ଭଞ୍ଜନଗର: ରାତି ହେଲେ ଆତଙ୍କିତ ହୋଇ ପଡୁଛନ୍ତି ଲୋକେ। ଆଠଗଡ଼ ଦନ୍ତା ଏ ଗାଁ ସେ ଗାଁ’ରେ ପଶୁଛି। ବଣୁଆ ନୁହେଁ, ପୋଷା ହାତୀ ଭଳି ଆଚରଣ ଦେଖାଉଛି। ଏପରିକି ଗାଁ ମୁଖ୍ୟ ଦାଣ୍ଡରେ ନିର୍ଭୟରେ ଟହଲ ମାରି ବୁଲିଛି। ଆଉ କେତେବେଳେ କାହା ଘର କବାଟ ଠେଲି ପଶୁଛି। କାହାଘରୁ ଧାନ ଓ ଚାଉଳ ବସ୍ତା ଟାଣି ନେଉଛି ତ, କାହା ଘରୁ ଆଳୁବସ୍ତା ଟାଣି ନେଇ ଖାଇଯାଉଛି। ଗାଁ ଦାଣ୍ଡରେ ଯାନବାହନ, ଆଖପାଖରେ ଲୋକ ଯାଉଥିଲେ ମଧ୍ୟ କାହାରି କିଛି କ୍ଷତି କରୁନି। ଆଉ ନିଶ୍ଚିନ୍ତରେ ଟହଲି ଟହଲି ଗାଁ ସାରା ବୁଲୁଛି ଦନ୍ତା। ଏହା ଦେଖିବାକୁ ମିଳିଛି ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ମାଣପୁର ଗ୍ରାମରେ। କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳରୁ ଶତାଧିକ କିମି. ରାସ୍ତା ଅତିକ୍ରମ କରି ଏକୁଟିଆ ଦନ୍ତାହାତୀ ଉତ୍ତର ଘୁମୁସର ଜଙ୍ଗଲକୁ ଚାଲି ଆସିଥିଲା। ଗତ କିଛି ଦିନ ହେଲା ତା’ର ଏଭଳି ଭିନ୍ନ ଆଚରଣ ସମସ୍ତଙ୍କୁ ଚକିତ କରିଛି। ଗତ ବୁଧବାର ଦିନ ଗାୟଗଣ୍ଡା ସେକ୍ସନ୍ର ନବଗୋଚ୍ଛା, ମଣ୍ଡାପଥର ଓ କନ୍ଧ ଗୁଣ୍ଡୁରିବାଡି ଇଲାକାରେ ଉକ୍ତ ଦନ୍ତାହାତୀ ଘର କବାଟ ତାଡ଼ି ଧାନ ଓ ଚାଉଳ ବସ୍ତା ବାହାରକୁ ଟାଣି ଆଣି ଖାଇବା ସହ ନଷ୍ଟ କରିଥିଲା।
ଗ୍ରାମରେ କିଛି ଘରର ବାଡ଼ ଭାଙ୍ଗିବା ସହ ଦୌରାତ୍ମ୍ୟ ଖେଳାଇଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଗ୍ରାମବାସୀ ଅଭିଯୋଗ କରିବା ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ପାଇଥେଲିଆ ଜଙ୍ଗଲକୁ ଘଉଡ଼ାଇଥିଲେ। ସେଠାରୁ ହାତୀଟି ଘୋଗଡ଼, ଗାୟଗଣ୍ଡା ସେକ୍ସନ୍ ପାର ହୋଇ ତାରସିଂ ବନାଞ୍ଚଳର ମାଣପୁର ଇଲାକାକୁ ଚାଲି ଆସିଥିଲା। ମାଣପୁର, ବାରଦଣ୍ଡା, ଗ୍ରାମଦେବତୀ, ଶିଶୁଣ୍ଡା ଆଦି ଗ୍ରାମ ନିକଟରେ ଘୂରି ବୁଲୁଥିବା ବେଳେ ଗତକାଲି ରାତିରେ ଗ୍ରାମଦେବତୀ ଗ୍ରାମରେ ଜଣଙ୍କ କବାଟ ଠେଲି ଆଳୁ ବସ୍ତା ଟାଣି ନେଇ ଖାଇଥିଲା। ସେଠାରୁ ମାଣପୁର ଆଡ଼କୁ ଚାଲି ଆସିଥିଲା। ଗାଁ ମଝି ରାସ୍ତାରେ ବୁଲୁଥିବା ବେଳେ ଟ୍ରାକ୍ଟର, ବାଇକ୍, ଅଟୋ ଆଦି ରହିଥିଲେ ମଧ୍ୟ କିଛି କ୍ଷତି କରିନଥିଲା। ଗ୍ରାମର ଅରୁପାନନ୍ଦ ପ୍ରଧାନଙ୍କ ପତ୍ନୀ ଅଙ୍ଗନବାଡ଼ିରେ କାମ କରୁଥିବା ବେଳେ ତାଙ୍କର ଘରର କବାଟ ଶୁଣ୍ଢରେ ଠେଲି କିଛି ସାମ୍ନାରେ ରହିଥିବା କିଛି ଛତୁଆ ପ୍ୟାକେଟ୍ ଟାଣି ନେଇଥିଲା। ଏଥିସହ ଗ୍ରାମର କୌଳାସ ସେଠୀ, ଗଣେଶ ଗୌଡ଼, କାଳୁ ଗୌଡ଼, କାମକଳା ଗୌଡ଼, କାଳିଆ ଗୌଡ଼ଙ୍କ ଘର କବାଟ ଠେଲି ଖୋଲି ଦେଇଥିଲେ ମଧ୍ୟ କିଛି କ୍ଷତି ଘଟାଇ ନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ହଠାତ୍ ଏକ ଦନ୍ତାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଦନ୍ତାଟିକୁ ଦଲକ ଜଙ୍ଗଲ ଭିତରକୁ ଘଉଡ଼ାଇଥିବା ବେଳେ ତା’ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସ୍ବତନ୍ତ୍ର ଭାବେ ଶିଶୁଣ୍ଡା, ତିରିଗେଚ୍ଛା ଏବଂ ଗ୍ରାମଦେବତୀ, ମାଣପୁର, ବାରଦଣ୍ଡା ଏବଂ ସୁରମଣି ଗାଡ଼ିଆପଡ଼ା ଗ୍ରାମ ନିକଟରେ ତିନୋଟି ଗାଡ଼ିରେ କର୍ମଚାରୀ ହାତୀକୁ ସୁରକ୍ଷା ଦେବାକୁ ପଇଁତରା ମାରୁଛନ୍ତି। ତେବେ ସନ୍ଧ୍ୟା ସମୟରେ ହିଁ ହାତୀ ଜନବସତି ମୁହାଁ ହେଉଥିବାରୁ ହାତୀକୁ ସୁରକ୍ଷା ସହ ଦନ୍ତା ଠାରୁ ଲୋକଙ୍କ ସୁରକ୍ଷା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।
ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରୁ ଉକ୍ତ ହାତୀଟି ଅଚାନକ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା। ଏହାପରେ ସଂପୃକ୍ତ ବନଖଣ୍ଡ ବନ କର୍ମଚାରୀ ବହୁ ଖୋଜାଖୋଜି କରି କୌଣସି ଟେର୍ ପାଇ ନଥିଲେ। ଏହାପରେ ଉକ୍ତ ଦନ୍ତାଟି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରେ ଥିବା ଖବର ଜଣାପଡ଼ିବା ପରେ ତା’ର ସୁରକ୍ଷା ପାଇଁ ବନ ବିଭାଗ କର୍ମଚାରୀ ପ୍ରୟାସ ଆରମ୍ଭ କରିଥିଲେ। ଗତ ମଙ୍ଗଳବାର ହାତୀଟି ନୟାଗଡ଼ ଜଙ୍ଗଲରୁ କେଉଁଆଡେ ପଳାଇଥିଲା। ଏନେଇ ନୟାଗଡ଼ ଡିଏଫ୍ଓ ହାତୀଟିକୁ ଖୋଜିବାକୁ ଆରମ୍ଭ କରିଥିବା ସହ ପଡ଼ୋଶୀ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କୁ ଅବଗତ କରିଥିଲେ। ଏହାପରେ ଉକ୍ତ ଦନ୍ତା ସଂର୍ପକରେ ଡିଏଫ୍ଓ ରେଞ୍ଜର୍ଙ୍କ ଠାରୁ ଆରମ୍ଭ କରି ସମସ୍ତ ବନ କର୍ମଚାରୀଙ୍କୁ କହିଥିବା ବେଳେ ତାରସିଂ ବନାଞ୍ଚଳର ଗାୟଗଣ୍ଡା ସେକ୍ସନ୍ରେ ହାତୀଟି ଥିବା ଜଣାପଡ଼ିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/fde18526-c754-4e91-aa12-f0a611e56fc5.jpg)