ହାତୀ ଆତଙ୍କ: ଗାଁ ଦାଣ୍ଡରେ ଦନ୍ତା, ଲୋକଙ୍କ ଘରେ ପଡିଗଲାଣି ତାଟିକବାଟ

ଭଦ୍ରକ/ବନ୍ତ/ଗଣିଜାଙ୍ଗ: ଭଦ୍ରକ ଜିଲ୍ଲାରେ ଏବେ ଦନ୍ତା ହାତୀ ଆତଙ୍କ ଖେଳାଇଦେଇଛି। ଜଙ୍ଗଲରୁ ଆସି ହାତୀ ଏବେ ଜନ ବସତିରେ ବୁଲୁଛି।  ଦନ୍ତାର ଆତଙ୍କରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ  ଅନ୍ତର୍ଗତ ଆଗରପଡା ଓ  ଗଣିଜାଙ୍ଗ ଅଞ୍ଚଳରେ  ଘରେ ଘରେ ତାଟି କବାଟ ପଡିଛି। ଗାଁ ଦାଣ୍ଡରେ ବୁଲୁଛି ଦନ୍ତା। କେତେବେଳେ କାହାକୁ  ପାଦରେ ଦଳି ଦେବ ସେ କଥା କହି ହେବ ନାହିଁ । ଗତକାଲି ରାତିଠାରୁ ଦନ୍ତାହାତୀ ଆଗରପଡା ଅଞ୍ଚଳରୁ ଆସି ବନ୍ତ ବ୍ଲକର ଗଣିଜାଙ୍ଗରେ ପହଞ୍ଚିଛି। ଲୋକଙ୍କ ଘର ବାଡି ଓ ଦାଣ୍ଡରେ ଠିଆ ହୋଇ ରହୁଛି। ଗାଁ ଛାଡି ବାହାରକୁ ଯାଉ ନି ଦଣ୍ଡା। ଦନ୍ତାକୁ ଦେଖି ଗଣିଜାଙ୍ଗ ଅଞ୍ଚଳର ଲୋକ ଭଦ୍ରକ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଭଦ୍ରକ ବନ ବିଭାଗ, ଆଗରପଡା ବନ ବିଭାଗ କର୍ମଚାରୀ  ବନ୍ତ, ଆଗରପଡା ଓ ଭଦ୍ରକ ପୁଲିସ ପହଞ୍ଚିଥିଲେ। ହାତୀକୁ ଗାଁ ଭିତରୁ ବମ୍  ଫୁଟାଇ ନିକଟସ୍ଥ ଏକ  ଗ୍ରାମ୍ୟ ଜଙ୍ଗଲକୁ ଗୁଡାଇ ଦେଇଛନ୍ତି।

 

ହାତୀକୁ ସବୁ ଆଡୁ ଦିନ ତମାମ ଘେରି ରହିଛନ୍ତି ବନ ବିଭାଗ ଓ ପୁଲସ କର୍ମଚାରୀ। ଆଜି ରାତିରେ ଏଇ ଦନ୍ତା ହାତୀଙ୍କୁ ବନ ବିଭାଗ ଓ ପୁଲିସ ସହାୟତାରେ ହଦଗଡ ଜଙ୍ଗଲ ଆଡକୁ ଘୌଡାଇ ଦିଆଯିବ ବୋଲି ବନ ବିଭାଗ ସୂତ୍ରରୁ ଖବର ମିଳିଛି।  ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ କେନ୍ଦୁଝର ଜିଲ୍ଲା ହଦସଗଡ ଡ୍ୟାମ ଜଙ୍ଗଲରୁ ଦନ୍ତାହାତୀ ସାଳନ୍ଦୀ ନଦୀର କୂଳେ କୂଳେ ଭଦ୍ରକ ଜିଲ୍ଲାର ଆଗରପଡା ସହରକୁ ପଳାଇ ଆସିଥିଲା।

ଆଗରପଡାର ବିଭିନ୍ନ ଅଞ୍ଚଳରେ ଦନ୍ତା ବୁଲୁଥିଲା। ଦନ୍ତା ଆଉ ଡଦଗଡ  ଜଙ୍ଗଲ  ଆଡକୁ ନଫେରି ଗାଁ ମୁହାଁ ହୋଇଥିଲା। ଗତକାଲି ରାତିରେ ଦନ୍ତା ଆରଗପଡାରୁ ବିଭିନ୍ନ ଗାଁ ଦେଇ ଗଣିଜାଙ୍ଗରେ ପହଞ୍ଚି୍‌ଥିଲା। ଆଗରପଡା, ବିସଲପଟା , ଓଡଙ୍ଗ, ଗୋପାଳପୁର ଦେଇ ଗଣିଜାଙ୍ଗରେ ପହଞ୍ଚିଥିଲା। ଗଣିଜାଙ୍ଗ ପଞ୍ଚାୟତର ବଗଦାଶାସନ ଗ୍ରାମରେ ହାତୀ ଉପଦ୍ରବ ଆରମ୍ଭ କରିଥିଲା। ବିଭିନ୍ନ ଲୋକଙ୍କ ବାଡିରେ ପଶି ପନି ପରିବା ଖାଇବା ସହ ଗଛ ସବୁ   ପାଦରେ ଦଳି ଚକଟି ଦେଇଥିଲା। ଦନ୍ତାକୁ ସକାଳୁ ସକାଳୁ ଗାଁ ଦାଣ୍ଡରେ ଦେଖିବା ପରେ ସକାଳୁ ସକାଳୁ ହଟାତ ହାତୀକୁ ଦେଖି ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା।

ଲୋକମାନେ ଘରର କବାଟ କିଳି ପଶିବା ସହ ଭଦ୍ରକ ବନ ବିଭାଗ ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ଖବର ଦେଇଥିଲେ। ଖବର ପଇବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା  ଓ ଭଦ୍ରକ ବନ ବିଭାଗ କର୍ମଚାରୀ ଓ ଆଗରପଡା ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ହାତୀ ଗାଁ ଦାଣ୍ଡରୁ ଯାଉ ନଥିବାରୁ   ବନ କର୍ମଚାରୀଙ୍କୁ ଫଲସ୍ ବମ୍ ଫୁଟାଇ ହାତୀକୁ ଘୌଡାଇ ନିକଟସ୍ଥ ଏକ ଗ୍ରାମ୍ୟ ଜଙ୍ଗଲରେ ଛାଡିଛନ୍ତି।  ଆଜି ରାତିରେ ହାତୀକୁ ଜଙ୍ଗଲକୁ  ନିଆଯିବ ବୋଲି ସୂଚନା ମିଳିଛି। ସବୁଠାରୁ ବଡ କଥା ହେଉଛି  ଜଙ୍ଗଲ ଶୂନ୍ୟ ଭଦ୍ରକ ଜିଲ୍ଲାର ଜନ ବସତିରେ ଏବେ ହାତୀ ବୁଲିବା ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିବା ସହ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି। ଆଗପରଡା, ବନ୍ତ ଓ ଭଦ୍ରକର ବରପଦା ଅଞ୍ଚଳର ଲୋକମାନେ ଅଧିକ  ଆତଙ୍କିତ ହୋଇଛନ୍ତି। ହାତୀ ଜଙ୍ଗଲକୁ ନଫେରିବା ପର୍ଯ୍ୟନ୍ତ ଲୋକମାନେ ଏଭଳି ଆତଙ୍କିତ ଅବସ୍ଥାରେ ରହିବେ ବୋଲଇ ଜଣାପଡିଛି।

ସମ୍ବନ୍ଧିତ ଖବର