ପୁରୀ : ପୁରୀ ସଦର ବ୍ଲକ୍‌ରେ ସୋମବାର ଦିନ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଛି। ସନ୍ଧ୍ୟା ସୁଦ୍ଧା ଏହି ହାତୀ ଭାର୍ଗବୀ ନଦୀ ଡେଇଁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ କଡ଼ ତରଜଙ୍ଗ ଗାଁ’ରେ ପହଞ୍ଚିଥିବା ବନବିଭାଗ ଠାବ କରିଥିଲା। ରାତି ୧୧ଟାରେ ଏହି ଦନ୍ତା ପୁରୀ ସହରର ଅଠରନଳା ନିକଟ ଖଣ୍ଡିଆବନ୍ଧରେ ପହଞ୍ଚିଯାଇଥିଲା। ରାତି ୧୨ଟାରେ ଦନ୍ତା ହାତୀଟି ପୁରୀ ସହରର ଏକ ନମ୍ବର ୱାର୍ଡର ମାଟିତୋଟା ଅଞ୍ଚଳରେ ପଶିଛି। ଏହାକୁ ନେଇ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନବିଭାଗର ଚିନ୍ତା ବି ବଢ଼ିଯାଇଛି। ଏଣୁ ଜଙ୍ଗଲ ଦେଇ ଯେଉଁ ପଥରେ ହାତୀ ଆସିଥିଲା, ତାକୁ ସେହି ରାସ୍ତା ‌ଦେଇ ବନବିଭାଗ ଘଉଡ଼ାଇବାକୁ ଚେଷ୍ଟା କରୁଛି। ସେପଟେ ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଛି। ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଛି। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Advertisment

ଅନ୍ୟପଟେ ହାତୀଟି ଖୋଲା ଜାଗାକୁ ନ ଆସି ଜଙ୍ଗଲ ଭିତରେ ଲୁଚି ରହୁଯିବାରୁ ବନବିଭାଗ ହାତୀକୁ ଠାବ କରିବାରେ ଆଜି ଦିନତମାମ ନାକେଦମ ହୋଇଛି। ସେପଟେ ହାତୀକୁ ଘଉଡ଼ାଇବା ପାଇଁ ପୁରୀ ବନଖଣ୍ଡ ସହ ଖୋର୍ଦ୍ଧା ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ବି ଲାଗିଛନ୍ତି। ଦିନରେ ହାତୀକୁ ‌ଘଉଡ଼ାଇବା ସମ୍ଭବ ନ ହେବାରୁ ବନବିଭାଗ ସନ୍ଧ୍ୟା ଗଡ଼ିବା ପରେ ନିଆଁହୁଳା, ବାଣ ଫୁଟାଇ ଓ ସର୍ଚ୍ଚ ଲାଇଟ୍‌ ପକାଇ ହାତୀ ଘଉଡ଼ାଇବା କାମ ଜାରିରଖିଛି। କିନ୍ତୁ ହାତୀ ଖୋର୍ଦ୍ଧା ବନଖଣ୍ଡ ଆଡ଼କୁ ଯିବା ପ‌ରିବର୍ତ୍ତେ ପୁରୀ ସହରରେ ପ୍ରବେଶ କରିଛି। ବନଖଣ୍ଡ ଅଧିକାରୀ ପି. ରାମାସ୍ବାମୀ, ଏସିଏଫ୍‌ ଉତ୍ତମ ଗଡ଼ନାୟକ, ପୁରୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା‌ ପ୍ରମୁଖ ଘଟଣାସ୍ଥଳରେ ଜଗି ରହିବା ସହ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

ଘଉଡ଼ାଇବା ପାଇଁ ବନ ବିଭାଗ ନାକେଦମ
ଘଉଡ଼ାଇବାରେ ଲାଗିଛନ୍ତି ଦୁଇ ବନଖଣ୍ଡର ଅଧିକାରୀ

ସୋମବାର ସକାଳେ ଦନ୍ତାହାତୀଟି ପୁରୀ ସଦର ବ୍ଲକ୍‌ ପ୍ରତାପ ପୁରୁଷୋତ୍ତମପୁର(ପାଙ୍କଳ) ପଞ୍ଚାୟତ କୃଷ୍ଣାଞ୍ଜନପୁର ଗାଁ ନିକଟରେ ଦେଖିବାକୁ ମିଳିଥିଲା। ଭାର୍ଗବୀ ନଦୀର ‌ଗୋଟିଏ ପାର୍ଶ୍ବରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ଲାଗିଥିବା କୃଷ୍ଣାଞ୍ଜନପୁର ଗାଁ ରାସ୍ତାରେ ହାତୀଟି ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦିଦେଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ହାତୀଟିକୁ ଆଜି ଭୋର ୫ଟାରେ ଗାଁ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ଚଳପ୍ରଚଳ ପରେ ଏହା କୃଷ୍ଣାଞ୍ଜନପୁର ଗାଁ ପାଖ ଜଙ୍ଗଲରେ ଲୁଚିଯାଇଥିଲା। କିନ୍ତୁ ଅପରାହ୍ଣରେ ଏହା ଭାର୍ଗବୀ ନଦୀ କୂଳକୁ ଚାଲି ଆସିଥିଲା। ଯେହେତୁ ଭାର୍ଗବୀ ନଦୀ ଡେଇଁଲେ ଦନ୍ତାହାତୀ ପୁରୀ ସହରରେ ପଶିଯିବାର ସମ୍ଭାବନା ରହିଛି, ସେ ଦୃଷ୍ଟିରୁ ଯେଉଁ ରାସ୍ତା ପାର ହୋଇ ହାତୀଟି ନଦୀ ପାଖକୁ ଯାଇଥିଲା, ସେହି ରାସ୍ତାକୁ ପୁଣି ଫେରାଇବାକୁ ବନ ବିଭାଗ ଚେଷ୍ଟା କରିଥିଲା। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଚେଷ୍ଟା କରି ବି ବନ ବିଭାଗ ବିଫଳ ହୋଇଛି। ରାତି ହେବା ପରେ ହାତୀଟି ଭାର୍ଗବୀ ନଦୀ ପାରହୋଇ ବୀରବଳଭଦ୍ରପୁର ଗାଁ’ ଦେଇ ପୁରୀ ସହରଠାରୁ ମାତ୍ର ୫ କିଲୋମିଟର ଦୂର ତଳଜଙ୍ଗ ଗାଁ ନିକଟରେ ଚଳପ୍ରଚଳ କରୁଥିବା ବନବିଭାଗ କହିଛି।

publive-image

ପୁରୀ ବନଖଣ୍ଡ ଅଧିକାରୀ ପି. ରାମାସ୍ବାମୀ କହିଛନ୍ତି, ଦିନରେ ହାତୀର ଚଳପ୍ରଚଳ କମ୍‌ ରହିଥାଏ। ଏଣୁ ଆମେ ରାତିରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଛୁ। ହାତୀର ଗତିବିଧି ଉପରେ ଆମେ ନଜର ରଖିଛୁ। ଅଦ୍ୟାବଧି କୌଣସି କ୍ଷୟକ୍ଷତି ହୋଇନଥିବା ଶ୍ରୀ ରାମାସ୍ବାମୀ କହିଛନ୍ତି। ଖୋର୍ଦ୍ଧା ବନଖଣ୍ଡ ଏସିଏଫ୍‌ କହିଛନ୍ତି, ଦୁଇଦିନ ତଳେ ଯେଉଁ ହାତୀ ଡେଲାଙ୍ଗରେ ଦେଖା ଦେଇଥିଲା, ଏହା ସେହି ଦନ୍ତାହାତୀ। ଆମେ ଗତ ତିନିଦିନ ଧରି ଏହି ହାତୀର ଗତିବିଧି ଉପରେ ନଜର ରଖିଛୁ। କିନ୍ତୁ ଗତକାଲି ରାତିରେ ଏହା କେଉଁ ବାଟ ଦେଇ ପୁରୀ ସଦର ବ୍ଲକ୍‌ ଅଞ୍ଚଳକୁ ଚାଲିଆସିଛି ବର୍ତ୍ତମାନ ସୁଦ୍ଧା କାହାରି କିଛି କ୍ଷୟକ୍ଷତି ହୋଇନି। ଡେଲାଙ୍ଗରେ କିଛି ବ୍ୟକ୍ତିଙ୍କ ଧାନ ନଷ୍ଟ କରିଛି। ହାତୀଟି ବର୍ତମାନ ଶାନ୍ତ ରହିଛି, ସେଭଳି କାହାରିକୁ ଆକ୍ରମଣ କରିନି ବୋଲି ଖୋର୍ଦ୍ଧା ଏସିଏଫ କହିଛନ୍ତି। ପୁରୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା କହିଛନ୍ତି, ବର୍ତ୍ତମାନ ଆମେ ଯଥାସମ୍ଭବ ଆସିଥିବା ରାସ୍ତାରେ ହାତୀକୁ ଫେରାଇ ନେବାକୁ ଚେଷ୍ଟା କରୁଛୁ। ଏଥିପାଇଁ ବନ ଅଧିକାରୀ ଓ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।