୁହନ୍ତି। ହାଇକୋର୍ଟଙ୍କ ଭର୍ତ୍ସନା ସତ୍ତ୍ବେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛି ବନ ବିଭାଗ। ଶିମିଳିପାଳରେ ପୁଣି ଏକ ଦନ୍ତାହାତୀକୁ ହତ୍ୟା କରି ଶିକାରୀମାନେ ଦାନ୍ତ କାଟି ନେଇଛନ୍ତି। ତେବେ ଏହି ଘଟଣା ଯେମିତି ପଦାକୁ ନ ଆସେ, ସେଥିପାଇଁ ବନ ବିଭାଗ ଢେର କସରତ କରିଛି। ଲୁଚିଛପି ମୃତହାତୀର ବ୍ୟବଚ୍ଛେଦ କରାଯାଇଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରଖାଯାଇଛି। ନିଜର ଦୋଷ ଲୁଚାଇବାକୁ ଯେତେ ଚେଷ୍ଟା କରିଥିଲେ ବି ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

୧୨ ଦିନ ତଳେ ଶିମିଳିପାଳ ଅଭୟାରଣ୍ୟ ତାଳବନ୍ଧ ରେଞ୍ଜ ତୋଲକବାଦି ଗାଁ ନିକଟ ଜଙ୍ଗଲରେ ଶିକାରୀମାନେ ଏକ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ଦାନ୍ତ କାଟି ନେଇଥିଲେ। ଗତକାଲି ସୁଦ୍ଧା ବନ ବିଭାଗ ପାଖରେ ଏ ବାବଦରେ ଖବର ନଥିଲା। ଅପରାହ୍ନରେ ଗୁଳିବିଦ୍ଧ ଦନ୍ତାହାତୀର ମୃତଦେହ ଦେଖି ସ୍ଥାନୀୟ ବନବାସୀ ବନ ବିଭାଗକୁ ଜଣାଇବା ପରେ ଗଣମାଧ୍ୟମ ଓ ଲୋକଙ୍କ ନଜର ଆଢ଼ୁଆଳରେ ରଖିବାକୁ ଆରମ୍ଭ ହୋଇଥିଲା ଯୋଜନା। ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜଣେ ପ୍ରାଣୀ ଚିକିତ୍ସକ ଓ କିଛି କର୍ମଚାରୀ ଗାଡ଼ିରେ ଯାଇ ଜଙ୍ଗ‌ଲରେ ମୃତହାତୀର ବ୍ୟବଚ୍ଛେଦ କରିଥିଲେ।

publive-image

ତେବେ ଏହି ଘଟଣା ଜଣାପଡ଼ିବା ପରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ସମସ୍ତେ ମୋବାଇଲ ବନ୍ଦ କରି ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ହାତୀ, ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ବୋଲି କହିଛନ୍ତି ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ। ଦନ୍ତା ଶିକାରର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ସେ ଦାବି କରିଛନ୍ତି। ସେହିଭଳି ପରିବେଶ ପ୍ରେମୀ ସଂଯୁକ୍ତା ବସା ମଧ୍ୟ ଦନ୍ତା ଶିକାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସୂଚନାଥାଉକି, ଗତ ମାସରେ ଶିମିଳିପାଳ ଜେନାବିଲ ରେଞ୍ଜରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଏକ ମୃତହାତୀକୁ ପୋଡ଼ି ତାର ଦେହାବଶେଷକୁ ନଦୀରେ ଭସାଇ ଦିଆଯାଇଥିଲା। ଏହି ଘଟଣାରେ ୩ ଜଣ ବନ କର୍ମଚାରୀ ନିଲମ୍ବନ ହେବା ସହ ଗିରଫ ମଧ୍ୟ ହୋଇଥିଲେ। ଏହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଶିମିଳିପାଳ ଅଭୟା‌ରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରଶ୍ନ ଉଠାଇ ବନ ବିଭାଗକୁ ଭର୍ତ୍ସନା କରିଥିଲେ। ପରେ ଶିମିଳିପାଳ ସଂଲଗ୍ନ ଖୁଣ୍ଟା ଅଞ୍ଚଳରୁ ଏକ ମହାବଳ ବାଘ ଛାଲକୁ ଏସ୍‌ଟିଏଫ ଟିମ୍ ଓ ଏକ କଲରାପତିଆ ବାଘ ଛାଲକୁ ପୁଲିସ ଜବତ କରିଥିଲା। ଏହି ବାଘ ଦୁଇଟିକୁ ମଧ୍ୟ ଶିମିଳିପାଳରୁ ଶିକାର କରାଯାଇଥିବା ଜଣାପଡ଼ିଥିଲା।