ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ରେଞ୍ଜ କାବରା ପଞ୍ଚାୟତ ଚିରୁଳେଇ ରାଜସ୍ୱ ଗ୍ରାମରେ ହାତୀ ଉତ୍ପାତ ଲାଗିରହିଛି। ଗୋଟିଏ ଦନ୍ତା ହାତୀ ଗତ ୫ଦିନ ହେଲା ଚିରୁଳେଇ, ଚମଦଳ, କାବରା, ମାଧପୁର ଗ୍ରାମରେ ଲୋକମାନଙ୍କ ବାଡିରେ ପଶି ବ୍ୟାପକ କ୍ଷୟ କ୍ଷତି କରୁଛି। ହାତୀଟି ଚମଦଳ ଗ୍ରାମ ପାଖ ଜଙ୍ଗଲରେ ଦିନ ସାରା ରହୁଛି। ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ସମସ୍ତ ଗ୍ରାମରେ ଲୋକମାନଙ୍କ ବାଡିବଗିଚାରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛି।

Advertisment

ଗତକାଲି ରାତିରେ ହାତୀଟି ଚିରୁଳେଇ ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କର ବାଡିରେ ପଶି ତାଙ୍କ ବ୍ରଏଲରରେ ଥିବା ୧୫ବସ୍ତା ଧାନ ଖାଇବା ସହିତ ୧୦ଟି ଆମ୍ବ ଗଛ ଓ ୧୦ଟି କଦଳୀ ଗଛ ଖାଇ ନଷ୍ଟ କରିଦେଇଛି। ପ୍ରଫୁଲ୍ଲ ରାଉଳଙ୍କର ୨୫ଟି ନଡିଆ ଗଛ ନଷ୍ଟ କରିବା ସହ ରଞ୍ଜନ ସାହୁଙ୍କର ୧୦ଗୁଣ୍ଠ ଜମିରେ ଥିବା କଦଳୀ ଗଛ ଖାଇ ନଷ୍ଟ କରିଛି ଏବଂ ସୁଧିର ବେଜଙ୍କର ପଥର ପ୍ରାଚୀର ହାତୀ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଆଜି ଦିନରେ ହାତୀଟି ଗାଁ ପାଖରେ ବୁଲୁଥିବାରୁ ଲୋକମାନେ ଆତଙ୍କିତ ହୋଇଛନ୍ତି। ଚମଦଳ ପୋଖରୀ ନିକଟରେ ହାତୀଟି ଦିନରେ ରହିଥିବାରୁ ଆଜି ଗ୍ରାମର ଲୋକମାନେ ଗାଧୋଇବାକୁ ଯାଇପାରିନଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିବା ସହ ଯଥାଶୀଘ୍ର ଚାଷୀମାନଙ୍କୁ କ୍ଷତିପୂରଣ ଦେବା ଏବଂ ହାତୀଟିକୁ ଅନ୍ୟତ୍ର ଘଉଡାଇବାକୁ ସମାଜସେବୀ ସନ୍ତୋଷ ବିଶ୍ୱାଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।