ଦନ୍ତା ହାତୀ ମାରି ଦାନ୍ତ କାଟିନେଲେ
ବିଦ୍ୟୁତ ବିଭାଗ ଉପରେ ଦୋଷ ଲଦିଲା ବନବିଭାଗ
ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କୁମଖାଲ ପଞ୍ଚାୟତ ଲୁମା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ମିଳିଛି। ମୃତ ହାତୀର ଦୁଇ ଦାନ୍ତକୁ କାଟି ନିଆଯାଇଥିବାରୁ ଏହା ଶିକାରୀଙ୍କ କାମ ବୋଲି ସନ୍ଦେହ କରାଯାଉଛି। ତେବେ ବିଦ୍ୟୁତ ଆଘାତରେ ଏହି ଦନ୍ତାହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଅଧିକ ତଦନ୍ତ ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବନାଥପୁର- ବିଜେପୁର ରାସ୍ତାର ହାତୀଶାଳ ଘାଟି ନିକଟ ଖଜୁରପଦର ଓ ଲୁମା ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଦନ୍ତାହାତୀର ମୃତଦେହ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡିଏଫଓ ଟି. ଅଶୋକ କୁମାର,ଏସିଏଫ ମଳୟ ରଞ୍ଜନ କାଲୁ, ରେଞ୍ଜ ଅଫିସର ଲକ୍ଷ ମହାନନ୍ଦ, ପୁଲିସ କର୍ମଚାରୀ ଓ ବିଶ୍ୱନାଥପୁର ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଘଟଣାସ୍ଥଳରେ ହିଁ ହାତୀର ଶବ ବ୍ୟବଚ୍ଛେଦ ପରେ ସେଠାରେ ପୋତି ଦିଆଯାଇଛି। ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ ମହାନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, ହାତୀମାନେ ଏହି ଅଞ୍ଚଳରେ ଥିବା ଦେଖି ସେ ବିଦ୍ୟୁତ ବିଭାଗ ଜେଇଙ୍କୁ ଫୋନ କରି ବିଦ୍ୟୁତ ସରବରାହ ବନ୍ଦ କରିବାକୁ କହିଥିଲେ। ହ୍ବାଟ୍ସଆପ୍ରେ ମଧ୍ୟ ମେସେଜ ଦେଇଥିଲେ। ହେଲେ ଉକ୍ତ ଅଂଚଳରେ ବିଦ୍ୟୁତ କଟାଯାଇ ନଥିଲା, ଯାହା ଫଳରେ ହାତୀର ମୃତ୍ୟୁ ଘଟିଥିଲା ବୋଲି ଶ୍ରୀ ମହନନ୍ଦ କହିଛନ୍ତି। ସେହିପରି ବିଦ୍ୟୁତ ବିଭାଗ ଜେଇଙ୍କୁ ପଚାରିବାରୁ ବିଦ୍ୟୁତ କଟା ଯାଇଥିଲା ବୋଲି କହିଥିଲେ। ଯଦି ବିଦ୍ୟୁତ କଟାଯାଇଥିଲା ତେବେ କେମିତି ହାତୀର ମୃତ୍ୟୁ ଘଟିଲା ବୋଲି ପ୍ରଶ୍ନ ଉଠୁଛି। ଏଥିରେ ଶିକାରୀଙ୍କ ହାତ ମଧ୍ୟ ସନ୍ଦେହ କରାଯାଉଛି। ଏ ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି।