ଶୁଣ୍ଢ ଘା’ ହାତୀ ନେଲାଣି ୨ ଜୀବନ, ୩ ବର୍ଷ ହେଲା ଯନ୍ତ୍ରଣାରେ ଛଟପଟ

ରାଉରକେଲା: ହାତୀ ଶୁଣ୍ଢଟି ଘା’ ହୋଇ ପୋକ ସାଲୁବାଲୁ। ନା ସ୍ଥିର ହୋଇ ରହି ପାରୁଛି ନା ଶୋଇ ପାରୁଛି। ୩ ବର୍ଷ ହେଲାଣି ଯନ୍ତ୍ରଣାରେ ଛଟପଟ ହୋଇ ଏଣେ ତେଣେ ବୁଲୁଛି। ଏହି ଯନ୍ତ୍ରଣା ହାତୀକୁ କ୍ରମେ ହିଂସ୍ର କରିଛି। ଏହି ଶୁଣ୍ଢରେ ସେ ଦୁଇ ଜଣଙ୍କ ଜୀବନ ନେଇ ସାରିଲାଣି। ତଥାପି ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗର ଚେତା ପଶୁନାହିଁ। ଆହତ ଏହି ବନ୍ୟ ପ୍ରାଣୀର ଚିକିତ୍ସା କରିବା ପରିବର୍ତ୍ତେ ବନ ବିଭାଗ ତା’କୁ ରାଜ୍ୟ ବାହାରକୁ ଘଉଡ଼ାଇ ପାଇଁ ଉଦ୍ୟମ କରୁଛି।

ଝାଡ଼ଖଣ୍ଡ ସୀମାନ୍ତ କୁତ୍ରା ବ୍ଲକ୍‌ ଅଞ୍ଚଳରେ ଗତ ୩ ବର୍ଷ ହେଲା ଦଳ ଛାଡ଼ି ଏକା ଘୂରି ବୁଲୁଥିବା ହାତୀଟି କ୍ରମେ ଉଗ୍ର ରୂପ ନେବାରେ ଲାଗିଛି। ଗତକାଲି ପତ୍ରାପଡ଼ା ଜଙ୍ଗଲରେ ହାତୀଟି କେତେକ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଗତ ଜୁନ୍ ମାସ ୨୧ ତାରିଖ ଦିନ କଟଙ୍ଗ ଝରିଆ ଗ୍ରାମର ଲାଲ୍ ନେବ ସିଂଙ୍କୁ ହାତୀ କଚାଡ଼ି ମାରିଥିଲା। ଏହା ପୂର୍ବରୁ ଏହି ହାତୀ ପଞ୍ଚରା ଓରାମର ଜଣେ ମହିଳାଙ୍କୁ କଚାଡ଼ି ମାରି ଦେଇଥିଲା। ଏହି ହାତୀର ଶୁଣ୍ଢଟି କଟି ଯାଇ ବଡ଼ ଘା’ ସୃଷ୍ଟି ହୋଇଛି। ଶୁଣ୍ଢରୁ ପୋକ ବାହାରୁ ଥିବା ବେଳେ ସେ ଅନେକ ସମୟରେ ଯନ୍ତ୍ରଣାରେ ଚିତ୍କାର କରୁଛି। କୁହାଯାଏ, ହାତୀଟି ଝାଡ଼ଖଣ୍ଡ ରାଜ୍ୟର ସୀମଡେଗା ଅଞ୍ଚଳର ଏକ ହାତୀପଲରେ ଥିଲା। ୩ ବର୍ଷ ପୂର୍ବେ ସୀମଡେଗାରେ ପ୍ରଧାନମନ୍ତ୍ରୀ ସଡ଼କ କାର୍ଯ୍ୟ ଚାଲୁଥିବା ବେଳେ ହାତୀଟି କାର୍ଯ୍ୟସ୍ଥଳରେ ଆକ୍ରମଣ କରିବାରୁ ‌ଏକ ଜେସିବି ଚାଳକ ଆତ୍ମରକ୍ଷା ପାଇଁ ବକେଟ୍‌ରେ ହାତୀକୁ ପ୍ରହାର କରିଥିଲା। ହାତୀ ଶୁଣ୍ଢ ଦେଖାଇ ଦେବାରୁ ମୁନିଆଁ ବକେଟ୍‌ ମାଡ଼ରେ ଆଘାତ ଲାଗିଥିଲା। ଚିକିତ୍ସା ନ ହେବାରୁ ହାତୀ ଶୁଣ୍ଢଟିରେ କ୍ରମଶଃ ପୋକ ହୋଇଯାଇଛି। ଯନ୍ତ୍ରଣାରେ ଛଟ ପଟ ହେଉଥିବା ହାତୀଟି ସୀମା ପାର୍ ହୋଇ ଓଡ଼ିଶା ଭିତରକୁ ପଶି ଆସିଥିଲା। ଏ ସମ୍ପର୍କରେ ବଡ଼ଗାଁ ରେଞ୍ଜ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ କହିଛନ୍ତି, ହାତୀଟି ଦୁଇ ବର୍ଷ ହେଲା ଘୂରି ବୁଲୁଛି। ତା’ର ଶୁଣ୍ଢର ଭିତର ପାଇପ୍‌ କଟି ଯାଇଥିବାରୁ ଖାଇବାରେ ଅସୁବିଧା ହେଉଛି। ସେ ଏ ବାବଦରେ ଡିଏଫ୍ଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସାଇଣ୍ଟିଫିକ୍ ଦଳର ସାହାଯ୍ୟ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେ‌ହେତୁ ହାତୀଟି ଜଙ୍ଗଲରେ ବୁଲୁଛି ତା’ର ଚିକିତ୍ସା ସହଜ ହୋଇ ପାରୁନାହିଁ। ତେବେ ଚିକିତ୍ସା କରିବା ବଦଳରେ ଏହି ରୋଗାକ୍ରାନ୍ତ ହାତୀକୁ ବନ ବିଭାଗ ପକ୍ଷରୁ ପୁଣି ଝାରଖଣ୍ଡ ସୀମା ଭିତରକୁ ଘଉଡ଼ାଇ ଦେବାଲାଗି ଚେଷ୍ଟା କରା ଯାଉଛି ବୋଲି ଅଭିଯୋଗ ହେଉଛି। ବାଘ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏକ ହାତୀର ଚିକିତ୍ସା ପାଇଁ କାହିଁକି ବର୍ଷ ବର୍ଷ ଲାଗି ଯାଉଛି ଏବଂ କାହିଁକି ହାତ ପାଆନ୍ତାରେ ଥିବା ଆଧୁନିକ ଜ୍ଞାନକୌଶଳର ଉପଯୋଗ କରା ଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର