ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀପଲଙ୍କ ଉପଦ୍ରବ। ଉଜୁଡି ଯାଉଛି ଶହ ଶହ ଏକର ଫସଲ। ଗୃ୍ହଶୂନ୍ୟ ହେଉଛନ୍ତି ପରିବାର। ବର୍ଷ ତମାମ ହାତୀପଲଙ୍କ ଏଭଳି ଉତ୍ପାତ ଜାରି ରହୁଥିଲେ ହେଁ ବନ ବିଭାଗ ରୋକିବାରେ ବିଫଳ ହୋଇଛି। ଜନବସତି ମୁହାଁ ହେଉଥିବା ହାତୀପଲଙ୍କ ବାଟ ଓଗାଳିକୁ ବିଭିନ୍ନ ସ୍ଥାନରେ ସୋଲାର ଫେନ୍‌ସିଂ କରାଯାଇଛି। ହେଲେ ହାତୀପଲଙ୍କ ବାଟ ଓଗାଳି ପାରୁନି। ଗତ ୨୦୨୧-୨୨ରୁ ୨୦୨୩-୨୪ ଅର୍ଥାତ୍‌ ୩ ବର୍ଷରେ ହାତୀପଲ ଯୋଗୁ ରାଉରକେଲା ଓ ବଣାଇ ବନଖଣ୍ଡରେ ମୋଟ ୭୪୩ ପରିବାର ଘର ଭାଙ୍ଗିଛି। ଏଥି ମଧ୍ୟରୁ ୩୨୨ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଛି। ୪୨୧ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅବଶ୍ୟ କ୍ଷତିପୂରଣ ବାବଦକୁ ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଉଛି। ହେଲେ ଯେତିକି ଅର୍ଥ ସରକାର ଦେଉଛନ୍ତି, ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କ୍ଷତିଗ୍ରସ୍ତ ପରିବାର ପକ୍ଷରୁ କୁହାଯାଇଛି। ସେପଟେ ଘରଶୂନ୍ୟ ହୋଇଥିବା କିଛି ପରିବାର ଗାଁ ଛାଡି ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି।

Advertisment

ବଣାଇ ବନଖଣ୍ଡ ଅନ୍ତର୍ଗତ ବଣାଇ, କୁଳିପୋଷ, ଟାମରା, ଜର୍ଡା, ବରସୁଆଁ ଓ କୋଇଡା ରେଞ୍ଜରେ ୨୦୨୧-୨୨ରୁ ୨୦୨୩-୨୪ ଅର୍ଥାତ୍‌ ତିନି ବର୍ଷ ମଧ୍ୟରେ ହାତୀପଲ ବିଭିନ୍ନ ବସ୍ତିରେ ପଶି ଉତ୍ପାତ ମଚାଇବା ସହ ମୋଟ ୪୫୨ ଘର ଭାଙ୍ଗିଛନ୍ତି। ଏଥି ମଧ୍ୟରେ ୧୮୩ ପରିବାର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ୨୬୯ ଘର ଆଂଶିକ ଭାଙ୍ଗିଛି। ୨୦୨୧-୨୨ରେ ୭୨ ପରିବାର ଘର ସମ୍ପୂର୍ଣ୍ଣ, ୮୭ ଘର ଆଂଶିକ ଭାଙ୍ଗିଛି। ୨୦୨୨-୨୩ରେ ୧୦୭ ଘର ମାଟିରେ ମିଶିଥିଲାବେଳେ ୧୨୮ ଘର ଆଂଶିକ ଭାଙ୍ଗିଛି। ୨୦୨୩-୨୪ ଆଜି ପର୍ଯ୍ୟନ୍ତ ୪ ଘର ସମ୍ପୂର୍ଣ୍ଣ ଓ ୫୪ ଘର ଆଂଶିକ ଭାଙ୍ଗିଛି। କ୍ଷତିପୂରଣ ବାବଦରେ ମୋଟ ୨୭ ଲକ୍ଷ ୨୮ ହଜାର ଟଙ୍କା ପ୍ରଦାନ କରାଯାଇଛି।

ସେମିତି ରାଉରକେଲା ବନଖଣ୍ଡ ଅନ୍ତର୍ଗତ ପାନପୋଷ, ବିଶ୍ରା, କୁଆରମୁଣ୍ଡା, ପାନପୋଷ, ବାଙ୍କି ଏମିତି ୬ ରେଞ୍ଜରେ ଗତ ତିନି ବର୍ଷ ମଧ୍ୟରେ ହାତୀପଲଙ୍କ ଉପଦ୍ରପରୁ ୨୯୨ ଭାଙ୍ଗିଛି। ଏଥି ମଧ୍ୟରୁ ୧୩୯ ପରିବାର ସମ୍ପୂର୍ଣ୍ଣ ଗୃହଶୂନ୍ୟ ହୋଇଛନ୍ତି। ୧୫୨ ପରିବାର ଘର ୩୦ରୁ ୫୦% ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି। ୨୦୨୧-୨୨ରେ ୬୨ ପରିବାର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲାବେଳେ ୧୧୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୨୦୨୨-୨୩ରେ ୬୫ ଘର ମାଟିରେ ମିଶିଥିଲାବେଳେ ୪୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଆଜି ପର୍ଯ୍ୟନ୍ତ ୧୨ ପରିବାର ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବାବେଳେ ୨ ଜଣଙ୍କ ଘର ଆଂଶିକ୍ଷ କ୍ଷତିଗ୍ରସ୍ତ ହୋଇଛି। ରାଉରକେଲା ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ବାବଦରେ ମୋଟ ୧୭ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ବନ ବିଭାଗ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେଇ କାମ ସାରିଦେଇଛି। ହେଲେ ଆଜି ପର୍ଯ୍ୟନ୍ତ ଜନବସତିମୂହାଁ ହେଉଥିବା ହାତୀପଲଙ୍କୁ ରୋକିବାରେ ସେମିତି କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ।