ପୁରୀ: ଗତ କିଛିଦିନ ହେବ ପୁରୀର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇଥିବା ହାତୀଟିକୁ ଅବଶେଷରେ ବନ ବିଭାଗ ଆଜି ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ପୁରୀ-କୋଣାର୍କ ରାସ୍ତାର ବାଲିଗୁଆଳିଠାରେ ଜଙ୍ଗଲୀ ହାତିଟି ଆଜି ସକାଳେ ଥିବାର ଖବର ମିଳିଥିଲା। ତାକୁ ଘଉଡ଼ାଇବା ଲାଗି ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଥିଲା। ଏଣେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା।
ସୂଚନାଯୋଗ୍ୟ, ପୁରୀ ସଦର ବ୍ଲକ୍ରେ ସୋମବାର ଦିନ ଏକ ଦନ୍ତାହାତୀ ପଶି ଆତଙ୍କ ଖେଳାଇଥିଲା। ସନ୍ଧ୍ୟା ସୁଦ୍ଧା ଏହି ହାତୀ ଭାର୍ଗବୀ ନଦୀ ଡେଇଁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ କଡ଼ ତରଜଙ୍ଗ ଗାଁ’ରେ ପହଞ୍ଚିଥିବା ବନବିଭାଗ ଠାବ କରିଥିଲା। ରାତି ୧୧ଟାରେ ଏହି ଦନ୍ତା ପୁରୀ ସହରର ଅଠରନଳା ନିକଟ ଖଣ୍ଡିଆବନ୍ଧରେ ପହଞ୍ଚିଯାଇଥିଲା। ରାତି ୧୨ଟାରେ ଦନ୍ତା ହାତୀଟି ପୁରୀ ସହରର ଏକ ନମ୍ବର ୱାର୍ଡର ମାଟିତୋଟା ଅଞ୍ଚଳରେ ପଶିଛି। ଏହାକୁ ନେଇ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ବନବିଭାଗର ଚିନ୍ତା ବି ବଢ଼ିଯାଇଥିଲା। ଏଣୁ ଜଙ୍ଗଲ ଦେଇ ଯେଉଁ ପଥରେ ହାତୀ ଆସିଥିଲା, ତାକୁ ସେହି ରାସ୍ତା ଦେଇ ବନବିଭାଗ ଘଉଡ଼ାଇବାକୁ ଚେଷ୍ଟା କରୁଥିଲା। ସେପଟେ ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଥିଲା। ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଥିଲା। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ।
ଅନ୍ୟପଟେ ହାତୀଟି ଖୋଲା ଜାଗାକୁ ନ ଆସି ଜଙ୍ଗଲ ଭିତରେ ଲୁଚି ରହୁଯିବାରୁ ବନବିଭାଗ ହାତୀକୁ ଠାବ କରିବାରେ ଗତକାଲି ଦିନତମାମ ନାକେଦମ ହୋଇଥିଲା। ସେପଟେ ହାତୀକୁ ଘଉଡ଼ାଇବା ପାଇଁ ପୁରୀ ବନଖଣ୍ଡ ସହ ଖୋର୍ଦ୍ଧା ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ବି ଲାଗିଥିଲେ। ଦିନରେ ହାତୀକୁ ଘଉଡ଼ାଇବା ସମ୍ଭବ ନ ହେବାରୁ ବନବିଭାଗ ସନ୍ଧ୍ୟା ଗଡ଼ିବା ପରେ ନିଆଁହୁଳା, ବାଣ ଫୁଟାଇ ଓ ସର୍ଚ୍ଚ ଲାଇଟ୍ ପକାଇ ହାତୀ ଘଉଡ଼ାଇବା କାମ ଜାରିରଖିଥିଲା। କିନ୍ତୁ ହାତୀ ଖୋର୍ଦ୍ଧା ବନଖଣ୍ଡ ଆଡ଼କୁ ଯିବା ପରିବର୍ତ୍ତେ ପୁରୀ ସହରରେ ପ୍ରବେଶ କରିଥିଲା।
ସୋମବାର ସକାଳେ ଦନ୍ତାହାତୀଟି ପୁରୀ ସଦର ବ୍ଲକ୍ ପ୍ରତାପ ପୁରୁଷୋତ୍ତମପୁର(ପାଙ୍କଳ) ପଞ୍ଚାୟତ କୃଷ୍ଣାଞ୍ଜନପୁର ଗାଁ ନିକଟରେ ଦେଖିବାକୁ ମିଳିଥିଲା। ଭାର୍ଗବୀ ନଦୀର ଗୋଟିଏ ପାର୍ଶ୍ବରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ଲାଗିଥିବା କୃଷ୍ଣାଞ୍ଜନପୁର ଗାଁ ରାସ୍ତାରେ ହାତୀଟି ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦିଦେଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ହାତୀଟିକୁ ଆଜି ଭୋର ୫ଟାରେ ଗାଁ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ଚଳପ୍ରଚଳ ପରେ ଏହା କୃଷ୍ଣାଞ୍ଜନପୁର ଗାଁ ପାଖ ଜଙ୍ଗଲରେ ଲୁଚିଯାଇଥିଲା। କିନ୍ତୁ ଅପରାହ୍ଣରେ ଏହା ଭାର୍ଗବୀ ନଦୀ କୂଳକୁ ଚାଲି ଆସିଥିଲା। ରାତି ହେବା ପରେ ହାତୀଟି ଭାର୍ଗବୀ ନଦୀ ପାରହୋଇ ବୀରବଳଭଦ୍ରପୁର ଗାଁ’ ଦେଇ ପୁରୀ ସହରଠାରୁ ମାତ୍ର ୫ କିଲୋମିଟର ଦୂର ତଳଜଙ୍ଗ ଗାଁ ନିକଟରେ ଚଳପ୍ରଚଳ କରୁଥିବା ବନବିଭାଗ କହିଥିଲା।