ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦନ୍ତା ସମେତ ଦୁଇ ହାତୀ, ଲୋକେ ଭୟଭୀତ

ଖୋର୍ଦ୍ଧା: ସ୍ୱଳ୍ପ ସମୟ ବ୍ୟବଧାନରେ ପୁଣିଥରେ ଖୋର୍ଦ୍ଧା ସହର ମଧ୍ୟକୁ ହାତୀ ପ୍ରବେଶ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟକୁ ପଶିଆସିଥିବା ହାତୀ ଦୁଇଟିଙ୍କୁ ଘଉଡ଼ାଇବାକୁ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ଅଭିଯାନ ଚଳାଇଛନ୍ତି ।

ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବବ୍ୟବଚ୍ଛେଦ ଗୃହ ନିକଟ ସହରାଂଚଳ ବନୀକରଣ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲ ମଧ୍ୟରେ ଦୁଇଟି ହାତୀକୁ ହସ୍ପିଟାଲ୍‌ କେତେକ କର୍ମଚାରୀ ଦେଖିଥିଲେ । ଏନେଇ ବନ ବିଭାଗକୁ ସୂଚନା ଦେବା ପରେ ଖୋର୍ଦ୍ଧା ବନଖଣ୍ଡର ଏକ ୫ଜଣିଆ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ବନ ବିଭାଗର ସୂଚନାନୁସାରେ, ଦୁଇଟି ହାତୀ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଥିବା ଜଣାଯାଇଛି । ତେବେ ଜଙ୍ଗଲ ମଧ୍ୟରେ ଥିବାରୁ ସେମାନଙ୍କ ଗତିବିଧି ସଠିକ ନିରୂପଣ କରାଯାଇପାରିନାହିଁ । ତେବେ ତାଙ୍କୁ ଜରିପୁଟ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରାଯାଉଛି ।

ସୂଚନାଯୋଗ୍ୟ ୨୦୨୦ କରୋନା ସଂକ୍ରମଣଜନିତ ଲକ୍‌ଡାଉନ୍‌ ସମୟରେ ଖୋର୍ଦ୍ଧା ସହରକୁ ହାତୀ ଆସିଥିଲା । ଖୋର୍ଦ୍ଧା ସହର ମଧ୍ୟକୁ ହାତୀର ପ୍ରବେଶ ଦେଖି ବନ ବିଭାଗ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ୨୦୨୦ରେ ସହର ମଧ୍ୟରୁ ୩ଥର ହାତୀ ଆସିଥିବା ବେଳେ ୨୦୨୧ରେ ୪ଥର ହାତୀ ପ୍ରବେଶ କରିଛି । ତେବେ ପ୍ରତ୍ୟେକ ଥର ଗୋଟିଏ ହାତୀ ଆସିଥିବା ବେଳେ ଚଳିତ ବର୍ଷ ଦୁଇଟି ହାତୀ ପ୍ରବେଶ କରିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ହାତୀ ବର୍ତମାନ ନିଜର ପୂର୍ବ ପଥକୁ ପରିବର୍ତ୍ତନ କରି ସହର ମଧ୍ୟ ଦେଇ ଜରିପୁଟ-ସର୍ଦ୍ଦାପୁର ଜଙ୍ଗଲ ଦେଇ ଯାଉଛି । ତେବେ ଗତ ଦୁଇ ବର୍ଷ ମଧ୍ୟରେ ହାତୀ କାହାରିକୁ ଆକ୍ରମଣ କରିନାହିଁ । ଏଥିପାଇଁ ଆତଙ୍କିତ ନହୋଇ ଓ ନିଜେ ଘଉଡ଼ାଇବାକୁ ଚେଷ୍ଟା ନକରି ବନବିଭାଗ କର୍ମଚାରୀଙ୍କୁ ସହଯୋଗ କରିବାକୁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର