ଗୁଦଗୁଦିମୁଣ୍ଡା ଜଙ୍ଗଲରେ ଦନ୍ତା ଶିକାର : ବାର୍‌ହା ଫାଶରେ ପକାଇ ମାରିଦେଲେ!

ବଲାଙ୍ଗୀର/ ଦେଓଗାଁ : ବଲାଙ୍ଗୀର ସହରଠାରୁ ୮ କିମି ଦୂର ରତାଖଣ୍ଡି ଗାଁ ନିକଟ ଗୁଦଗୁଦିମୁଣ୍ଡା ଜଙ୍ଗଲ ଭିତରେ ଏକ ଦନ୍ତାହାତୀକୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ। ଚାଷ ଜମିରୁ ହାତୀର ମୃତଦେହ ଠାବ ହୋଇଛି। ହାତୀଟି ବାର୍‌ହା ଫାଶର ବିଦ୍ୟୁତ୍‌ ତାରରେ ଲାଗି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ହାତୀ ମୃତ୍ୟୁ ପରେ ଦୁବୃର୍ତ୍ତମାନେ ଫାଶ ପକାଇଥିବା ସାମଗ୍ରୀ ସହ ବିଦ୍ୟୁତ୍‌ ତାର ସବୁକୁ ନେଇ ଫେରାର ହୋଇଯାଇଥିବା ଅଂଚଳରେ ଚର୍ଚ୍ଚା ହେଉଛି। ବଲାଙ୍ଗୀର ବନବିଭାଗ ଅଧିକାରୀ ଖବର ପାଇବା ପରେ ଡିଏଫ୍‌ଓ ସମୀର ଶତପଥୀଙ୍କ ନେତୃତ୍ୱରେ ସଂଧ୍ୟାରେ ଏକ ଟିମ୍‌ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ରତାଖଣ୍ଡି ଗାଁର ଶ୍ରଦ୍ଧାକର ମାଝୀଙ୍କ ଚାଷ ଜମିରେ ଏକ ଦନ୍ତାହାତୀ ମରିପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ବାର୍‌ହାକୁ ମାରିବାକୁ କୁଆଡ଼େ ବିଦ୍ୟୁତ ଖୁଣ୍ଟରୁ ତାରରେ ଫାଶ କରାଯାଇଥିଲା। ସେହି ଫଶରେ ପଡ଼ି ହାତୀ ମରିଥିବା କୁହାଯାଉଛି। ହାତୀ ମୃତ୍ୟୁ ଖବର ପାଇବା ପରେ ଦେଓଗାଁ ଜଙ୍ଗଲ ବିଭାଗ ଟିମ୍‌ ପ୍ରଥମେ ପହଞ୍ଚିଥିଲେ। ପରେ ଜିଲ୍ଲାସ୍ତରୀୟ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ଡିଏଫଓ ଶ୍ରୀ ଶତପଥୀ କହିଛନ୍ତି, ହାତୀ ମୃତ୍ୟୁର କାରଣ ତଦନ୍ତ ପରେ କୁହାଯାଇପାରିବ। ପହଞ୍ଚିବା ସମୟରେ ବିଦ୍ୟୁତ୍‌ ତାର ନଥିଲା। ହାତୀର ଦାନ୍ତ ବି ରହିଛି। ବ୍ୟବଚ୍ଛେଦ ହେବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି। କିଛି ଦିନ ତଳେ ୧୪ଟି ହାତୀ ଆସିଥିଲେ। ୧୨ଟି ପଳାଇ ସାରିଥିବା ବେଳେ ଏହି ଦନ୍ତାହାତୀ ସହ ଆଉ ଏକ ମାଈ ହାତୀ ବୁଲୁଥି‌ଲା। ଏବେ ଦନ୍ତାର ମୃତ୍ୟୁ ଘଟିଛି ବୋଲି ଜଣାଯାଇଛି। ପ୍ରକାଶ ଯେ, ଗତ ବର୍ଷ ଉପରଝର ନିକଟରେ ଏଭଳି ଏକ ହାତୀ ହତ୍ୟାର ଶିକାର ହୋଇଥିଲା। ପୂର୍ବରୁ ଆହୁରି ଅନେକ ହାତୀଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର