ଗାଁ ମୁହଁରେ ଦନ୍ତା

ବୁଗୁଡ଼ା : ଆଜି ଅପରାହ୍ନରେ ହଠାତ୍‌ ଗାଁ ମୁଣ୍ଡରେ ଠିଆ ହୋଇଥିଲା ଏକ ଦନ୍ତା ହାତୀ। ପ୍ରାଣ ଭୟରେ ଯିଏ ଯୁଆଡ଼େ ପାରିଲେ ସମସ୍ତେ ଧାଇଁ ପଳାଇଲେ। ବାହାରେ ଖେଳୁଥିବା ପିଲା ମାନେ ଘର ଭିତରକୁ ପଳାଇବା ପରେ ତାଟିକବାଟ ପଡ଼ିଗଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରାପଲ୍ଲୀ ଗ୍ରାମରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ଗାଁ ମୁହଁକୁ ଏକ ହାତୀ ମାଡ଼ି ଆସିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ହାତୀଟି ଖଳାରେ ଥିବା ଧାନ ଖାଇବା ସହ ଏକର ଏକର ଜମିରେ ଧାନ ଫସଲ ଦଳି ଚକଟି ନଷ୍ଟ କରି ଦେଇଛି। ଏହି ଧାନ ଚକଡ଼ା ଓ ବର୍ଷା ପ୍ରଭାବରେ ନଷ୍ଟ ହୋଇ ନଥିଲା। ଚାଷୀ ମାନେ ସୁରକ୍ଷିତ କରି ରଖିଥିବା ବେଳେ ହାତୀର ଆତଙ୍କ ଚାଷୀଙ୍କ ପାଇଁ କଟା ଘା’ରେ ଚୂନ ସଦୃଶ ପାଲଟିଛି।

ହାତୀଟି ବଂଶୀଧର ନାୟକ, ଚନ୍ଦୁରି ନାୟକ, ବାନାମ୍ବର ନାୟକ, ବିଦ୍ୟାଧର ନାୟକଙ୍କ ଧାନଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବର ମିଳିବା ସୁଦ୍ଧା, ହାତୀଟି ଏବେ ଗ୍ରାମରେ ଗତିବିଧି ଜାରି ରଖିଛି। ଗତକାଲି ବି ଗ୍ରାମ ନିକଟ କିରିଆମ୍ବା ଜଙ୍ଗଲରୁ ହାତୀପଲ ପଶି ଆସିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ହାତୀଙ୍କୁ ଘଉଡ଼ାଇବା ଦିଗରେ ବନବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର