ତେଲକୋଇ : ତେଲକୋଇ ବ୍ଲକ୍‌ ଓରିଆବିରିଦା ପଞ୍ଚାୟତ ଜଟ ଗ୍ରାମ‌ରେ ଆଜି ରାତିରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶିଛି। ଖାଦ୍ୟ ଅନ୍ୱେଷଣରେ ହାତୀଟି ଗାଁ ଭିତରକୁ ପଶି ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଥିବା ଧାନଚାଉଳ ବସ୍ତାକୁ ଟାଣି ଖାଇଦେଇଛି। ଗ୍ରାମବାସୀ ହୋହଲ୍ଲା କରିବାରୁ ଦନ୍ତାଟି ଡିମିରିଆ ଗ୍ରାମ ଆଡ଼କୁ ଚାଲିଯାଇଛି।

Advertisment

ସେହିପରି ଗତକାଲି ରାତିରେ କରଦାଙ୍ଗି ପଞ୍ଚାୟତ ସରେଇ ଗ୍ରାମରେ ଏକ ଦନ୍ତାହାତୀ ପଶିଥିଲା। ଗାଁ ମୁଣ୍ଡରେ ଥିବା ପରମାନନ୍ଦ ପ୍ରଧାନଙ୍କ ଘର କାନ୍ଥ ଓ କବାଟ ଭାଙ୍ଗି ଚାଉଳ ଖାଇଛି। ଘରଟି ଜନବସତିଠାରୁ ଦୂରରେ ରହିଛି। ପରିବାର ଲୋକେ ଦନ୍ତାକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ଚାଉଳ ଖାଇବା ପରେ ହାତୀଟି ସେଠାରୁ ଚାଲି ଯାଇଥିଲା। ଏହି ଗୋଠଛଡ଼ା ଦନ୍ତାଟି ତେଲକୋଇ ଅଞ୍ଚଳରେ ଆତଙ୍କ ଜାରି ରଖିଛି।

publive-image

ଘର ଭାଙ୍ଗିଲେ ହାତୀପଲ
ତେଲକୋଇ : ତେଲକୋଇ ବ୍ଲକ୍‌ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ପୁଣି ହାତୀପଲ ପଶି ଘର ଭାଙ୍ଗିବା ସହ ଧାନଚାଉଳ ଖାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ଏକ ୧୨ଟିକିଆ ହାତୀପଲ ପଶିଥିଲେ। ଦମୟନ୍ତୀ ନାଏକଙ୍କ ଘର ଓ ହଲର ମେସିନ ରହୁଥିବା ଘରର କାନ୍ଥ ଭାଙ୍ଗି ଧାନଚାଉଳ ଖାଇଛନ୍ତି। ସାହିବାସୀ ଏକାଠି ହାତୀପଲଙ୍କୁ ଘଉଡ଼ାଇଛନ୍ତି। ଏହି ହାତୀପଲ ଏବେ ନିକଟସ୍ଥ ଖେଣ୍ଡେରା ଜଙ୍ଗଲରେ ଡେରା ପକାଇଛନ୍ତି। ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ହାତୀପଲ ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହ ଫସଲ ଉଜାଡ଼ୁଛନ୍ତି। ହାତୀ ଆକ୍ରମଣରେ ବିଭିନ୍ନ ସମୟରେ ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ତ୍ତମାନ ଚାଷୀମାନେ ବିଲରେ ଧାନତଳି ପକାଇଛନ୍ତି। ହାତୀପଲ ବିଲରେ ପଶି ତଳି କିଆରିକୁ ନଷ୍ଟ କରିଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।