ଢେଙ୍କାନାଳ : ହାତୀ ଓ ମଣିଷ ଲଢେଇକୁ ନେଇ ଢେଙ୍କାନାଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହୁଛି। କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷଙ୍କୁ ହାତୀ ମାରୁଛି। ଗତ ୬ ବର୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ୮୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୧୪୭ ଜଣ ମଣିଷ ମରିଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସରକାର ଯେତେ ଯୋଜନା କଲେ ମଧ୍ୟ ହାତୀ ମଣିଷ ସଂଘର୍ଷକୁ ରୋକାଯାଇପାରୁ ନାହିଁ। ଯୋଜନାଗୁଡ଼ିକ ମୂଳଲକ୍ଷ୍ୟରୁ ବିଚ୍ୟୁତ ହୋଇଯାଉଥିବାରୁ ଆଶା ଅନୁଯାୟୀ ସଫଳତା ମିଳିପାରୁ ନାହିଁ। ଜନବସତିମୁହାଁ ହାତୀଙ୍କୁ ଘଉଡ଼ାଇବା ଲାଗି କାର୍ଯ୍ୟକାରୀ ହେଉଛି ‘ଐରାବତ ଯୋଜନା। ନିଯୁକ୍ତି ହୋଇଛନ୍ତି ମାଳମାଳ ଗଜବନ୍ଧୁ, ହାତୀସ୍କ୍ବାଡ୍। ଜାତୀୟ ରାଜପଥରେ ଲାଗିଛି ନାଲିବତି। ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ କରାଯାଉଛି ସୋଲାର୍ ଫେନ୍ସିଂ ବ୍ୟବସ୍ଥା। ଏଥିସହିତ ମହୁମାଛି ବାକ୍ସ ଲଗାଯାଇ ହାତୀମାନଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରିବା ଲାଗି ରୋକାଯାଉଛି। ରି–ହାବ୍ (ରିଡ୍ୟୁସିଂ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ ଯୁଜିଂ ବିଇଚ୍) କାର୍ଯ୍ୟକାରୀ ହେଉଛି। ହାତୀର ଗତିବିଧି ଲକ୍ଷ୍ୟ କରିବା ଏବଂ ଶିକାରୀଙ୍କ ଦାଉରୁ ରକ୍ଷା ପାଇଁ ଲଗାଯାଇଛି ସିସିଟିଭି କ୍ୟାମେରା, ହାତୀ ଅଣ୍ତରପାସ୍ , ଓଭରପାସ୍ ପରି ଅନେକ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଆହୁରି ଅନେକ ନୂତନ ପକ୍ରଳ୍ପ କାର୍ଯ୍ୟକାରିତା ହେବା ଅପେକ୍ଷାରେ ରହିଛି। ପାଇଲଟ୍ ପ୍ରକଳ୍ପଗୁଡିକ ଶତପ୍ରତିଶତ ସଫଳତା ମିଳୁ ନଥିବାରୁ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। ସେମାନେ ଖାଦ୍ୟ ଅନ୍ବେଷଣରେ ଜନବସତିମୁହାଁ ହୋଇ ମଣିଷକୁ ମାରିଥିବା ବେଳେ ମଣିଷଙ୍କ ଆକ୍ରମଣରେ ହାତୀ ପରି ବରାଟକାୟ ପ୍ରାଣୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି।
ଜଙ୍ଗଲ ମାଫିଆଙ୍କ ପ୍ରଭାବ ଦିନକୁ ଦିନ ବଢି ଚାଲିଥିବାରୁ ଜଙ୍ଗଲସବୁ ଉଜୁଡ଼ିବାରେ ଲାଗିଛି। ଏଥିସହିତ କେନାଲ ଖୋଳା, ବିଦ୍ୟୁତ୍ ଲାଇନ୍ ବିଛା, ରାସ୍ତା, ଗୃହ ନିର୍ମାଣ, ଜଙ୍ଗଲଜମି ଦଖଲ ଏବଂ ଶିଳ୍ପାୟନ ନାଁରେ ବଡ଼ ବଡ଼ ଗଛକାଟି ଜଙ୍ଗଲ ସଫା କରାଯାଉଛି। ଜଙ୍ଗଲ ଧୀରେ ଧୀରେ ସଙ୍କୁଚିତ ହେଉଥିବା ବେଳେ ସେହି ଅନୁପାତରେ ଏବଂ ସେତେ ଶୀଘ୍ର ନୂତନ ଜଙ୍ଗଲ ସୃଷ୍ଟି ହୋଇପାରୁ ନାହିଁ। ବନ ବିଭାଗ, ପୁଲିସ୍, ରାଜସ୍ବ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ମଧ୍ୟ ଜଙ୍ଗଲକ୍ଷୟର ଅନ୍ୟତମ କାରଣ ହୋଇଛି। ରାସ୍ତାଘାଟ ନିର୍ମାଣ, ବେଆଇନ୍ ଖଣି ଖାଦାନ ବଢିବା ସହ ବ୍ୟାପକ ଲଘୁ ଖଣିଜଦ୍ରବ୍ୟ ଉତ୍ତୋଳନରେ ଜଙ୍ଗଲ ଉଜୁଡିଚାଲିଛି। ପିଇବାକୁ ପାଣି ଏବଂ ଖାଇବାକୁ ଖାଦ୍ୟ ନ ପାଇ ହାତୀ ଜନବସତି ମୁହାଁହୋଇ ଫସଲଠାରୁ ଆରମ୍ଭ କରି ଧନଜୀବନ ନଷ୍ଟ କରୁଛନ୍ତି। ହାତୀଙ୍କୁ ମାରି ଦାନ୍ତ ଲୁଟ୍ କରି ବିଦେଶ ଚାଲାଣ ପାଇଁ ମାଫିଆଙ୍କ ସଂଖା ମଧ୍ୟ ବଢିବାରେ ଲାଗିଛି। ହାତୀର ମୂଲ୍ୟବାନ୍ ଦାନ୍ତ, ତା ପାଇଁ ସମସ୍ୟା ପାଲଟୁଛି। ହାତୀମୃତ୍ୟୁ ରେକିବା ପାଇଁ ଉପରୋକ୍ତ ପ୍ରକଳ୍ପଗୁଡିକରେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ‘ହାତୀ ମଣିଷ ଲଢେଇର ଅନ୍ତ କେବେ ଘଟିବ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ସଂପ୍ରତି ୩୦୦ ହାତୀ ଚଳପ୍ରଚଳ କରୁଛନ୍ତି। ସେଥିରୁ କେବଳ ହିନ୍ଦୋଳ ବନାଞ୍ଚଳରେ ସର୍ବାଧିକ ୨୦୦ ହାତୀ ରହୁଛନ୍ତି। ଜିଲ୍ଲାରେ ହାତୀ ସଂଖ୍ୟା ଅଧିକ ରହୁଥିବା ବେଳେ ହାତୀ ମୃତ୍ୟୁ ମଧ୍ୟ ସେହିତୁଳନାରେ ବଢିଚାଲିଛି। ହାତୀ -ହାତୀ ମଧ୍ୟରେ ଲଢେଇ, ବିଦ୍ୟୁତ୍ ଆଘାତ, ସଡ଼କ ଦୁର୍ଘଟଣା, ଟ୍ରେନ୍ ଦୁର୍ଘଟଣା ଆଦି ହାତୀମୃତ୍ୟୁର ନିୟମିତ କାରଣ ହୋଇଛି। ସେହିପରି ଖୋଳାହେଉଥିବା କେନାଲରେ ଖସିପଡି, ଶିକାରୀ ଗୁଳିରେ, ବିଭିନ୍ନ ରୋଗରେ ମଧ୍ୟ ହାତୀମାନଙ୍କ ପ୍ରାଣ ଚାଲିଯାଉଛି। ଗତ ୬ ବର୍ଷ ମଧ୍ୟରେ ୮୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୭-୧୮ ବର୍ଷରେ ୧୯ଟି, ୧୮-୧୯ ବର୍ଷରେ ୧୬ଟି, ୨୦୧୯-୨୦ ବର୍ଷରେ ୧୬ ଟି ହାତୀର ମୃତ୍ୟୁ ହୋଇଥିଲା। ୨୦୨୦-୨୧ରେ ୬ଟି, ୨୧-୨୨ରେ ୧୩ଟି ହାତୀ ଏବଂ ୨୦୨୨-୨୩ର ଚଳିତ ଅକ୍ଟୋବର ମାସ ୨୧ ତାରିଖ ସୁଦ୍ଧା ୧୩ଟି ହାତୀର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁହେଉଥିବା ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ହେଉଛି। ଗତ ୬ ବର୍ଷ ମଧ୍ୟରେ ୧୪୭ଜଣ ମଣିଷଙ୍କ ମୃତ୍ୟୁ ହୋଇଛି। ଗତ ୨୦୧୭–୧୮ ବର୍ଷରେ ହାତୀ ଆକ୍ରମଣରେ ୨୧ ଜଣ,୧୮–୧୯ ବର୍ଷରେ ୩୧ ଜଣ, ୧୯–୨୦ ବର୍ଷରେ ୨୨ଜଣ, ୨୦–୨୧ ବର୍ଷରେ ୩୫ ଜଣ, ୨୧–୨୨ ବର୍ଷରେ ୨୦ ଜଣ ଏବଂ ୨୨–୨୩ ବର୍ଷରେ ୧୮ ଜଣ ମଣିଷଙ୍କର ଜୀବନ ଚାଲିଯାଇଛି।
ହାତୀମାନେ ଜନବସତି ମୁହାଁ ନହେବା ଲାଗି ବ୍ୟାପକ ବନୀକରଣ, ଜଙ୍ଗଲରେ ପୋଖରୀ ଖନନ ଏବଂ ଟ୍ରେଞ୍ଚ ଖୋଳା, ଜଙ୍ଗଲରେ ହାତୀଖାଉଥିବା ଫଳଗଛ ରୋପଣ ଆଦି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବ୍ୟାପକ ବାଟମାରଣା ଯୋଗୁଁ ସବୁଯୋଜନା ବିଫଳ ହୋଇଯାଉଥିବାରୁ ହାତୀମାନଙ୍କୁ ଜଙ୍ଗଲରେ ଅଟକ ରଖାଯାଇପାରୁ ନାହିଁ। ଯେଉଁଥି ପାଇଁ ଜନବସତି ମୁହାଁ ହେଉଥିବା ହାତୀ ଆକ୍ରମଣରେ ମଣିଷମାନଙ୍କର ପ୍ରାଣଯାଉଛି। ହାତୀ-ମଣିଷ ଲଢେଇ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ, କଡାକଡି ଆଇନ୍ ଲାଗୁ କରିବା ସହ ଆନ୍ତରିକତା ଓ ମାନସିକତାରେ ପରିବର୍ତ୍ତନ ନ ଆସିଲେ ଯେତେ ପ୍ରକଳ୍ପ କାର୍ଯ୍ୟକାରୀ କଲେ ମଧ୍ୟ ହାତୀ-ମଣିଷ ଲଢେଇକୁ ରୋକାଯାଇପାରିବ ନାହିଁ ବୋଲି ପ୍ରାଣୀପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।